Home Energy ୧୧୧୪ ଜଣ ସୌର ପ୍ରକଳ୍ପ ହିତାଧିକାରୀ

୧୧୧୪ ଜଣ ସୌର ପ୍ରକଳ୍ପ ହିତାଧିକାରୀ

ଭୁବନେଶ୍ୱର : ରାଜ୍ୟରେ ନିଜ ଘର ଛାତ ଉପରେ ୧୧୧୪ ଜଣ ସୌରଶକ୍ତି ପ୍ରକଳ୍ପ ବସାଇଛନ୍ତି । ଏଥିରୁ କେବଳ ୫୮୪ ଜଣ ଖୋର୍ଦ୍ଧା ଜିଲ୍ଲାରେ ରହିଥିବାବେଳେ ୫ଟି ଜିଲ୍ଲାରେ ଜଣେ ହେଲେ ହିତାଧିକାରୀଙ୍କ ଛାତ ଉପରେ ଏଭଳି ସୌରପ୍ରକଳ୍ପ ସ୍ଥାପିତ ହୋଇନାହିଁ ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଆଗ୍ରହୀ ଘରୋଇ ଉପଭୋକ୍ତାଙ୍କ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରି ସୌରଶକ୍ତି ଉତ୍ପାଦନ ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା କାର୍ଯ୍ୟକାରୀ ହେଉଛି ।

ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଦୁଇ କିଲୋୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ ଯଥାକ୍ରମେ ୩୦ହଜାର ଓ ୬୦ହଜାର ଟଙ୍କାର ସବସିଡ୍‍ ମିଳିବାର ବ୍ୟବସ୍ଥା ଥିବାବଳେ ୩ କିଲୋୱାଟ ପାଇଁ ଏହି ସବସିଡ୍‍ ସୀମା ୭୮ହଜାର ଟଙ୍କା ରହିଛି ।

ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ୧୧୧୪ ଜଣ ହିତାଧିକାରୀ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ବସିଥିବାବେଳେ ଏଥିବରୁ ୭.୨୮ ନିୟୁତ ୟୁନିଟ୍‍ ବିଜୁଳି ଉତ୍ପାଦନ କ୍ଷମତା ରହିଛି । ତେବେ ୧୧୧୪ ହିତାଧିକାରୀଙ୍କ ମଧ୍ୟର କେବଳ ଖୋର୍ଦ୍ଧା ଜିଲ୍ଲାରେ ୫୮୪ଟି ଥିବାବେଳେ କଟକରେ ୯୯, ସୁନ୍ଦରଗଡରେ ୮୪, ଗଞ୍ଜାମରେ ୭୫, ସମ୍ବଲପୁରରେ ୫୯ ଜଣ ହିତାଧିକାରୀ ରହିଛନ୍ତି ।

ତେବେ ନୟାଗଡ, ଦେବଗଡ, ନୂଆପଡା, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରେ ଜଣେ ହେଲେ କେହି ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ବସାଇନଥିବାବେଳେ ନବରଙ୍ଗପୁର, କନ୍ଧମାଳ, ସୋନପୁର, କେନ୍ଦ୍ରାପଡା ଭଳି ଜିଲ୍ଲାରେ ଜଣେ କରି ହିତାଧିକାରୀ ରହିଛନ୍ତି ଏବଂ ଜଗତ୍‍ସିଂହପୁର, କଳାହାଣ୍ଡି, ଓ ଗଜପତି ଜିଲ୍ଲାରେ ୩ଜଣ କରି ହିତାଧିକାରୀ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ବସାଇଛନ୍ତି ।