Home News in Odia ୧୫ ଜିଲ୍ଲାରେ ଖସୁଛି ଭୂତଳ ଜଳସ୍ତର

୧୫ ଜିଲ୍ଲାରେ ଖସୁଛି ଭୂତଳ ଜଳସ୍ତର

ଭୁବନେଶ୍ୱର : ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ଅଧିକାଂଶ ହେଉଛି ଉପକୂଳବର୍ତ୍ତୀ ଜିଲ୍ଲା ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କଟକ, ଜଜଗତ୍‍ସିଂହପୁର, ଦେବଗଡ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ପୁରୀ ଓ ରାୟଗଡାୋର ଭୂତଳ ଜଳସ୍ତର କମିଥିବା ଦେଖିବାକୁ ମିଳିଛି । କେବଳ ବାଲେଶ୍ୱର ଜିଲ୍ଲାରେ ଏହି ସମୟରେ ଭୂମିଠାରୁ ତଳକୁ ଜଳସ୍ତରର ପରିମାଣ ୯.୪୩ ପ୍ରତିଶତରୁ ୮.୬୪ ପ୍ରତିଶତକୁ ହ୍ରାସ ପାଇଛି ।

ଭଦ୍ରକ ଜିଲ୍ଲାରେ ଭୂପୃଷ୍ଠ ଠାରୁ ୬.୨୨ମିଟର ତଳେ ଜଳସ୍ତର ଥିବାବେଳେ ଦଶ ବର୍ଷ ପରେ ଅର୍ଥାତ୍‍ ୨୦୧୯ରେ ଏହା ୭.୧୨ ମିଟର ତଳକୁ ଖସିଯାଇଛି । କଟକ ଜିଲ୍ଲାରେ ଏହା ୪.୮୯ ମିଟରରୁ ୫.୪୨ ମିଟରକୁ ଖସିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ୩.୦୭ ମିଟରରୁ ୩.୭୯ ମିଟରକୁ ହ୍ରାସ ପାଇଛି । ଯାଜପୁର ଜିଲ୍ଲାରେ ୫.୦୨ ମିଟରରୁ ୫.୧୫ ମିଟରକୁ ହ୍ରାସ ପାଇଥିବାବେଳେ କେନ୍ଦ୍ରାପଡାରେ ଏହା ୨.୮୩ରୁ ୩.୫୬ ମିଟରକୁ ଖସିଯାଇଛି ।

ସେହିଭଳି ପୁରୀ ଜିଲ୍ଲାରେ ଜଳସ୍ତର ୩.୫୨ ମିଟରରୁ ୩.୭୪ ମିଟରକୁ କମିଯାଇଥିବାବେଳେ ରାୟଗଡା ଜିଲ୍ଲାରେ ୭.୬୬ ମିଟରରୁ ୮.୯୭ ମିଟରକୁ ହ୍ରାସ ପାଇଛି । ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଭୂତଳ ଜଳସ୍ତର ୭ମିଟରରୁ ୭.୩୯ ମିଟରକୁ ଖସିଯାଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହା ୫.୮୬ ମିଟରରୁ ୬.୬୮ ମିଟରକୁ ଖସିଛି ।

ତେବେ ଅନୁଗୁଳ, ବରଗଡ, ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ନୂଆପଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡର ଭୂତଳ ଜଳସ୍ତରରେ ଉନ୍ନତି ପରିଲକ୍ଷିତ ହେଉଛି ।

ଜଳସ୍ତର ହ୍ରାସ ପାଉଥିବା ଜିଲ୍ଲା ଗୁଡିକରେ ସ୍ଥିତି ଉଦ୍‍ବେଗଜନକ ନଥିଲେ ବି ବ୍ୟାପକ ଜଙ୍ଗଲକ୍ଷୟ ସାଙ୍ଗକୁ ବେଆଇନ୍‍ ଭାବେ ବସୁଥିବା ଗଭୀର ନଳକୂପକ ଜଳସ୍ତର କମିବାପାଇଁ ଦାୟୀ କରାଯାଉଛି । ତୁରନ୍ତ ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଉପକୂଳ ସମେତ ଆନ୍ୟାନ୍ୟ ଆଭ୍ୟନ୍ତରୀଣ ଜିଲ୍ଲାରେ ଭୂତଳ ଜଳସ୍ତର ତଳକୁ ତଳକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।