Home Administration ୧୨ବର୍ଷ ପରେ ବି ମିଳୁନି ନିୟମିତ ପେନ୍‍ସନ୍‍

୧୨ବର୍ଷ ପରେ ବି ମିଳୁନି ନିୟମିତ ପେନ୍‍ସନ୍‍

ଭୁବନେଶ୍ୱର : ସରକାରୀ ଚାକିରିରୁ ଅବସର ଗ୍ରହଣର ପ୍ରାୟ ୧୨ବର୍ଷ ପରେ ମଧ୍ୟ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ନିୟମିତ ପେନ୍‍ସନ୍‍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁନାହିଁ । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଏବଂ ଅଦାଲତ ଅବମାନନା ମାମଲାରେ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଅମଲାତନ୍ତ୍ରର ନଥିତଳେ ସବୁ ଚାପି ହୋଇ ରହିଯାଇଛି ।

ହାଇକୋର୍ଟଙ୍କ ନିକଟରେ ଗୁହାରି କରିବା ପୂର୍ବରୁ ଜାନକୀ ଦାସ ନାମ୍ନୀ ଏହି ଅବସରପ୍ରାପ୍ତ ଭିନ୍ନକ୍ଷମ ସରକାରୀ କର୍ମଚାରୀ ଜଣକ ତଳୁ ଉପର ପର୍ଯ୍ୟନ୍ତ ପ୍ରଶାସନର ବିଭିନ୍ନ ଅଧିକାରୀଙ୍କ ନିକଟରେ ସମସ୍ୟା ସମାଧାନ ପାଇଁ ବାରମ୍ବାର ଗୁହାରି କରିଥିଲେ । ଶେଷରେ ନିଜ ବଞ୍ôଚବାର ଅଧିକାର ଲାଗି ସେ ଆଇନ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ସଂପୃକ୍ତ ମହିଳାଙ୍କ ସମସ୍ୟାର ତ୍ୱରିତ ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଏକାକୀ ଚଳାଚଳ କରିପାରୁନଥିବା ଏହି ୭୦ବର୍ଷ ବୟସ୍କା ଭିନ୍ନକ୍ଷମ ଅବସରପ୍ରାପ୍ତ ମହିଳା କର୍ମଚାରୀ କଷ୍ଟେମଷ୍ଟେ ବିଭିନ୍ନ ଦପ୍ତରକୁ ଦୌଡ଼ୁଥିବାବେଳେ ତାଙ୍କ ପ୍ରତି ଦରଦ ପ୍ରକାଶ କରିବା ପରିବର୍ତ୍ତେ ତାତ୍ସଲ୍ୟ କରି କେହି କେହି କହୁଛନ୍ତି ଯେ ଅଦାଲତରେ ୧୦ ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା ପଡ଼ିଛି । ଏ ସଂକ୍ରାନ୍ତରେ ଏବେ ଏହି ମହିଳା ଜଣକ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି ।

ଓଡ଼ିଶା ହାଇକୋର୍ଟ ଜାନକୀଙ୍କ ରିଟ୍‍ ପିଟିସନ୍‍ର ଫଇସଲା ୨୦୨୪ ଏପ୍ରିଲ ମାସରେ କରି ସୀମିତ ସମୟ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ତାଙ୍କୁ ନିୟମିତ ପେନ୍‍ସନ୍‍ ନମିଳିବାରୁ ସେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ୧୪/୦୨/୨୦୨୫ରେ ଏହି ଅଦାଲତ ଅବମାନନା ମାମଲା ଉପରେ ଓଡ଼ିଶା ହାଇକୋର୍ଟ ଅନ୍ୟ ଏକ ନିର୍ଦ୍ଦେଶ ଦେଇ ସୀମିତ ଅବଧି ଭିତରେ ଆବେଦନକାରିଣୀଙ୍କୁ ତାଙ୍କ ପ୍ରାପ୍ୟ ଦିଆନଗଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହା ଉଦ୍ଦେଶ୍ୟମୂଳକ ଅଦାଲତ ଅବମାନନା ବୋଲି ଗଣାଯାଇ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇ କୈଫିୟତ ଦେବାକୁ ପଡ଼ିବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଥିଲେ । ଏସବୁ ସତ୍ତ୍ୱେ ବି ଆବେଦନକାରିଣୀଙ୍କୁ ଏଯାବତ୍‍ ନିୟମିତ ପେନ୍‍ସନ୍‍ ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ ।

ସ୍ୱାସ୍ଥ୍ୟ ବିଭାଗର ପୂର୍ବତନ ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି ଯେ ଦରଦ ଓ ଇଚ୍ଛାଶକ୍ତି ଥିଲେ ଆଇନ୍‍ଗତ ବ୍ୟବସ୍ଥା ଭିତରେ ଆବେଦନକାରିଣୀଙ୍କୁ ନିୟମିତ ପେନ୍‍ସନ୍‍ ଓ ଅନ୍ୟାନ୍ୟ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯାଇପାରିବ । ସମ୍ଭବତଃ ବିଭାଗୀୟ ଶାସନ ସଚିବଙ୍କ ନଜରକୁ ଏହି ଘଟଣା ଠିକଣା ଭାବେ ଅଣାଯାଉନଥିବାରୁ ସମସ୍ୟା ବଢ଼ିବା ସହିତ ମାମଲା ବି ବଢ଼ୁଛି । ଅବସରଗ୍ରହଣ ଦିନରେ କର୍ମଚାରୀଙ୍କୁ ପେନ୍‍ସନ୍‍ ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାବେଳେ ଅବସର ଗ୍ରହଣର ୧୨ବର୍ଷ ପର୍ଯ୍ୟନ୍ତ ଜଣେ ଭିନ୍ନକ୍ଷମ ମହିଳା କର୍ମଚାରୀ ନିୟମିତ ପେନ୍‍ସନ୍‍ ନପାଇ ପ୍ରୋଭିଜନାଲ୍‍ ପେନ୍‍ସନ୍‍ରେ କିଭଳି ଛଟପଟ ହୋଇ ବଞ୍ଚୁଛନ୍ତି ତାହା ଅଦାଲତ ହୃଦୟଙ୍ଗମ କରୁଥିବା ବେଳେ କର୍ତ୍ତୃପକ୍ଷ କିଭଳି ନିଘୋଡ଼ ନିଦରେ ଶୋଉଛନ୍ତି ତାହା ଅନେକଙ୍କୁ ବିସ୍ମିତ କରୁଛି । (ତଥ୍ୟ)