Home Health ୧୪୫୪ ଡାକ୍ତର ପଦବୀ ଖାଲି

୧୪୫୪ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଡାକ୍ତରଖାନା ଗୁଡିକରେ ଏବେ ୧୪୫୪ଟି ଡାକ୍ତର ପଦବୀ ଖାଲି ପଡିଥିବାବେଳେ ୧୦୫ଟି ହୋମିଓପାଥିକ ଡାକ୍ତର ପଦବୀ ମଧ୍ୟ ଖାଲି । ଏହାଛଡ଼ା ପାଖାପାଖି ୨ହଜାର ଫାର୍ମାସିଷ୍ଟ ଓ ଲାବ୍‍ ଟେକ୍ନିସିଆନ୍‍ ଏବଂ ୧୭ହଜାରରୁ ଅଧିକ ନର୍ସିଂ ଅଫିସର ପଦବୀ ମଧ୍ୟ ଖାଲି ଅଛି । ଏହି ପଦବୀ ଗୁଡିକ ପୁରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କ ପ୍ରଦତ୍ତ ସୂଚନା ମୁତାବକ ରାଜ୍ୟରେ ମୋଟ ୧୦ହଜାର ୭୭୪ଟି ମଞ୍ଜୁରୀପ୍ରାପ୍ତର ଡାକ୍ତର ପଦବୀ ଥିବାବେଳେ ସେଥିମଧ୍ୟରୁ ୯ହଜାର ୩୨୦ଟିରେ ଡାକ୍ତର ଅଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ନୂଆକରି ୫ହଜାର କନିଷ୍ଠ ଡାକ୍ତର ପଦବୀ ପ୍ରଥମ ଶ୍ରେଣୀ ପାହ୍ୟାରେ ସୃଷ୍ଟି କରିଛନ୍ତି । ଫଳରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୧୫ହଜାର ୭୭୪କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ୭ହଜାର ୨୭୬ଟି ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ବିଜ୍ଞାପନ ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି ସୂଚାଇଛନ୍ତି ଯେ ଖାଲି ପଡିଥିବା ୯୨୧ଟି ଲାବ୍‍ ଟେକ୍ନିସିଆନ୍‍ ପଦବୀ ପୂରଣ ଲାଗି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହାଛଡ଼ା ୮୫୩୧ଟି ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ମଧ୍ୟ ଆୟୋଗକୁ ବିଭାଗ କହିଛି । ସେ ପୁଣି କହିଛନ୍ତି ଯେ ରାଜ୍ୟରେ ୫୯୫ଟି ମଞ୍ଜୁରୀପ୍ରାପ୍ତ ହୋମିଓପାଥିକ ଡାକ୍ତର ପଦବୀ ଥିବାବେଳେ ସେଥି ମଧ୍ୟରୁ ୧୦୫ଟି ପଦବୀ ଖାଲି ପଡିଛି ।

ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୨୮,୨୮୫ଟି ନର୍ସିଂ ଅଫିସର ପଦବୀ ମଧ୍ୟରୁ ୧୭,୩୫୮ଟି ଖାଲି ପଡିଛି । ସେହିଭଳି ୩,୪୯୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ୯୯୮ଟି ଓ ୨, ୨୩୫ଟି ଲାବ୍‍ ଟେକ୍ନିସିଆନ୍‍ ପଦବୀରୁ ୯୧୫ଟି ଖାଲି ପଡିଛି । (ତଥ୍ୟ)