Home Health ୧୨ହଜାର ପଦବୀ ଖାଲି

୧୨ହଜାର ପଦବୀ ଖାଲି

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ଲୋକଙ୍କ ଜୀବନରକ୍ଷା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଓଡିଶାରେ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଡାକ୍ତର, ଡାକ୍ତରୀ ଶିକ୍ଷକ ସମେତ ବିଭିନ୍ନ ପାହ୍ୟାର ୧୨ହଜାରରୁ ଅଧିକ ପଦ ପଦବୀ ଖାଲି ପଡିଛି । ବିଗୁଡୁଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାପାଇଁ ଅଗ୍ରାଧିକାର ଭିତ୍ତିରେ ଏହି ପଦବୀ ସବୁ ପୂରଣ କରାନଗଲେ ସ୍ୱାସ୍ଥ୍ୟସେବା ଉଜୁଡିବାର ଆଶଙ୍କା ବ୍ୟକ୍ତ କରୁଛନ୍ତି ବରିଷ୍ଠ ଡାକ୍ତରମାନେ ।

କେବଳ ଓଡିଶାରେ ନୁହେଁ ସମଗ୍ର ଦେଶରେ ଏହି ସମସ୍ୟା ଲାଗି ରହିଛି । ଓଡିଶାରେ ଥିବା ଏମ୍‍ସ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାରେ ବି ବ୍ୟାପକ ସଂଖ୍ୟକ ପଦବୀ ଖାଲି ରହିଛି ।

ଦେଶର ଜନସଂଖ୍ୟା ୧୩୮କୋଟି ଥିବାବେଳେ ଏଯାବତ୍‍ ୩୮କୋଟି ଲୋକଙ୍କୁ ବି ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯାଇ ପାରିନାହିଁ । ବିଶ୍ୱବ୍ୟାଙ୍କ୍‍ର ରିପୋର୍ଟ ଅନୁଯାୟୀ ସାରା ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ବାର୍ଷିକ ୩୬ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଏହା ଦେଶର ଜିଡିପିର ୪ପ୍ରତିଶତରୁ କମ୍‍ । ଚିକିତ୍ସା ପାଇଁ ଯେତେ ଅର୍ଥ ଖର୍ଚ୍ଚ ହେଉଛି ତାହାର ୬୦ ପ୍ରତିଶତରୁ ଅଧିକ ସାଧାରଣ ଲୋକେ ନିଜ ପକେଟରୁ ବହନ କରୁଛନ୍ତି ।

ଓଡିଶାରେ ସରକାରୀ କ୍ଷେତ୍ରରେ ୮ଟି ମେଡିକାଲ କଲେଜ, ୩୨ଟି ଜିଲ୍ଲାସ୍ତରୀୟ ହସ୍ପିଟାଲ, ୨୭ଟି ସବଡିଭିଜନାଲ ହସ୍ପିଟାଲ, ୩୭୭ ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ୧୨୨୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮୬ଟି ଅନ୍ୟାନ୍ୟ ଡାକ୍ତରଖାନା ରହିଥିବାବେଳେ ୬୬୬୮ଟି ମେଡିକାଲ ସବ୍‍ସେଣ୍ଟର ଅଛି । ଏହାଛଡା ୪ଟି ହୋମିଓପାଥିକ ମେଡିକାଲ କଲେଜ, ୩ଟି ଆୟୁର୍ବେଦିକ ମେଡିକାଲ କଲେଜ, ୫୬୧ଟି ହୋମିଓପାଥିକ, ୯ଟି ୟୁନାନୀ ଓ ୬୧୯ଟି ଆୟୁର୍ବେଦିକ ଡିସ୍‍ପେନସରୀ ଏବଂ ଆଉ ଦୁଇଟି ଆୟୁର୍ବେଦିକ ହସ୍ପିଟାଲ ରହିଛି । ଏହାଛଡା ବେସରକାରୀ ସ୍ତରରେ ଛୋଟବଡ ଡାକ୍ତରଖାନା ଓ ମେଡିକାଲ କଲେଜମାନ ମଧ୍ୟ ଅଛି ।

ତେବେ ସମସ୍ତ ସରକାରୀ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ହୋମିଓପାଥିକ ଓ ଆର‌୍ୟୁବେଦିକ କଲେଜଗୁଡିକରେ ଅଢେଇ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ମେଡିକାଲ କଲେଜଗୁଡିକରେ ଶିକ୍ଷାଦାନ ଓ ଚିକିତ୍ସା କ୍ଷେତ୍ରରେ ସମସ୍ୟା ଲାଗିରହୁଛି । ମୋଟାମୋଟି ଭାବେ ପ୍ରାୟ ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । ଏମିତିକି ୨ଶହରୁ ଅଧିକ ସରକାରୀ ଡାକ୍ତରଖାନା ଏବଂ ଆୟୁର୍ବେଦିକ ଓ ହୋମିଓପାଥିକ ଡିସ୍‍ପେନସରୀରେ ଜଣେ ହେଲେ ଡାକ୍ତର ନଥିବା କୁହାଯାଉଛି । କେତେକ କ୍ଷେତ୍ରରେ ଜଣେ ଜଣେ ଡାକ୍ତରଙ୍କୁ ଏକାଧିକ ଡିସ୍‍ପେନସରୀ ଦାୟିତ୍ୱରେ ରଖାଯିବାରୁ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବ୍ୟାପକ ପଦବୀ ଖାଲି ସତ୍ୱେ ସରକାରୀ ଚିକିତ୍ସାନୁଷ୍ଠାନଗୁଡିକରେ ବର୍ଷକୁ ପାଖାପାଖି ୪କୋଟି ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ସରକାରୀ ଚିକିତ୍ସାକେନ୍ଦ୍ର ଗୁଡିକରେ ସବୁ ଡାକ୍ତର, ବିଶେଷଜ୍ଞ, ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଆଦି ପଦବୀ ସବୁ ପୂରଣ ହେଲେ ଏବଂ ଏଗୁଡିକରେ କୋଟି କୋଟି ଟଙ୍କା ବସାଯାଇଥିବା ଯନ୍ତ୍ରପାତି ସବୁ ଠିକଣା ଭାବେ କାର୍ଯ୍ୟକଲେ ଘରୋଇ ଡାକ୍ତରଖାନାଗୁଡିକରେ ସାଧାରଣ ଲୋକେ ବିପୁଳ ପରିମାଣର ଅର୍ଥ ତଣ୍ଡ ଗଣନ୍ତେ ନାହିଁ । (ତଥ୍ୟ)