Home Culture ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହେଉ

୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହେଉ

ଭୁବନେଶ୍ୱର : ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଅମର ଶହୀଦ ଲକ୍ଷ୍ମଣ ନାଏକ ଓ ଉଦ୍ଧାମ ସିଂ ଏବଂ ସେବା, ସଂଗ୍ରାମ, ସମର୍ପଣ ଓ ତ୍ୟାଗ କ୍ଷେତ୍ରରେ ସାରା ଦେଶରେ ଇତିହାସ ରଚିଥିବା ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଇତିମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମହାରାଣୀ ଅହଲ୍ୟାବାଈ ହୋଲ୍‍କରଙ୍କ ୩୦୦ତମ ଜନ୍ମ ବାର୍ଷିକୀ, ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଦେଶ ପାଇଁ ଏମାନଙ୍କର ଅବଦାନ ରହିଥିବାରୁ କୃତଜ୍ଞତାର ସହ ସ୍ମରଣ କରାଯିବା ସ୍ୱାଭାବିକ । ତେବେ ଏ କ୍ଷେତ୍ରରେ ଲଣ୍ଡନରେ ଫାଶୀ ପାଇଥିବା ଉଦ୍ଧାମ ସିଂ, ବ୍ରହ୍ମପୁର ଜେଲ୍‍ରେ ଫାଶୀ ଖୁଣ୍ଟରେ ଝୁଲିଥିବା ଲକ୍ଷ୍ମଣ ନାଏକ ଏବଂ ୬ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସପରିବାର ଜନସେବାରେ ବ୍ରତୀ ଥିବା ମା’ରମାଦେବୀଙ୍କୁ କିନ୍ତୁ ଉପେକ୍ଷା କରାଯିବା ଉଚିତ୍‍ ନୁହେଁ ବୋଲି ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକାଧିକ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେ କହିଛନ୍ତି ଯେ ସର୍ଦ୍ଦାର ଉଦ୍ଧାମ ସିଂ, ଲକ୍ଷ୍ମଣ ନାଏକ ଓ ମା’ରମାଦେବୀଙ୍କ ଜନ୍ମ ୧୮୯୯ ମସିହାରେ । ଇତିମଧ୍ୟରେ ବେସରକାରୀ ଭାବେ ଏହି ମହାମନିଷୀମାନଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହେଉଛି । ତେବେ ୨୦୨୫ ଜାନୁଆରୀ ୨ ତାରିଖରେ ସ୍ୱାଧୀନତା ସଂଗ୍ରାମ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ମହୋତ୍ସବରେ ଦଳମତ ନିର୍ବିଶେଷରେ ବକ୍ତାମାନେ ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ କଥା ଉଠାଇଥିଲେ । ବିଶେଷକରି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସମିତିର ଅନ୍ୟତମ କାର୍ଯ୍ୟକର୍ତ୍ତା ବିରୁପାକ୍ଷ ତ୍ରିପାଠୀ ଓ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏହି ପ୍ରସଂଗ ଉଠାଇବା ପରେ ରାଜ୍ୟ ସରକାର ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଭା ମଞ୍ଚରେ ଘୋଷଣା କରିଥିଲେ । ଏହାକୁ ଉପସ୍ଥିତ ଅନ୍ୟ ମନ୍ତ୍ରୀ, ବିଧାୟକ, ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସ୍ୱାଗତ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟ ସରକାର ଏଯାବତ୍‍ କାର୍ଯ୍ୟକାରୀ କରିନାହାନ୍ତି ।

ସେହିଭଳି ସର୍ଦ୍ଦାର ଉଦ୍ଧାମ ସିଂ ଓ ଶହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନର ଅମରଗାଥା ଜନମାନସରେ ଜାଗ୍ରତ କରିବା ଲାଗି ବର୍ଷେ ବ୍ୟାପି ଏମାନଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ପ୍ରସଂଗକୁ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମତି ଦିଆଯାଉଥିବା ବେଳେ ଏଯାବତ୍‍ କିନ୍ତୁ ଏ କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷ ସକ୍ରିୟତା ପ୍ରଦର୍ଶନ କରୁନଥିବା ଘେନି ଅଭିଯୋଗ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ଜାଲିଆନାୱାଲାବାଗ୍‍ ନରସଂହାରର ଅନ୍ୟତମ ଖଳନାୟକ ପଞ୍ଜାବର ବ୍ରିଟିଶ ରାଜ୍ୟପାଳ ମାଇକେଲ୍‍ ଓ’ଡାୟାରକୁ ଲଣ୍ଡନର ଏକ ସଭାକକ୍ଷ ମଧ୍ୟରେ ଉଦ୍ଧାମ ସିଂ ଗୁଳିମାରି ହତ୍ୟା କରିଥିଲେ ଏବଂ ସେହି ଅପରାଧରେ ତାଙ୍କୁ ସେଠାରେ ଫାଶୀ ଦଣ୍ଡ ଦିଆଯାଇଥିଲା । ଉଦ୍ଧାମ ସିଂହଙ୍କୁ ଜଣେ ଓଡ଼ିଆ ବିପ୍ଳବୀ ବଂଶୀଧର ମିଶ୍ର ଆଶ୍ରୟ ଦେବା ସହ ବନ୍ଧୁକ କିଣିବା ପାଇଁ ଅର୍ଥ ଦେଇଥିଲେ । ଲକ୍ଷ୍ମଣ ନାଏକ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସକ୍ରିୟ ଅଂଶ ଗ୍ରହଣ କରି ଜେଲ୍‍ ଯାଇଥିଲେ ଏବଂ ପୁଲିସ ଗୁଳିମାଡ଼ରେ ତାଙ୍କ ସହକର୍ମୀମାନଙ୍କ ମଧ୍ୟରେ ୫ଜଣ ମାଥିଲି ଠାରେ ନିହତ ହୋଇଥିଲେ । ପରବର୍ତ୍ତୀ ସମୟରେ ମିଛ ମକଦ୍ଦମାରେ ଶହୀଦ ଲକ୍ଷ୍ମଣଙ୍କୁ ବ୍ରହ୍ମପୁର ଜେଲ୍‍ରେ ଫାଶୀ ଦିଆଯାଇଥିଲା ।(ତଥ୍ୟ)