Home General ୧୦ ଜିଲ୍ଲାରେ ହେବ ଟ୍ରକ ଟର୍ମିନାଲ

୧୦ ଜିଲ୍ଲାରେ ହେବ ଟ୍ରକ ଟର୍ମିନାଲ

ଭୁବନେଶ୍ୱର : ରାଜପଥ ପାଶ୍ୱର୍ରେ ବେଆଇନ୍‍ ଟ୍ରକ ପାର୍କିଂ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ଡିପିଆର ପ୍ରସ୍ତୁତ ସକାଶେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି ।

ଲେଖିଥିବା ପତ୍ରରେ ଶ୍ରୀମତୀ ପାଢୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଟ୍ରକ ଟର୍ମିନାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାପଥ ପାଶ୍ୱର୍ରେ ବେଆଇନ୍‍ ଟ୍ରକ ପାର୍କିଂ ସହିତ ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରକ ଟର୍ମିନାଲଗୁଡିକ ସୁନ୍ଦରଗଡ, କେନ୍ଦ୍ରାପଡା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ଗଞ୍ଜାମ, କେନ୍ଦୁଝର ଓ ଜଗତ୍‍ସିଂହପୁର ଜିଲ୍ଲାରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ଆବଶ୍ୟକ ଜମି ଚିହ୍ନଟ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଏଥିପାଇଁ କେନ୍ଦ୍ରରୁ ମିଳିଥିବା ସ୍ୱତନ୍ତ୍ର ସହାୟତା ଅର୍ଥରୁ ରାଜ୍ୟ ଅର୍ଥ ବିଭାଗ ୩୦୦ କୋଟି ଟଙ୍କା ଯୋଗାଇଦେବ । ପ୍ରତ୍ୟେକ ଟର୍ମିନାଲ ୧୦ ଏକର ଜମି ଉପରେ ନିର୍ମାଣ କରାଯିବ । ପ୍ରସ୍ତାବିତ ଟ୍ରକ ଟର୍ମିନାଲରେ ପାର୍କିଂ ଅଞ୍ଚଳ, ଶୌଚାଳୟ ସୁବିଧା ଥିବା ଶୟନାଗାର, ପାନୀୟଜଳ, ଡ୍ରାଇଭର ହେଲପରଙ୍କ ପାଇଁ ବିଶ୍ରାମଗୃହ, ଫୁଡ୍‍ ପ୍ଲାଜା, କ୍ୟାଣ୍ଟିନ, ଟ୍ରକ ମରାମତି ପାଇଁ ଗ୍ୟାରେଜ, ପ୍ରାଚୀର ସହିତ ଟ୍ରକ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ ।

ରାସ୍ତା ଉପରେ ଗାଡି ପାର୍କିଂକୁ ପ୍ରତିହତ କରିବା ସହିତ ଦୁର୍ଘଟଣା ହ୍ରାସ ହେଉଛି ଏହି ଟର୍ମିନାଲ ପ୍ରତିଷ୍ଠାର ମୁଖ୍ୟ ଲକ୍ଷ୍ୟ । ଏହି ଟର୍ମିନାଲରେ ଭାରିଯାନ ପାର୍କିଂ ପାଇଁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଉଲ୍ଲେଖନୀୟ ଯେ ୨୦୨୧ ରେ ହୋଇଥିବା ୫୦୮୧ ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟରୁ ପାଖପାଖି ୨୫ ପ୍ରତିାତ ରାଜପଥଗୁଡିକରେ ବେଆଇନ୍‍ ଗାଡି ପାର୍କିଂ ଯୋଗୁଁ ହୋଇଥିଲା ।

ଏହାବାଦ୍‍ ଡ୍ରାଇଭର ଏକତା ମହାସଂଘର ପ୍ରମୁଖ ଦାବି ପୂରଣ ପାଇଁ ମଧ୍ୟ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଉଲ୍ଲେଖନୀୟ ଯେ ଚଳିତବର୍ଷ ମାର୍ଚ୍ଚ ମାସରେ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପି ଆନ୍ଦୋଳନ ହୋଇଥିଲା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ଡ୍ରାଇଭର ମହାସଂଘ ପକ୍ଷରୁ ଆଲୋଚନା ସମୟରେ ସେମାନଙ୍କ ଦାବିଗୁଡିକୁ ସକରାତ୍ମକ ଭାବେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହିସବୁ ଦାବି ବାଦ୍‍ ରାଜ୍ୟ ସରକାର ଡ୍ରାଇଭରମାନଙ୍କ ସାମାଜିକ ସୁରକ୍ଷା ପାଇଁ ଗୋଟିଏ ‘ମଙ୍ଗଳ ବୋର୍ଡ’ ଗଠନର ଯୋଜନା କରିଥିବା ଜଣାଯାଇଛି । (ତଥ୍ୟ)