Home Health ୧୭ହଜାର ଜନ ଔଷଧି କେନ୍ଦ୍ର

୧୭ହଜାର ଜନ ଔଷଧି କେନ୍ଦ୍ର

ଭୁବନେଶ୍ୱର : ଶସ୍ତାରେ ମିଳୁଥିବା ଜେନେରିକ୍‍ ଔଷଧ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବାରୁ ଦେଶରେ ଖୋଲିଥିବା ଜନଔଷଧି କେନ୍ଦ୍ର ସଂଖ୍ୟା ପାଖପାଖି ୧୭ହଜାରରେ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୭୫୩ରେ ପହଞ୍ଚିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢିବା ନେଇ ଆକଳନ କରାଯାଉଛି ।

ସମସ୍ତେ ଯେଭଳି ସୁଲଭ ଦରରେ ଜୀବନ ରକ୍ଷାକାରୀ ଔଷଧ ପାଇପାରିବେ ସେଥିପାଇଁ ଭାରତ ସରକାର ଆରମ୍ଭ କରିଥିଲେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା । ଏହି ଯୋଜନାରେ ସମଗ୍ର ଦେଶରେ ଜନ ଔଷଧି କେନ୍ଦ୍ର ଖୋଲା ଯାଇଥିଲା ଯେଉଁଠାରେ ବ୍ରାଣ୍ଡେଡ୍‍ ଔଷଧ ତୁଳନାରେ ୫୦ ରୁ ୮୦ ପ୍ରତିଶତ କମ୍‍ ଦାମରେ ଔଷଧ ମିଳୁଛି । ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ଦେଶରେ ମୋଟ୍‍ ୧୬,୯୧୨ ଜନ ଔଷଧି କେନ୍ଦ୍ର ଖୋଲି ସାରିଲାଣି ।

ଏହିସବୁ ଜନ ଔଷଧି କେନ୍ଦ୍ର ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୩୩୫୦ଟି ଖୋଲିଥିବାବେଳେ କେରଳରେ ୧୬୨୯ଟି, କର୍ଣ୍ଟାଟକରେ ୧୪୮୦, ତାମିଲନାଡୁରେ ୧୪୩୨ ଓ ବିହାରରେ ୯୦୦ଟି ଖୋଲିଛି । କେନ୍ଦ୍ର ସରକାର ବର୍ତ୍ତମାନ ଦେଶରେ ଅଧିକରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ୍‍ ଶାହ ଦେଶର ପାକ୍‍ସ ଗୁଡିକ ଅଧିନରେ ଏହି କେନ୍ଦ୍ର ଖୋଲିବାପାଇଁ ଜୋର ଦେଉଥିବାରୁ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଅଧିକରୁ ଅଧିକ ଜନଔଷଧି କେନ୍ଦ୍ର ଖୋଲିବା ନେଇ ଆଶା କରାଯାଉଛି ।

ଉଲ୍ଲେଖନୀୟ ଯେ ଜନ ଔଷଧି କେନ୍ଦ୍ରଗୁଡିକରେ ବର୍ତ୍ତମାନ ୨୧୧୦ କିସମର ଔଷଧ ଏବଂ ୩୧୫ କିସମର ସର୍ଜିକାଲ ସାମଗ୍ରୀ ଉପଲବ୍ଧ ହେଉଛି । ଏହି ଔଷଧ ମଧ୍ୟରେ ହୃଦରୋଗ, ମଦୁମେହ, ସଂକ୍ରମଣ, ଚର୍ମରୋଗ, ପାକସ୍ଥଳୀ ରୋଗ ଆଦିପାଇଁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ମିଳୁଛି । ସମସ୍ତ ଜେନେରିକ ଔଷଧକୁ ଜାତୀୟ ତାଲିକାରେ ସାମିଲ କରାଯାଇଛି । ତେବେ ଏହି ତାଲିକାରେ କୌଣସି ଟୀକା ନଥିବା ଜଣାଯାଇଛି ।

ଜନ ଔଷଧି କେନ୍ଦ୍ରଗୁଡିକରେ ଯେଭଳି ସୁରୁଖୁରୁରେ ସମସ୍ତ ଔଷଧ ପହଞ୍ଚିପାରିବ ସେଥିପାଇଁ ଆଇଟି ଆଧାରିତ ଯୋଗାଣ ବ୍ୟବସ୍ଥା କରାଯ।।ଇଛି । ଗୁରୁଗାଓଁ ଠାରେ ଗୋଟିଏ କେନ୍ଦ୍ରୀୟ ଔଷଧ ଭଣ୍ଡାର ଥିବାବେଳେ ବେଙ୍ଗାଲୁର, ଗୌହାଟି, ଚେନ୍ନାଇ ଓ ସୁରଟରେ ଚାରିଟି ଆଞ୍ଚଳିକ ଔଷଧ ଭଣ୍ଡାର ରହିଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ ଚିକିତ୍ସକମାନେ ଔଷଧର ନାମ ବଦଳରେ ଏହାର ‘କମ୍ପୋଜିସନ’ ଲେଖୁଥିବାରୁ ଲୋକେ ସହଜରେ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ରରେ ଦେଖାଇ ଶସ୍ତାରେ ଔଷଧ ପାଇପାରୁଛନ୍ତି । ତେବେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ପ୍ରଥମ ଜନ ଔଷଧି କେନ୍ଦ୍ରଟି ସରକାରୀ ଅବହେଳାରୁ ଇତି ମଧ୍ୟରେ ବନ୍ଦ ହୋଇ ଯାଇଛି । ବର୍ତ୍ତମାନ ନିରାମୟ ଯୋଜନାରେ ଅନେକ ଔଷଧ ଉପଲବ୍ଧ ହୋଇପାରୁନାହିଁ । ରୋଗୀମାନେ ଏହି ଔଷଧ ଶସ୍ତାରେ ଡାକ୍ତରଖାନା ପରିସରରେ ଥିବା ଜନ ଔଷଧି କେନ୍ଦ୍ରରୁ ସଂଗ୍ରହ କରୁଥିଲେ । ତେବେ ସରକାରୀ ଅବହେଳାରୁ ଏହା ବନ୍ଦହୋଇ ଯିବାପରେ ରୋଗୀମାନେ ଏବେ ଘରୋଇ ଔଷଧ ଦୋକାନରୁ ଚଢା ଦରରେ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)