Home MSME ୧୦୪୨ ଏମଏସ୍‍ଏମଇରେ ତାଲା

୧୦୪୨ ଏମଏସ୍‍ଏମଇରେ ତାଲା

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଠାରୁ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇଥିବା ହଜାରେରୁ ଅଧିକ ଛୋଟ ଛୋଟ ଶିଳ୍ପ ସଂସ୍ଥାରେ ତାଲା । ଏହି ବନ୍ଦ ହୋଇଥିବା ଶିଳ୍ପସଂସ୍ଥା ମଧ୍ୟରୁ କେତେକ ସରକାରଙ୍କ ଠାରୁ ଶିଳ୍ପପାଇଁ ନେଇଥିବା ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ।

ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ରହିଛି ୧୩୫ଟି ଶିଳ୍ପାଞ୍ଚଳ । ଏହାର ଦାୟିତ୍ୱ ରହିଛି ଶିଳ୍ପ ବିକାଶ ନିଗମ (ଇଡ୍‍କୋ) ହାତରେ । ଏଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ସକାଶେ ୬୫୦୪ଟି ଶିଳ୍ପସଂସ୍ଥାକୁ ୭୨୯୫ ଏକର ପରିମିତ ଜମି ଯୋଗାଇ ଦିଆଯାଇଥିଲା । ଲକ୍ଷ୍ୟ ଥିଲା ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଅର୍ଥନୀତି ସମୃଦ୍ଧ ହେବା ସହିତ ଅଧିକରୁ ଅଧିକ ଲୋକ କର୍ମସଂସ୍ଥାନ ପାଇପାରିବେ ।

ତେବେ ଇତି ମଧ୍ୟରେ ଜମି ନେଇ ଶିଳ୍ପ ସ୍ଥାପନ କରିଥିବା ୬୫୦୪ ସଂସ୍ଥା ମଧ୍ୟରୁ ୧୦୪୨ଟି ଶିଳ୍ପସଂସ୍ଥାରେ ତାଲା ଝୁଲି ଗଲାଣି । ବିଭିନ୍ନ କାରଣ ଯୋଗୁଁ ବନ୍ଦ ହୋଇଥିବା ଏହି ଶିଳ୍ପସଂସ୍ଥା ମଧ୍ୟରୁ ୪୧୬ଟି ସଂସ୍ଥା ନେଇଥିବା ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିଦେଇଛନ୍ତି । ଅନ୍ୟ ୫୭୩ଟି ସଂସ୍ଥା ନିଜର ଶିଳ୍ପକୁ ବନ୍ଦକରି ଥିଲେ ମଧ୍ୟ ଜମି ନଛାଡି ତାହାକୁ ସେହିଭଳି ରଖିଛନ୍ତି ।

ଶିଳ୍ପକୁ ପ୍ରୋତ୍ସାହନ ପାଇଁ ସରକାର ଯୋଗାଇ ଦେଇଥିବା ଜମିକୁ କିଭଳି ଶିଳ୍ପସଂସ୍ଥାମାନେ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ତାହାର ଉଦାହରଣ ଦେଖିବାପାଇଁ ବେଶି ଦୂର ଯିବା ଦରକାର ନାହିଁ । ଜଣେ କେହି ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦକା ଶିଳ୍ପାଞ୍ଚଳ କିମ୍ବା ମଞ୍ଚେଶ୍ୱର ଶିଳ୍ପାଞ୍ଚଳକୁ ଗଲେ ଏହା ସହଜରେ ଦେଖିପାରିବେ । ଚନ୍ଦକା ଶିଳ୍ପାଞ୍ଚଳରେ ଏକାଧିକ ଶିକ୍ଷାନୁଷ୍ଠାନର ନିଜର ପସରା ଖୋଲିଥିବାବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଆବାସିକ ଘର ଗଢି ଉଠିଲାଣି । ଏଠାରେ ଏବେ ଶିଳ୍ପସଂସ୍ଥା ବଦଳରେ ଅଧିକାଂଶ ଗୋଦାମଘର ଦେଖିବାକ ମିଳୁଛି । ଉଭୟ ଶିଳ୍ପସଂସ୍ଥା ସହରତଳି ଅଞ୍ଚଳରେ ହୋଇଥିବାରୁ ବଡ ବଡ ବ୍ୟବସାୟିକ ସଂସ୍ଥାମାନେ ଶିଳ୍ପପାଇଁ ତିଆରି ହୋଇଥିବା ଘରେ ନିଜର ଗୋଦାମ କରିବାକୁ ପସନ୍ଦ କରୁଛନ୍ତି ।

ତେବେ ଶିଳ୍ପ ପାଇଁ ଜମି ନେଇ ତାହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା କିମ୍ବା ଜମିକୁ ଖାଲି ପକାଇ ରଖିବା ଇଡ୍‍କୋର ନିୟମ ଅନୁଯାୟୀ ବେଆଇନ୍‍ । ଏଭଳି ସଂସ୍ଥାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍‍ ଜାରି ରହିଛି ଆବଣ୍ଟନ ରଦ୍ଦ ଓ ଓପିପିଇ ମାମଲା ରୁଜୁ କରାଯାଉଛି । ତଥାପି ଅନେକ ଶିଳ୍ପସଂସ୍ଥା ଗଳାବାଟ ଦେଇ ସରକାରଙ୍କ ଠାରୁ ନେଇଥିବା ମୂଲ୍ୟବାନ୍‍ ଜମିକୁ ଫେରାଇ ରାଜି ନୁହନ୍ତି ।

ଏଥିଯୋଗୁଁ କେବଳ ରାଜ୍ୟରେ ଶିଳ୍ପ ପ୍ରଭାବିତ ହେଉନାହିଁ, ଯେଉଁ ଆଗ୍ରହୀ ଯୁବଗୋଷ୍ଠି ନୂତନ ଶିଳ୍ପ ଓ ଷ୍ଟର୍ଟଅପ୍‍ ପ୍ରତିଷ୍ଠା ପାଇଁ ଆଗେଇ ଆସୁଛନ୍ତି ସେମାନଙ୍କ ଶିଳ୍ପାଞ୍ଚଳରେ ଜମି ଖଣ୍ଡିଏ ମିଳିପାରୁ ନାହିଁ । ତେଣୁ ନିଜ ନିଜର ଶିଳ୍ପରେ ତାଲା ଝୁଲାଇଥିବା ସଂସ୍ଥାର ଜମିକୁ ତୁରନ୍ତ ଫେରାଇ ଆଣି ନୂଆ ଶିଳ୍ପପତିମାନଙ୍କୁ ଦେବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)