Home Health ୧୫୪ ବ୍ଲକରେ ନାହିଁ ଭଲ ପିଇବା ପାଣି

୧୫୪ ବ୍ଲକରେ ନାହିଁ ଭଲ ପିଇବା ପାଣି

ଭୁବନେଶ୍ୱର : ରାଜ୍ୟରେ ୧୫୪ଟି ବ୍ଲକ୍‍ରେ ଉପଯୁକ୍ତ ପିଇବା ପାଣି ନାହିଁ । ଏଥିମଧ୍ୟରୁ ୧୨୧ଟି ବ୍ଲକରେ ଜଳରେ ଲୌହ ଅଂଶ ମିଳିଥିବା ବେଳେ ୫ଟି ବ୍ଲକରେ ନାଇଟ୍ରେଟ୍‍, ୧୫ଟିରେ ପ୍ଲୋରାଇଡ୍‍ ଓ ୧୩ଟି ବ୍ଲକ୍‍ରେ ଲବଣାକ୍ତ ଜଳ ନିର୍ଗତ ହେଉଛି ।

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପଞ୍ଚାୟତ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏହାର ନିରାକରଣ ପାଇଁ ପ୍ଲୋରାଇଡ୍‍ ଓ ଲୌହ ନିରାକରଣ ଯନ୍ତ୍ର ଏବଂ ଲବଣାକ୍ତ ଅଞ୍ଚଳରେ ନଳକୂପ ଗୁଡିକରେ ସାଲାଇନ୍‍ ସିଲିଂ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

୨୦୨୪ ସୁଦ୍ଧା ସମସ୍ତ ଗ୍ରାମକୁ ନିର୍ମଳ ବିଶୋଧିତ ପିଇବା ପାଣି ଯୋଗାଇ ଦେବା ସକାଶେ ବାକି ରହିଥିବା ୫୬୫୫ କୋଟି ଏକକ ଗ୍ରାମ ବିଶିଷ୍ଟ ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ କରାଯାଇଛି । ଏଥିମଧ୍ୟରୁ ୫୯ଟି ପ୍ରକଳ୍ପର କାମ ସରିଥିବା ବେଳେ ୨୯୦୦ଟି ପ୍ରକଳ୍ପର କାମ ଚାଲୁ ରହିଛି ଓ ଅବଶିଷ୍ଟ ୨୯୬୯ଟି ପ୍ରକଳ୍ପର କାମ ଟେଣ୍ଡର ଆହ୍ୱାନ ସ୍ତରରେ ଅଛି ।

ଏହାଛଡା ୨୦୯ଟି ବୃହତ୍‍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିରୁ ୧୦ଟିର ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ୧୩୨ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ଅନ୍ୟ ପ୍ରକଳ୍ପଗୁଡିକ ଟେଣ୍ଡର ଆହ୍ୱାନ ପ୍ରକ୍ରିୟାରେ ବିଭିନ୍ନ ସ୍ତରରେ ରହିଛି । ସେହିଭଳି ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ସୌରଚାଳିତ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । (ତଥ୍ୟ)