Home General ୧୩ଜଣଙ୍କୁ ମିଳିଛି ବିବାହ ସହାୟତା

୧୩ଜଣଙ୍କୁ ମିଳିଛି ବିବାହ ସହାୟତା

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଝିଅ ବାହାଘର ପାଇଁ ୧୩ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଗତ୍‍ସିଂହପୁର ଜିଲ୍ଲାର ୭ଜଣ ହିତାଧିକାରୀ ରହିଥିବାବେଳେ କେନ୍ଦ୍ରାପଡା, ଖୋରଧା ଓ ସୁନ୍ଦରଗଡର ୨ଜଣ କରି ରହିଛନ୍ତି । ଏହି ସହାୟତା ଯଶୋଦା ଯୋଜନାରେ ପ୍ରଦାନ କରାଯାଇଛି ।

ଯଶୋଦା ଯୋଜନାର କାର୍ଯ୍ୟକାରିତା ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବଜେଟରେ ସରକାର ଅନାଥ ଶିଶୁମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୋଟ୍‍ ୧୧୯୯ ଜଣ ଶିଶୁଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏଥି ମଧ୍ୟରେ ୩୪୪ଜଣଙ୍କୁ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ସହାୟତା ପ୍ରଦାନ କରିଥିବାବେଳେ ୭୪୯ ଜଣଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ, ୯୩ ଜଣଙ୍କୁ ଛାତ୍ର ବୃତ୍ତି ଓ ୧୩ ଜଣଙ୍କୁ ବିବାହ ସହାୟତା ପ୍ରଦାନ କରିଛନ୍ତି ।

ଯଶୋଦା ସହାୟତା ବାବଦରେ ରାଜ୍ୟ ସରକାର ମୋଟ୍‍ ୬୩,୯୪,୫୯୯ ଟଙ୍କା ପ୍ରଦାନ କରିଥିବାବେଳେ ଦେବଗଡ, କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ଏହି ଯୋଜନାରେ ଜଣେ ହେଲେ ହିତାଧିକାରୀ ନାହାନ୍ତି । ସେହିଭଳି ସର୍ବାଧିକ ୧୧ଲକ୍ଷ ୯୬ ହଜାର ଟଙ୍କାର ସହାୟତା କୋରାପୁଟ ଜିଲ୍ଲାରେ ପ୍ରଦାନ କରାଯାଇଥିବାବେଳେ ସର୍ବନିମ୍ନ ୩୨ହଜାର ଟଙ୍କା କଟକ ଜିଲ୍ଲାରେ ପ୍ରଦାନ କରାଯାଇଛି । ଏହି ଜିଲ୍ଲାରେ ଜଣେ ମାତ୍ର ଛାତଙ୍କୁ ଶିକ୍ଷା ପାଇଁ ସହାୟତା ଯୋଗାଇ ଦିଆଯ।।ଇଛି ।

ସେହିଭଳି ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ବର୍ଷରେ ରାଜ୍ୟରେ ୪୫ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ୬ଜଣ ଉଦ୍ଧାର ହୋଇଥିବାବେଳେ ଅନୁଗୁଳ, ଗଞ୍ଜାମ, କେନ୍ଦୁଝର, କୋରାପୁଟ ଜିଲ୍ଲାରୁ ୪ଜଣ କରି, ସମ୍ବଲପୁରରୁ ୩ଜଣ, କଟକ, ଗଜପତି, ଜଗତ୍‍ସିଂହପୁରରୁ ୨ଜଣ କରି ଏବଂ ବାଲେଶ୍ୱର, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ ଓ ପୁରୀରୁ ଜଣେ କରି ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । (ତଥ୍ୟ)