Home General ୧୨୫ତମ ଜନ୍ମ ବାର୍ଷିକୀ ପାଳନ କେବେ?

୧୨୫ତମ ଜନ୍ମ ବାର୍ଷିକୀ ପାଳନ କେବେ?

ଭୁବନେଶ୍ୱର : ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ରାଜ୍ୟ ସରକାର ବର୍ଷ ତମାମ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କିନ୍ତୁ ଏହାର ଅନୁପାଳନ କରୁନାହାନ୍ତି । ରାଜ୍ୟ ଭିତରେ ଓ ବାହାରେ ବେସରକାରୀ ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତ୍ରୀ ଏବଂ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ କିନ୍ତୁ ପାଳନ କରାଯାଉଛି । ସେହିଭଳି ଭାରତଛାଡ଼ ଆନ୍ଦୋଳନ ସମୟରେ ବ୍ରହ୍ମପୁର ଜେଲ୍‍ରେ ଫାଶୀ ଖୁଣ୍ଟରେ ଝୁଲିଥିବା ଅମର ଶହୀଦ ଲକ୍ଷ୍ମର ନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀ ବି ସରକାରୀ ସ୍ତରରେ ପାଳିତ ହେଉନାହିଁ । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି ।

୧୮୯୯ ମସିହାରେ ମା’ରମାଦେବୀ, ଶହୀଦ ଲକ୍ଷ୍ମଣ ନାୟକ, ଶହୀଦ ଉଦ୍ଧାମ ସିଂ ଓ ମହତାବଙ୍କ ଭଳି ସଂଗ୍ରାମୀମାନଙ୍କ ଜନ୍ମ ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାର ଇନ୍ଦୋରର ପୂର୍ବତନ ମହାରାଣୀ ଅହଲ୍ୟାବାଦୀ ହୋଲ୍‍କରଙ୍କର ୩୦୦ତମ ଜନ୍ମ ବାର୍ଷିକୀ ସଂଗେ ସଂଗେ ଆଉ କେତେକ ନେତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି । ଅଥଚ ଉଦ୍ଧାମ ସିଂ, ଲକ୍ଷ୍ମଣ ନାୟକ ଓ ମା’ରମାଦେବୀଙ୍କ କଥା ଭୁଲି ଯାଇଥିବା ଭଳି ମନେ ହେଉଛି ।

୨୦୨୫ ଜାନୁଆରୀ ୨ ତାରିଖରେ ରାଜଧାନୀରେ ସ୍ୱାଧୀନତା ସଂଗ୍ରାମୀ ଭବନ ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ପାନଳ କରାଯାଇଥିଲା । ଏହି ଅବସରରେ ଡ. ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରୁଥିବା ଘେନି ସୂଚନା ଦିଆଯାଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାର ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବେ ବୋଲି ଘୋଷଣା କରିଥିଲେ । ସଭା ମଞ୍ଚରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପଟ୍ଟନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟଦ ସଂଗଠନର କର୍ମକର୍ତ୍ତାମାନେ ବି ସେମାନଙ୍କ ଅଭିଭାଷଣରେ ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପ୍ରସଂଗ ଉଠାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଉପସ୍ଥିତ ଅନ୍ୟ ମନ୍ତ୍ରୀ, ବିଧାୟକ, ସାଂସଦ, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ଦାୟଦ ଏବଂ ଅନ୍ୟ ବ୍ୟକ୍ତିମାନେ କରତାଳି ଦେଇ ସ୍ୱାଗତ କରିଥିଲେ ।

ଜାନୁଆରୀରୁ ସମୟ ଗଡ଼ିଚାଲି ଜୁଲାଇ ମାସ ସରିବାକୁ ଯାଉଥିବାବେଳେ ରାଜ୍ୟ ସରକାର କିନ୍ତୁ ଏଯାବତ ମା’ରମାଦେବୀ ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ପାଇଁ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି । ଏ ସଂକ୍ରାନ୍ତରେ କେତେକ ବିଶିଷ୍ଟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଥିଲେ ବି ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସେହିପରି ଗତବର୍ଷ ଅଗଷ୍ଟ ୯ ତାରିଖରେ ସେହି ସଭା ମଞ୍ଚରେ ସ୍ୱାଧୀନତା ସଂଗ୍ରାମୀ ଦାୟଦମାନଙ୍କ ଲାଗି କୁଟୁମ୍ବ ଯୋଜନାରେ ପେନ୍‍ସନ୍‍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବର୍ଷେ ପୂରିବାକୁ ଯାଉଥିବାବେଳେ କୁଟୁମ୍ବ ଯୋଜନା ଆରମ୍ଭ ହୋଇନାହିଁ ।

ସଂସ୍କୃତି ବିଭାଗରେ ମା’ରମାଦେବୀଙ୍କ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପୂର୍ବରୁ ନଥି ପ୍ରସ୍ତୁତ ହୋଇଥିଲେ ବି ତାହାକୁ ଚପାଇ ଦିଆଯାଇଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି । ଡିସେମ୍ବର ୩ ତାରିଖ ମା’ରମାଦେବୀଙ୍କ ଜନ୍ମଦିନ ହୋଇଥିବା ବେଳେ ଜୁଲାଇ ୨୨ ତାରିଖରେ ହେଉଛି ତାଙ୍କର ପୂଣ୍ୟତିଥି । ରାଜଧାନୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏହି ଦୁଇଦିନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦୁଇଟି ଦିବସରେ କୌଣସି ସଭା ସମିତି କିମ୍ବା ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ନାହିଁ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ମା’ରମାଦେବୀଙ୍କ ଦୁଇଟି ପ୍ରତିମୂର୍ତ୍ତି ରହିଥିବା ବେଳେ ବିଧାନସଭା ବାହାରେ ବି ଆଉ ଗୋଟିଏ ପ୍ରତିମୂର୍ତ୍ତି ରହିଛି । ସେହିଭଳି ନାଲ୍‍କୋ ଛକ, ବିଧାନସଭା ନିକଟ ଓ ଆଉ କେତେକ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ଅଛି । ବିଳମ୍ବରେ ହେଲେ ମଧ୍ୟ ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଏବଂ ସେବା, ସଂଗ୍ରାମ ଓ ସାଧନା କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି କରିଥିବା ଏହି ଦୁଇ ମହାମନୀଷିଙ୍କ ୧୨୫ତମ ଜନ୍ମ ବାର୍ଷିକୀ ରାଜ୍ୟ ସରକାର ସାରା ରାଜ୍ୟରେ ପ୍ରତିପାଳନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)