Home Administration ୧୧ରେ ମାଗଣା ନିଯୁକ୍ତି ମେଳା

୧୧ରେ ମାଗଣା ନିଯୁକ୍ତି ମେଳା

ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର ପକ୍ଷରୁ ଆସନ୍ତା ୧୧ ତାରିଖରେ ଏକ ମାଗଣା ନିଯୁକ୍ତି ମେଳା ଆୟୋଜନ କରାଯିବ।

ଅନୁସୂଚିତ ଜାତି ଓ ଜନଜାତି (ଏସସି ଓ ଏସଟି)ଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ରର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନସିଏସସିଡିଏର ଭୁବନେଶ୍ୱର ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ସମସ୍ତ ନିଯୁକ୍ତି ଆଶାୟୀମାନେ ଅଂଶଗ୍ରହଣ କରିପାରିବେ ।

ନିଯୁକ୍ତି ମେଳା ୧୧ ମାର୍ଚ୍ଚ, ୨୦୨୨ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଦଶମ କିମ୍ବା ତଦୁର୍ଦ୍ଧ୍ବ ଶିକ୍ଷାଗତ ଯୋଗ୍ୟତା ସହ ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ଲାଭ କରିଥିବା ପ୍ରାର୍ଥୀମାନେ ମ୍ୟାଟେରିଆଲ ହ୍ୟାଣ୍ଡଲିଂ, ଷ୍ଟୋର ପ୍ରମୋଟର, ପ୍ରୋସେସ ଆସୋସିଏଟ, ସେଲ୍ସ ଏକ୍‌ଜିକ୍ୟୁଟିଭ, ରିଲେସନସିପ ଅଫିସର, ଆକାଉଣ୍ଟାଣ୍ଟ, କନ୍ସଲଟାଣ୍ଟ, ଫିଲ୍ଡ କ୍ରେଡିଟ୍‌ ଅଫିସର ଆଦି ୭୦୦ରୁ ଅଧିକ ଭିନ୍ନ ଭିନ୍ନ ପଦବୀ ପାଇଁ ୧୦ରୁ ଅଧିକ କମ୍ପାନୀ/ଫାର୍ମ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପାଇଁ ଚୟନ କରିବେ ।

ଏହି ନିଯୁକ୍ତି ମେଳାରେ ଶିକ୍ଷାଗତ ଯୋଗ୍ୟତା, ଆଧାର କାର୍ଡର ଫଟୋ କପି, ବାୟୋଡାଟା ଏବଂ ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ ସହିତ ସମସ୍ତ ଆଶାୟୀ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।