Home General ୧୫ବର୍ଷ ହେଲା ହୋଇନି ଏମଏସଏମଇ ଗଣନା

୧୫ବର୍ଷ ହେଲା ହୋଇନି ଏମଏସଏମଇ ଗଣନା

ଭୁବନେଶ୍ୱର : ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସଂକ୍ରାନ୍ତରେ ୧୫ବର୍ଷରୁ ଉର୍ଦ୍ଧ୍ୱ ହେଲା ସୂଚନା ସଂଗ୍ରହ ହୋଇନାହିଁ । ଶେଷ ଥର ପାଇଁ ୨୦୦୬-୦୭ ରେ ରାଜ୍ୟରେ ଏମଏସଏମଇ ଗଣନା କରାଯାଇଥିଲା ।

ଖୋଦ୍‍ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟ ବିଧାନସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ ହକିଛନ୍ତି ଯେ ସର୍ବଭାରତୀୟ ଏମଏସ୍‍ଏମଇ ଗଣନା ୨୦୦୬-୦୭ ଅନୁଯାୟୀ ବିଭିନ୍ନ କାରଣରୁ ରାଜ୍ୟର ୧୫,୩୧୫ ଏମଏସ୍‍ଏମଇ ଶିଳ୍ପସଂସ୍ଥା ବନ୍ଦହୋଇ ଯାଇଛି । ପରବର୍ତ୍ତୀ ଏମଏସଏମଇ ଗଣନା ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ପରବର୍ତ୍ତୀ ଗଣନା ହେବାପରେ ରାଜ୍ୟରେ ଏହି ଧରଣର କେତେ ଶିଳ୍ପସଂସ୍ଥା କେଉଁ କାରଣ ପାଇଁ ବନ୍ଦ ହୋଇଯାଇଛି ତାହା ଜଣାପଡିବ । ତେବେ ବନ୍ଦ ହୋଇଥିବା ଅନାଦେୟ ଋଣ ପରିମାଣ କେତେ ରହିଛି ତାହାର ସୂଚନା ବି ବିଭାଗ ନିକଟରେ ନାହିଁ ।

ଏହି ସୂଚନାରେ କୁହାଯାଇଛି ଯେ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଉଦ୍ୟମ ପୋର୍ଟାଲରେ ୪,୧୧,୦୬୯ଟି ଏମଏସଏମଇ ପଞ୍ଜିକରଣ କରିଛନ୍ତି । ଏଥି ମଧ୍ୟରୁ ୮୯,୫୫୫ଟି ଉତ୍ପାଦନ ବର୍ଗରେ ଥିବାବେଳେ ୧,୬୮,୬୪୪ଟି ସେବା ବର୍ଗରେ ଓ ୧,୫୨,୮୭୦ଟି ବ୍ୟବସାୟିକ ଅଟେ । ଏହିସବୁ ଏମଏସଏମଇରେ ମୋଟ୍‍ ୩୪,୫୬,୪୩୭ ଜଣ କର୍ମନିଯୁକ୍ତି ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଉତ୍ପାଦନ ବର୍ଗରେ ୧୦,୮୪,୩୦୬ ଜଣ ନିଯୁକ୍ତି ପାଇଥିବାବେଳେ ସେବା ବର୍ଗରେ ୧୪,୭୩,୩୯୯ ଜଣ ଏବଂ ବ୍ୟବସାୟିକ ବର୍ଗରେ ୮,୯୮,୭୩୨ ଜଣଙ୍କୁ କର୍ମସଂସ୍ଥାନ ମିଳିଛି ।

ବର୍ତ୍ତମାନ ରାଜ୍ୟ ସରକାର ଏମଏସଏମଇ ଉପରେ ଗରୁତ୍ୱ ଦେବା ସହିତ ଏହା ମାଧ୍ୟମରେ ଅଧିକରୁ ଅଧିକ କର୍ମନିଯୁକ୍ତି ଉପରେ ଜୋର ଦେଉଛନ୍ତି । ବିଶେଷକରି ଷ୍ଟାର୍ଟଅପ୍‍ ଜରିଆରେ ଯୁବ ବର୍ଗ କିଭଳି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆଗ୍ରହୀ ହେବେ ସେଥିପାଇଁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଣ ପାଇଁ ବ୍ୟାଙ୍କ୍‍ଗୁଡିକୁ ମଧ୍ୟ ପରାମର୍ଶ ଦେଉଛନ୍ତି ।

ହେଲେ ରାଜ୍ୟରେ ନିୟମିତ ବ୍ୟବଧାନରେ ଏମଏସଏମଇ ଗୁଡିକର ଗଣନା ହେଉନଥିବାରୁ ସେମାନଙ୍କର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇପାରୁ ନାହାନ୍ତି । ଏପରିକି କେଉଁ କାରଣରୁ କେତେ ଏମଏସଏମଇ ବନ୍ଦ ହୋଇ ଯାଉଛି ଓ କେତେ ଲୋକ କର୍ମସଂସ୍ଥାନ ହରାଉଛନ୍ତି ତାହାର ସୂଚନା ମଧ୍ୟ ସରକାରଙ୍କ ପାଖରେ ରହୁନାହିଁ । ଫଳରେ ଅଚଳ ହୋଇ ପଡୁଥିବା ଏମଏସଏମଇକୁ ସଚଳ କରିବାପାଇଁ ସରକାର ଯେଭଳି ପଦକ୍ଷେପ ନେବାକଥା ତାହା ନେଇପାରୁ ନାହାନ୍ତି ବୋଲି ଶିଳ୍ପ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଉଲ୍ଲେଖନୀୟ ଯେ ଶେଷଥର ପାଇଁ ହୋଇଥିବା ଏମଏସଏମଇ ଗଣନା ସମୟରେ ରାଜ୍ୟରେ ୧୫,୩୧୫ଟି ଶିଳ୍ପ ବନ୍ଦହୋଇ ଯାଇଥିବାବେଳେ ଏହା ଉପରେ ନିର୍ଭରଶୀଳ ୧,୨୯,୯୫୦ ଜଣ କର୍ମସଂସ୍ଥାନ ହରାଇଥିଲେ । (ତଥ୍ୟ)