Home Election ୧୪ ମନ୍ତ୍ରୀଙ୍କ ନାଁରେ ମାମଲା

୧୪ ମନ୍ତ୍ରୀଙ୍କ ନାଁରେ ମାମଲା

ଭୁବନେଶ୍ୱର : ନୂଆ ବିଜେପି ସରକାରରେ ମନ୍ତ୍ରୀ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ୧୪ଜଣ ନାଁରେ ଅପରାଧିକ ମାମଲା ରହିଛି । ଦୁଇ ଜଣ କ୍ୟାବିନେଟ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ପ୍ରଦୀପ ବଳ ସାମନ୍ତଙ୍କ ନାଁରେ ଆଦୌ ଅପରାଧିକ ମାମଲା ନଥିବା ଏଡିଆର ରିପୋର୍ଟରୁ ଜଣାପଡିଛି ।

ଏହି ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୁଦ୍ଧରେ ଗୋଟିଏ ଅପରାଧିକ ମାମଲା ଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ଦୁଇଟି ଓ ପ୍ରଭାତୀ ପରିଡାଙ୍କ ବିରୁଦ୍ଧରେ ୯ଟି ଫୌାଜଦାରୀ ମାମଲା ରହିଛି ।
ସେହିଭଳି ମନ୍ତ୍ରୀମାନଙ୍କ ମଧ୍ୟରେ ସୁରେଶ ପୂଜାରୀଙ୍କ ବିରୁଦ୍ଧରେ ୨ଟି, ନିତ୍ୟାନନ୍ଦ ଗଣ୍ଡଙ୍କ ନାମରେ ୪ଟି, କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାମରେ ୩ଟି, ଡକ୍ଟର ମୁକେଶ ମହାଲିଙ୍ଗଙ୍କ ବିରୁଦ୍ଧରେ ଗୋଟିଏ ଓ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ୧୦ଟି ମାମଲା ଗଡୁଛି ।

ଏହି ରିପୋର୍ଟର ତଥ୍ୟ ମୁତାବକ ରାଷ୍ଟ୍ରମନ୍ତ୍ରୀମାନଙ୍କ ମଧ୍ୟରୁ ଗୋକୁଳାନନ୍ଦ ମଲ୍ଲିକଙ୍କ ବିରୁଦ୍ଧରେ ୬ଟି ମାମଲା ଥିବାବେଳେ ସୂର୍ଯ୍ୟବଂଶୀ ସୂରଜଙ୍କ ବିରୁଦ୍ଧରେ ୫ଟି, ସମ୍ପଦ ସ୍ୱାଇଁଙ୍କ ବିରୁଦ୍ଧରେ ୩ଟି ଓ ଗଣେଶ ରାମ ସିଂଖୁଣ୍ଟିଆଙ୍କ ବିରୁଦ୍ଧରେ ଗୋଟିଏ ମାମଲା ରହିଛି ।

ଏହି ତଥ୍ୟ ମୁତାବକ ବିଜେଡିର ୫୧ଜଣ ବିଧାୟକଙ୍କ ମଧ୍ୟରୁ ୧୫ଜଣଙ୍କ ବିରୁଦ୍ଧରେ ମାମଲା ଥିବାବେଳେ ବିଜେପିର ୭୮ଜଣ ବିଧାୟକଙ୍କ ମଧ୍ୟରୁ ୫୫ଜଣ ଓ କଂଗ୍ରେସର ୧୪ଜଣଙ୍କ ମଧ୍ୟରୁ ୧୧ଜଣଙ୍କ ବିରୁଦ୍ଧରେ ମାମଲାମାନ ରହିଛି । ସେହିପରି ଏକ ମାତ୍ର ସିପିଏମ୍‍ ବିଧାୟକ ଓ ଅନ୍ୟ ତିନିଜଣ ସ୍ୱାଧୀନ ବିଧାୟକଙ୍କ ବିରୁଦ୍ଧରେ ମଧ୍ୟ ଅପରାଧିକ ମାମଲା ରହିଛି । ମୋଟାମୋଟି ଭାବେ ଓଡିଶା ବିଧାନସଭାର ନିର୍ବାଚିତ ୧୪୭ଜଣ ସଦସ୍ୟଙ୍କ ମଧ୍ୟରୁ ୮୧ଜଣଙ୍କ ବିରୁଦ୍ଧରେ ମାମଲା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ବାଚସ୍ପତି ପଦ ପାଇଁ ଚର୍ଚ୍ଚାର ବଳୟରେ ଥିବା ପୂର୍ବତନ ମନ୍ତ୍ରୀ ତଥା ରଣପୁରର ବିଧାୟିକା ସୁରମା ପାଢୀଙ୍କ ବିରୁଦ୍ଧରେ ୮ଟି ଫୌଜଦାରୀ ମାମଲା ରହିଛି । ଏଠାରେ ଉଲ୍ଲେଖନୀୟ ଯେ ନିର୍ବାଚନ ଲାଗି ମନୋନୟନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଆଧାରରେ ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି ।