Home Education ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର

୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର : ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ  ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ, ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି। କିନ୍ତୁ, ଏହା ଅନସ୍ଵୀକାର୍ଯ୍ୟ ଯେ ଆଜି ମଧ୍ୟ ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ ଭୂମିକା ତୁଲାଇଥାନ୍ତି।

ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। କଞ୍ଚାମାଟିକୁ ନିଜ ହାତର ସ୍ପର୍ଶ ଦେଇ କୁମ୍ଭାର ଯେମିତି ସୁନ୍ଦର କୃତି ନିର୍ମାଣ କରିଥାଏ, ଠିକ ସେହିପରି, ଏକ ନିଷ୍ପାପ ଶିଶୁକୁ ଦାୟିତ୍ଵସମ୍ପନ୍ନ ତଥା ଜ୍ଞାନୀ ଗୁଣୀ ଭାବେ ଗଢି ତୋଳିବାର ଗୁରୁଦ୍ୱାୟିତ୍ଵ ଆପଣମାନଙ୍କ କାନ୍ଧରେ ରହିଛି।

ମୁଖ୍ୟମନ୍ତ୍ରୀ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କହିଥିଲେ ଯେ ସେମାନେ ସଦାସର୍ବଦା ପିଲାମାନଙ୍କ ମଧ୍ୟରେ ସ୍ବପ୍ନ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରନ୍ତୁ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ବିଦ୍ୟାଳୟରେ ଆପ୍ରାଣ ଉଦ୍ୟମ ଜାରି ରଖନ୍ତୁ । ଓଡିଶାର ଭାଗ୍ୟ ଉଦୟ ହେଉ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ । ଆପଣମାନେ ନିଜକୁ ସମୟର ସହ ତାଳ ଦେଇ ସମୟାନୁବର୍ତ୍ତିତା, କର୍ମଯୋଗୀ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଏକ ଉତ୍ତମ ଛାତ୍ରର ସ୍ବପ୍ନକୁ ପୂରଣ କରିବାରେ ସହାୟକ ହୁଅନ୍ତୁ ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆଜି ଆପଣ ମାନେ ଏକ ଗୁରୁ ଦାୟିତ୍ବ ବହନ କରିବାକୁ ଯାଉଛନ୍ତି। ପ୍ରାରମ୍ଭିକ ଶିକ୍ଷା ହିଁ ପିଲାଙ୍କୁ ଦିଗବିଜୟୀ ହେବା ପାଇଁ ଗଢି ତୋଳିଥାଏ। ଓଡିଶାରେ ପ୍ରାୟ ୭୬ ଲକ୍ଷ ୪୯ ହଜାର ପିଲା ବିଦ୍ୟାଳୟରେ ପଢୁଛନ୍ତି। ସେମାନଙ୍କୁ ଶିକ୍ଷିତ ଓ ନିର୍ଭିକ କରି ଗଢି ତୋଳିବାର ଦାୟିତ୍ବ ଆପଣ ମାନଙ୍କ ଉପରେ।

୨୦୩୬ ମସିହା ବେଳକୁ ବିକଶିତ ଓଡିଶାର ଗଠନର ଲକ୍ଷ୍ୟ ରହିଛି। ଆଜି ଯେଉଁ ପିଲା ୧୨-୧୩ ବର୍ଷ ବୟସରେ ଅଛି ସେତେବେଳକୁ ତାର ଯୁବବସ୍ଥା ହୋଇଥିବ। ଆପଣ ମାନଙ୍କ ନିଷ୍ଠାପର ଉଦ୍ୟମରେ ତାର ଆତ୍ମ ବିଶ୍ବାସ ମଧ୍ୟ ବୃଦ୍ଧି ହୋଇଥିବ। ଆପଣମାନେ ହେଉଛନ୍ତି ସେ ପିଲାମାନଙ୍କ ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ। ଓଡିଶାରେ ଧନୀ ଲୋକ ନାହାନ୍ତି କିନ୍ତୁ ଜ୍ଞାନୀ ଲୋକଙ୍କ ଅଭାନ ନାହିଁ। ଆଗାମୀ ଦିନରେ ଜ୍ଞାନ ଆଧାରିତ ବିକଶିତ ଭାରତର ମୂଳ କେନ୍ଦ୍ର ହେବେ ଶିକ୍ଷକସମାଜ।

ଅନ୍ୟତମ ଅତିଥି ଭାବେ ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମ ଏକ ଐତିହାସିକ କାର୍ଯ୍ୟକ୍ରମ। ଓଡିଶା କିପରି ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ସେଥିପାଇଁ ଆପଣ ମାନେ ପ୍ରଚେଷ୍ଠା କରନ୍ତୁ। ଆପଣ ମାନଙ୍କ ନିଯୁକ୍ତି ଓଡିଶା ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି।ଆପଣ ମାନଙ୍କ ନିଯୁକ୍ତି ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ନବନିଯୁକ୍ତ ଶିକ୍ଷୟିତ୍ରୀ ଚିନ୍ମୟୀ କର କହିଥିଲେ ଯେ କଠିନ ପରିଶ୍ରମ ଓ ନିଷ୍ଠା ଦ୍ବାରା ସଫଳତା ହାସଲ କରିହେବ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ସେହିପରି  ସମ୍ବଲପୁରର ଭବାନୀ, ନବରଙ୍ଗ ପୁରର ସୌମ୍ୟରଞ୍ଜନ ଦାସ ଏବଂ କଟକର ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ ସାବିତ୍ରୀ ଜେନା ନିଜର ଅଭିଜ୍ଞତାରେ କହିଥିଲେ ଯେ ଆମ ରାଜ୍ୟରେ ଗୁରୁ ଓ ଶିକ୍ଷା କ୍ଷେତ୍ରକୁ ବହୁ ସମ୍ମାନ ଦିଆଯାଉଛି। ଶିକ୍ଷା ବିଭାଗର ଅଂଶ ଭାବେ ଆମେ ନିଯୁକ୍ତି ପାଇ ନିଜକୁ ଗର୍ବୀତ ଅନୁଭବ କରୁଛୁ। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଧନ୍ୟବାଦ ଦେଇଥିଲେ।