ଭୁବନେଶ୍ୱର : ଭାରତଛାଡ ଆନ୍ଦୋଳନବେଳେ ଓଡିଶାରେ ପ୍ରଥମ ଗୁଳିକାଣ୍ଡ ହୋଇଥିବା ମାଲକାନଗିରି ଜିଲ୍ଲାର ମାଥିଲି ଓ ଏଠାକାର ଗଣଜାଗରଣର ମୁଖ୍ୟ ନାୟକ ଅମର ଶହୀଦ ଲକ୍ଷ୍ମଣ ନାଏକଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ଯେଭଳି ସ୍ଥାନ ମିଳିବାକଥା ତାହା ମିଳିପାରି ନାହିଁ । ଦେଶମାତୃକା ପାଇଁ ଫାଶୀଖୁଣ୍ଟରେ ଝୁଲିଥିବା ଶହୀଦ ଲକ୍ଷ୍ମଣଙ୍କର ଏବର୍ଷ ୧୨୫ତମ ଜନ୍ମବାର୍ଷିକୀ ପ୍ରତିପାଳନ କେବଳ ବେସରକାରୀ ସ୍ତରରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଉଥିବାବେଳେ ସରକାରୀ ଉତ୍ସବ କେବେ ପାଳନ କରାଯିବ ସେଥିଘେନି ଅନେକ ଅପେକ୍ଷା କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୪୨ ଅଗଷ୍ଟ ୮ତାରିଖରେ ବମ୍ବେ ଠାରେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ ଇଂରେଜଙ୍କୁ ଭାରତ ଛାଡିବାପାଇଁ ଆହ୍ୱାନ ଦେବାସହ ଦେଶବାସୀଙ୍କୁ ‘କର ବା ମର’ ର ଚରମ ନିଷ୍ପତ୍ତି ନେବାକୁ ଆହ୍ୱାନ ଦେଇଥିଲେ । ଗାନ୍ଧୀଜୀ ଥରକପାଇଁ ବି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆସିନଥିଲେ ମଧ୍ୟ ଏହି ଆନ୍ଦୋଳନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଅନ୍ୟୁନ ୮୩ଜଣ ଶହୀଦ ହୋଇଥିବା କୁହାଯାଏ ।
ଲକ୍ଷ୍ମଣ ନାଏକଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୨୧ରେ ମାଲକାନଗିରିର ମାଥିଲି ହାଟ ଠାରେ ବିରାଟ ମେଳି ହୋଇଥିଲା । ସେଠାରୁ ପ୍ରାୟ ୩ହଜାର ସତ୍ୟାଗ୍ରହୀ ତ୍ରିରଙ୍ଗା ଝଣ୍ଡା ଧରି ଭାରତମାତାର ଜୟଗାନ ସହ ମାଥିଲି ଥାନା ଉପରେ ପତାକା ଉଡାଇବାପାଇଁ ଆସୁଥିବାବେଳେ ପୁଲିସ୍ ଲକ୍ଷ୍ମଣ ନାଏକଙ୍କୁ ଧରିନେଇ ଥାନା ଭିତରେ ଶାରୀରିକ ନିର୍ଯ୍ୟାତନା ଦେବା ସହ ତାଙ୍କ ନିଶ ପୋଡି ଦେଇଥିଲା । ଲକ୍ଷ୍ମଣ ମରିଯାଇଛନ୍ତି ଭାବି ତାଙ୍କୁ ଏକ ନାଳରେ ବି ପୁଲିସ୍ ଫିଙ୍ଗି ଦେଇଥିଲା । ତେବେ ଥାନା ଉପରେ ତ୍ରିରଙ୍ଗା ଝଣ୍ଡା ଉଡାଇ ମାଥିଲି ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବାପାଇଁ ଶପଥ ନେଇ ଯେଉଁ ଆଦିବାସୀ ସତ୍ୟାଗ୍ରହୀମାନେ ଆଗକୁ ଗୋଡ ବଢାଇଥିଲେ ସେମାନେ ଆଉ ନଅଟକି ଥାନା ଆଡକୁ ଆଗେଇ ଚାଲିବାରେ ପୁଲିସ୍ ଗୁଳି ଚାଳନା କରିବାରୁ ଘଟଣାସ୍ଥଳରେ ଛଅ ଜଣ ସତ୍ୟାଗ୍ରହୀ ଶହୀଦ ହେବା ସହିତ ଆଉ ଜଣେ ମଦୁଆ ଫରେଷ୍ଟଗାର୍ଡର ମଧ୍ୟ ଗୁଳି ଚୋଟରେ ଜୀବନ ଯାଇଥିଲା ।
ଫରେଷ୍ଟଗାର୍ଡ ପୁଲିସ୍ ଗୁଳିରେ ମରିଥିଲେ ବି ଲକ୍ଷ୍ମଣ ନାଏକଙ୍କ ସମେତ ୫୪ଜଣଙ୍କ ବିରୁଦ୍ଧରେ ପୁଲିସ୍ ମାମଲା ରୁଜୁ କରିଥିଲା ଏବଂ କୋରାପୁଟର ସେତେବେଳର ଅତିରିକ୍ତ ଦୌରାଜଜ୍ ଭି.ରାମନାଥନ ଏହି ମାମଲାର ଶୁଣାଣି କରି ୧୯୪୨ ନଭେମ୍ବର ୧୩ ତାରିଖରେ ଲକ୍ଷ୍ମଣ ନାଏକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ସହ ଚାରି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ଏବଂ ଅନ୍ୟମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
୧୯୪୩ ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାଏକଙ୍କୁ ଫାଶୀ ଦିଆଯାଇଥିଲା । ମାଥିଲି ଥାନା ଅଭିଯାନରେ ଗିରଫ ହୋଇଥିବା ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ ୧୬ଜଣଙ୍କର କୋରାପୁଟ ଜିଲ୍ଲା ଜେଲରେ ଚିକିତ୍ସା ଅଭାବ ଓ ନିର୍ଯ୍ୟାତନା କାରଣରୁ ମୃତ୍ୟୁ ଘଟିଥିଲା । ୧୯୪୨ ଅଗଷ୍ଟ ୨୧ରେ ମାଥିଲିରେ ଗୁଳିକାଣ୍ଡ ହୋଇଥିବା ଜାଣି ମଧ୍ୟ ତିନିଦିନ ପରେ ଅଗଷ୍ଟ ୨୪ରେ ନବରଙ୍ଗପୁରର ପାପଡାହାଣ୍ଡିରେ ପ୍ରବାହିତ ତୂରୀ ନଦୀର ପୋଲ ଉପରେ ପୁଲିସ୍ ସତ୍ୟାଗ୍ରହୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିବା ଫଳରେ ଘଟଣାସ୍ଥଳରେ ୧୯ଜଣ ଶହୀଦ ହୋଇଥିଲେ । ଏହି ଘଟଣାରେ ୯୨ଜଣଙ୍କ ବିରୁଦ୍ଧରେ ମାମଲା ଚାଲିଥିଲା ଏବଂ ଜେଲରେ ଥିବାବେଳେ ଏହି ସଂଗ୍ରାମୀମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଶହୀଦ ହୋଇଥିଲେ ।
ସେହି ସମୟରେ ଗୁଣୁପୁର ନିକଟବର୍ତ୍ତୀ କୁଜେନ୍ଦ୍ରୀ ଗାଁରେ ବହୁ ମହିଳାଙ୍କ ସମେତ ପ୍ରାୟ ୫୦ଜଣ ସତ୍ୟାଗ୍ରହୀ ଗିରଫ ହୋଇଥିଲେ । ୧୮୯୯ ନଭେମ୍ବର ୨୨ରେ ଶହୀଦ ଲକ୍ଷ୍ମଣ ନାୟକଙ୍କର ଜନ୍ମ ହୋଇଥିବାବେଳେ ଏବର୍ଷ ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ବେସରକାରୀ ଭାବେ ପାଳିତ ହେଉଛି । ଲକ୍ଷ୍ମଣ ନାଏକଙ୍କ ୧୨ତମ ଜନ୍ମାବାର୍ଷିକୀ ସହିତ ମାଥିଲି ଗୁଳିକାଣ୍ଡର ସ୍ମାରକୀ ଦିବସକୁ ସାରା ରାଜ୍ୟରେ ସରକାର ପ୍ରତିପାଳନ କରିାବପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)