Home General ୧୪ଲକ୍ଷରୁ ଅଧିକ ଜବରଦଖଲ ମାମଲା

୧୪ଲକ୍ଷରୁ ଅଧିକ ଜବରଦଖଲ ମାମଲା

ଭୁବନେଶ୍ୱର : ଜବରଦଖଲକାରୀଙ୍କ ନିକଟରୁ ସରକାରୀ ଜମି ମୁକୁଳାଇବାପାଇଁ ଗତ ୧୦ବର୍ଷ ମଧ୍ୟରେ ୧୪ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି । ଏଥି ମଧ୍ୟରୁ ୧୩ଲକ୍ଷରୁ ଅଧିକ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସରକାରୀ ଜମିକରୁ ଜବରଦଖଲ ଉଚ୍ଛେଦ ଏକ ନିରନ୍ତର ପ୍ରକ୍ରିୟା । ନିକଟରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସରକାରୀ ଜମିରୁ ଜବରଦଖଲ ହଟାଇବାପାଇଁ ସାନି ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଜିଲ୍ଲାପାଳମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସରକାରୀ ଜମି ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିବାପାଇଁ ମୋଟ୍‍ ୧୪,୩୧,୨୧୮ଟି ଜବରଦଖଲ ମାମଲା ଗତ ୧୦ବର୍ଷ ମଧ୍ୟରେ ରୁଜୁ ହୋଇଥିବାବେଳେ ସେଥି ମଧ୍ୟରୁ ୧୩,୧୭,୦୬୧ଟି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇ ପାରିଛି ।

ଜବରଦଖଲ ମାମଲା ରୁଜୁରେ ସବୁଠାରୁ ଆଗରେ ରହିଛନ୍ତି ମୟୁରଭଞ୍ଜ ଓ ନବରଙ୍ଗପୁର । ମୟୁରଭଞ୍ଜ ଜିଲ୍ଲାରେ ୧,୦୧,୬୨୩ଟି ମାମଲା ରୁଜୁ ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ଏହି ସଂଖ୍ୟା ୧,୦୫,୭୨୯ଟି ରହିଛି । ସୁନନ୍ଦରଗଡ ଜିଲ୍ଲାରେ ତୃତୀୟ ସର୍ବାଧିକ ୮୪,୯୮୩ଟି ମାମଲା ରୁଜୁ ହୋଇଛି । ସବୁଠାରୁ କମ୍‍ ଜବରଦଖଲ ମାମଲା କୋରଧା ଜିଲ୍ଲାରେ ରହିଛି । ଏହି ଜିଲ୍ଲାରେ ୧୦,୦୪୫ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୪୪୧୨ଟି ମାମଲା ଫଏସଲା ହୋଇଛି ।

ଅନ୍ୟ ଉପକୂଳ ଜିଲ୍ଲା ମଧ୍ୟରେ ବାଲେଶ୍ୱରରେ ୬୮,୭୨୮ଟି ମାମଲା ରୁଜୁ ହୋଇଥିବାବେଳେ ଭଦ୍ରକରେ ୬୪,୯୩୮, କଟକରେ ୫୧,୪୯୪, କେନ୍ଦ୍ରାପଡାରେ ୫୬,୭୧୦, ଜଗତ୍‍ସିଂହପୁରରେ ୧୯,୩୩୭, ପୁରୀରେ ୧୮,୭୨୮, ଗଞ୍ଜାମରେ ୭୨,୯୧୬ଟି ମାମଲା ରୁଜୁ ହୋଇଥିଲା ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଉରକେଲା ପୌରାଞ୍ଚଳରେ ସରକାରୀ ଜମି ଜବରଦଖଲକାରୀଙ୍କୁ ହଟାଇବାପାଇଁ ଗତ ଦଶବର୍ଷ ମଧ୍ୟରେ ୩୭୫ଟି ମାମଲା ରୁଜୁ ହୋଇଥିବାବେଳେ ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୫୧ ଜଣଙ୍କୁ ହଟାଇ ଦିଆଯାଇ ସାରିଲାଣି । ଉଲ୍ଲେଖନୀୟ ଯେ ରାଜ୍ୟର ପ୍ରମୁଖ ପୌରାଞ୍ଚଳରେ ଜମି ଜବରଦଖଲ ଏକ ସମସ୍ୟା ଭାବେ ଉଭା ହୋଇଛି । ଜବରଦଖଲକାରୀମାନେ ହାଇସିଂବୋର୍ଡ, ବିଡିଏ, ସାଧାରଣ ପ୍ରଶସନ ଆଦିର ଜମିକୁ ଜବରଦଖଲ କରିବା ସହିତ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରୁଛନ୍ତି ।

ବର୍ଷ ବର୍ଷ ଧରି ଜମିଜମା ମାମଲା ଗଡୁଥିବାବେଳେ ଜବରଦଖଲକାରୀମାନେ ସରକାରୀ ଜମିକୁ ଅକ୍ତିଆରରେ ରଖିବା ସହିତ ସେଠାରେ ନିର୍ମାଣ କରିଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନରୁ ବିପୁଳ ପରିମାଣର ଭଡା ଆଦାୟ କରୁଛନ୍ତି । ସେହି ଭଡା ଅର୍ଥରେ ଜବରଦଖଲକାରୀମାନେ ମାମଲା ଲଢୁଥିବାବେଳେ ସରକାର କିନ୍ତୁ ସରକାରୀ ଜମିକୁ ମୁକୁଳାଇବାପାଇଁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରିବାରେ ଲାଗିଛନ୍ତି । (ତଥ୍ୟ)