Home Judiciary ୧୭ଲକ୍ଷ ଅପରାଧିକ ମାମଲା ସରିବ କେବେ ?

୧୭ଲକ୍ଷ ଅପରାଧିକ ମାମଲା ସରିବ କେବେ ?

ଭୁବନେଶ୍ୱର : ଓଡିଶାରେ ବର୍ଷକୁ ବର୍ଷ ଅପରାଧିକ ମାମଲାସଂଖ୍ୟା ବଢି ବଢି ଚାଲିଛି । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଇନ୍‍ ଅଦାଲତଗୁଡିକରେ ପ୍ରାୟ ୧୭ଲକ୍ଷ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏହି ମାମଲାଗୁଡିକ ଭିତରୁ କେତେକ ୨୦/୩୦ ବର୍ଷର ପୁରୁଣା ।

ଗତ ଅଗଷ୍ଟ ଶେଷସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଥିବା ଅଦାଲତଗୁଡିକରେ ୧୬,୮୪,୪୩୨ ଅପରାଧିକ ମାମଲା ବିଚାରାଧିନ ଥିଲା । ଏଥି ମଧ୍ୟରୁ ସର୍ବାଧିକ ଅପରାଧିକ ମାମଲା ରହିଛି କଟକ ଜିଲ୍ଲାରେ । କଟକ ଜଜ୍‍ସିପ୍‍ରେ ୧,୬୮,୪୮୩ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ତାହା ପଛକୁ ରହିଛି ରାଜଧାନୀ ଭୁବନେଶ୍ୱରରେ ଥିବା ଖୋରଧା ଜିଲ୍ଲା । ଖୋରଧା ଜଜ୍‍ସିପ୍‍ରେ ଗତ ଅଗଷ୍ଟ ଶେଷସୁଦ୍ଧା ୧,୬୮,୪୩୮ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଗଞ୍ଜାମ ଜଜ୍‍ସିପ୍‍ରେ ଏହି ସଂଖ୍ୟା ୧,୦୧,୯୯୮ ରହିଛି । ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ବାଲେଶ୍ୱର ଜଜ୍‍ସିପ୍‍ରେ ୧,୦୦,୧୦୫ ଟି ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସୁନ୍ଦରଗଡରେ ଏହି ସଂଖ୍ୟା ୯୨,୪୪୫, ଅନୁଗୁଳ ଜିଲ୍ଲାରେ ୮୫,୯୬୯, ଯାଜପୁରରେ ୮୫,୧୫୫ ଓ ଅଗଷ୍ଟ ସ୍ଥାନରେ ଥିବା ସମ୍ବଲପୁରରେ ବିଚାରାଧିନ ଅପରାଧିକ ମାମଲା ସଂଖ୍ୟା ୮୦,୫୬୦ଟି ସରକାରୀ ସୂତ୍ରରୁ ଜଣାପଡିଛି ।

ସବୁଠାରୁ କମ୍‍ ଅପରାଧିକ ମାମଲା ରହିଛି ଗଜପତି ଜିଲ୍ଲାରେ । ଏହି ଜିଲ୍ଲାରେ ଉକ୍ତ କିସମର ବିଚାରାଧିନ ମାମଲା ସଂଖ୍ୟା ଗତ ଅଗଷ୍ଟ ଶେଷସୁଦ୍ଧା ୮୫୨୭ ଥିଲାବେଳେ ଦେବଗଡ ଭଳି ଛୋଟିଆ ଜିଲ୍ଲାରେ କିନ୍ତୁ ୧୮,୯୭୯ଟି ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା । ମୋଟାମୋଟି ଭାବେ ସମଗ୍ର ରାଜ୍ୟରେ ଉଭୟ ବିଚାରାଧିନ ଫୌଜଦାରୀ ଓ ଦେୱାନି ମାମଲା ସଂଖ୍ୟା ଗତ ଅଗଷ୍ଟ ଶେଷସୁଦ୍ଧା ୧୯,୯୭,୩୧୭ ରହିଥିଲା ।

ହାଇକୋର୍ଟ, ସୁପ୍ରିମ୍‍କେର୍ଟ ଓ ଅନ୍ୟାନ୍ୟ ଟ୍ରିବ୍ୟୁନାଲରେ ବିଚାର ପ୍ରତୀକ୍ଷାରେ ଥିବା ମାମଲାକୁ ମିଶାଇଲେ ଏହି ସଂଖ୍ୟା ପ୍ରାୟ ୨୩ଲକ୍ଷ ହେବ ବୋଲି ଆଶଙ୍କା କରାଯ।।ଉଛି । ତହସିଲ ଠାରୁ ରାଜସ୍ୱ ପାର୍ଷଦଙ୍କ ପର୍ଯ୍ୟନ୍ତ ବିଭିନ୍ନ ରାଜସ୍ୱ କୋର୍ଟରେ ପଡି ରହିଥିବା ମାମଲା ସହିତ ଦୁର୍ନୀତି ନିବାରଣ ମାମଲାକୁ ମିଶାଇଲେ ରାଜ୍ୟରେ ସମସ୍ତ କିସମର ମାମଲା ପ୍ରାୟ ୨୮ଲକ୍ଷ ହେବ ବୋଲି ଆକଳନ କରାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ମାମଲା ସଂଖ୍ୟା ହ୍ରାସ ସହିତ ତ୍ୱରିତ ଫଏସଲା ପାଇଁ ଓଡିଶା ସରକାର ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରରେ ୨୦୧୧ ମସିହାରେ ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିଲେ । ମାମଲା ନୀତିର ଲକ୍ଷ୍ୟ ଯଦି ପୂରଣ ହୋଇଥାନ୍ତା ତେବେ ୫ବର୍ଷର ପୁରୁଣା ଗୋଟିଏ ହେଲେ ମାମଲା କୌଣସି ଅଦାଲତର ଗଡୁନଥାନ୍ତା ଏବଂ ମାମଲା ସଂଖ୍ୟା ମଧ୍ୟ ଢେର କମ୍‍ ରହିଥାନ୍ତା । ବିଭିନ୍ନ କାରଣରୁ ଓଡିଶା ରାଜ୍ୟ ମାମଲା ନୀତି ସଠିକ୍‍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଏଭଳି ପରିସ୍ଥିତି ଲାଗି ରହୁଛି ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ ମତ ଦେଉଛନ୍ତି ।

ଏମିତିକି ଏବେ ବି ଆମ ରାଜ୍ୟରେ ୨୦୦୦ବର୍ଷ ପୂର୍ବର ବହୁ ଦେୱାନି ଓ ଫୌଜଦାରୀ ମାମଲା ସମେତ ଭିଜିଲାନ୍ସ ମାମଲା ମଧ୍ୟ ଗଡି ଚାଲୁଛି । ପ୍ରାୟ ୩୫ବର୍ଷ ତଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଗୋଟିଏ କଲେଜରେ କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାର ନମ୍ବର ବଢାଇ ମାର୍କସିଟ୍‍ ଦିଆଯାଇଥିଲା । ଏହି ଘଟଣା ଜଣାପଡିବାପରେ ସରକାର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ସଂସ୍ଥା ହାତରେ ଅର୍ପଣ କରିଥିଲେ । ଭାତହାଣ୍ଡିରୁ ଗୋଟିଏ ଭଳି ଏହିମାମଲା ଏବେ ବି ଭିଜିଲାନ୍ସ କୋର୍ଟରେ ଚାଲିଛି । ସରକାରଙ୍କ ପକ୍ଷରୁ ଠିକଣା ସମୟରେ ସାକ୍ଷ୍ୟପ୍ରମାଣ ଉପସ୍ଥାପନ କରାନଯିବା ମାମଲା ଗଡିବାର ଅନ୍ୟତମ କାରଣ ବୋଲି କୁହାଯାଉଛି । (ତଥ୍ୟ)