ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୧୪ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନିଯୁକ୍ତି କରିଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ଡଃ ହରିବାବୁ କମ୍ଭମପାଟି ଆଜି ଏକସଙ୍ଗେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କରିଛନ୍ତି। ଲୋକଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନ ୨୦୧୭ର ବିଭିନ୍ନ ଧାରାରେ କୁଳପତିମାନଙ୍କୁ ଏହି ନିଯୁକ୍ତି ମିଳିଛି।
ରାଜ୍ୟର ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଦାୟିତ୍ୱ ମିଳିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପୁନଃନିଯୁକ୍ତି ପାଇଛନ୍ତି। କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ପାତ୍ର, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅସୀମା ସାହୁଙ୍କୁ କୁଳପତି ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କୁ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି, ବିଭୂତିଭୂଷଣ ମଲ୍ଲିକଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଓ ହୃଷିକେଶ ସେନାପତିଙ୍କୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି।
କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସିବାରାମ ତ୍ରିପାଠୀ, ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଜ୍ୟୋସ୍ନା କେବି ରାଉତ ଓ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ସାକ୍ଷୀଗୋପାଳସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କାର୍ଯ୍ୟ କରିବେ ବୋଲି ଲୋକଭବନ ପକ୍ଷରୁ ସୂଚନା ଦିଆଯାଇଛି।

