Home Judiciary ୧୧ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା

୧୧ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଏବେ ୧୧ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା ବିଚାରଧିନ ରହିଛି । ଏଥିରୁ ଅନେକରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବହୁ ପଦସ୍ଥ ଅଧିକାରୀ ବ୍ୟକ୍ତିଗତ ଭାବେ ପକ୍ଷଭୁକ୍ତ ହୋଇ ରହିଛନ୍ତି ।

ବଢି ଚାଲୁଥିବା ଅଦାଲତ ଅବମାନନା ମାମଲା ପରିପ୍ରେକ୍ଷୀରେ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ବାରମ୍ବାର ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ପଡୁଛି । କୁହାଯାଉଛି ଯେ ଆଇନ୍‍ ଅଦାଲତଙ୍କ ରାୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଳନ କରାଯାଉନଥିବାରୁ ଏଭଳି ସମସ୍ୟା ଉପୁଜୁଛି । ବଢି ଚାଲୁଥିବା ଅଦାଲତ ଅବମାନନା ମାମଲା ପରିପ୍ରେକ୍ଷୀରେ କିଛିଦିନ ତଳେ ଖୋଦ ମୁଖ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିବା ସହ ଦାୟିତ୍ୱ ସମ୍ପନ୍ନ ସରକାରୀ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ନିର୍ଦ୍ଧିଷ୍ଟ ସୂଚନା ସହ କୋର୍ଟରେ ଉପସ୍ଥିତ ରହିବାଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷ ବର୍ଷ ଧରି ଅଦାଲତ ଅବମାନନାମାମଲା ହାଇକୋର୍ଟରେ ଗଡି ଚାଲୁଥିବାବେଳେ ଏଥିରେ ପତିପକ୍ଷ ଥିବା ସରକାରୀ ଅଧିକାରୀମାନେ କାରଣ ଦର୍ଶାଅ ନୋଟିସ୍‍ର ଉତ୍ତର ଦାଖଲ କରୁନଥିବା ଏବଂ ସଂଖ୍ୟାଧିକ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିୟୋଜିତ ଓକିଲମାନେ ସୂଚନା ନଥିବାରୁ ସମୟ ମାଗୁଥିବା ଯୋଗୁଁ ଅଯଥାରେ ଅଦାଲତ ଅବମାନନା ମାମଲା ଫଏସଲାରେ ବିଳମ୍ବ ହେଉଛି ।

ଯେଉଁସବୁ ବ୍ୟାପାରରେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ଅନୁପାଳନ କରିବା ସମ୍ଭବପର ନୁହେଁ ସେ କ୍ଷେତ୍ରରେ ନିର୍ଦ୍ଧାରିତ ସମୟସୀମା ଭିତରେ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷ ଉଚ୍ଚ ଫୋରମରେ ରାୟ ବିରୁଦ୍ଧରେ ଅପିଲ ଆବେଦନ କରିବାପାଇଁ ଗତ ମଇ ମାସରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖିଥିଲେ । ଏମିତିକି ଅଦାଲତ ଅବମାନନା ମାମଲାର ଗମ୍ଭୀରତାକୁ ଉପଲବ୍ଧି କରି ମୁଖ୍ୟ ଶାସନ ସଚିବ ମଧ୍ୟ ବାରମ୍ବାର ତାଗିଦ କରୁଛନ୍ତି । ଏହା ସତ୍ୱେ ବି ଅଦାଲତ ଅବମାନନା ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।

ବରିଷ୍ଠ ଆଇନ୍‍ଜୀବୀ ଓ ଅବସରପ୍ରାପ୍ତ ପ୍ରଶାସକମାନେ କହୁଛନ୍ତି ଯେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶନାମାକୁ ଅନେକ କ୍ଷେତ୍ରରେ ବିଭିନ୍ନ ଦପ୍ତରରେ ଚପାଇ ରଖାଯାଉଛି । ଏମିତିକି ଅଦାଲତଙ୍କ ରାୟର ତର୍ଜମା କରିବା ପରିବର୍ତ୍ତେ ଏହାର ଆଂଶିକ କିମ୍ବା ତ୍ରୁଟିପୂର୍ଣ୍ଣ ଅନୁପାଳନ କରାଯିବା ଫଳରେ ଅଦାଲତ ଅବମାନନା ମାମଲା ବଢୁଛି । ଏହା ପ୍ରଶାସନକଳ ପାଇଁ ଆଦୌ ଶୁଭଙ୍କର ନୁହେଁ ।

ଆଇନ୍‍ ଅଦାଲତଙ୍କ ରାୟର ତର୍ଜମା, ଅନୁପାଳନ ଏବଂ ଅଦାଲତ ଅବମାନନା ମାମଲାଗୁଡିକର ସ୍ଥିତି ସମୀକ୍ଷା ଲାଗି ସାଧାରଣ ପ୍ରଶାସନ କିମ୍ବା ଆଇନ୍‍ ବିଭାଗ ନିୟନ୍ତ୍ରଣରେ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସେଲ୍‍ ଗଠନ କରିବା ସହ ମାମଲାଗୁଡିକର ନିୟମିତ ସମୀକ୍ଷା କରାଯିବା ଉପରେ ବିଧି ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରୁଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯେଉଁ ଅଧିକାରୀମାନେ ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବ୍ୟବସ୍ଥାର ମର୍ଯ୍ୟାଦା ବଢିବା ସହ ମାମଲାର ଚାପ ହ୍ରାସ ପାଇବ ବୋଲି କୁହାଯାଉଛି । ତେବେ ଓଡିଶା ସରକାର ଖୁବ୍‍ଶୀଘ୍ର ଆଇନ୍‍ କମିଶନ ଗଠନ କରିବାକୁ ଯାଉଥିବାବେଳେ କମିଶନ ଏ ଦିଗରେ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି । (ତଥ୍ୟ)