ଭୁବନେଶ୍ୱର : ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୁରଭଞ୍ଜରେ ୨୫ ଲକ୍ଷ ୧ ହଜାର, ଜଗତସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।
ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୦ କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି ।
ବାଲେଶ୍ୱର ଜିଲ୍ଲାରେ ଲଗାତାର ୬ଷ୍ଠ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ‘ମୋ ସ୍କୁଲ୍’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଥିବା ବେଳେ ପ୍ରଧାନଶିକ୍ଷକମାନଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଗାଇଡାନ୍ସ ନୋଟ୍ ପ୍ରସ୍ତୁତ କରାଯାଇଛି ।
ଗତ ମେ’ ମାସରେ ୮୪୪ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ନିଜ ସ୍କୁଲ୍ର ମେଣ୍ଟର, ସମ୍ପୃକ୍ତ ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଭର୍ଚୁଆଲ ବୈଠକର ଆୟୋଜନ କରିଛନ୍ତି । ଏହି ବୈଠକରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୧୪ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ, ମେଣ୍ଟର ଏବଂ ଅନ୍ୟମାନେ ଅଂଶଗ୍ରହଣ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’ରେ ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସ୍ମାର୍ଟ କ୍ଲାସ୍ରୁମ୍ ସହ ଡିଜିଟାଲ କଣ୍ଟେଣ୍ଟ୍, ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବାକୁ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା, ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ଭର୍ଚୁଆଲ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
ସେହିଭଳି ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’ ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ସମସ୍ତ ୧ ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିଖାଇବାକୁ ପ୍ରତ୍ୟେକ ବିଦ୍ୟାଳୟରେ ‘କୋଡ୍ କ୍ଲବ୍’ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତିତ୍ତ ନିଆଯାଇଛି ।
କୋଭିଡ୍ ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନଙ୍କର ପଢିବା ଅଭ୍ୟାସ ବିଶେଷଭାବେ ପ୍ରଭାବିତ ହୋଇଛି । ଏଭଳିସ୍ଥଳେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍’ ଦ୍ୱାରା ୧୦ ହଜାର ଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଥିଲା ।
ରାଜ୍ୟରେ ଲକ୍ଡାଉନ୍ ପରିସ୍ଥିତି କୋହଳ ହେବା ପରେ ଏହି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତିତ୍ତ ନିଆଯାଇଛି । ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ୍ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସ୍ୱତନ୍ତ୍ର ଅଡିଟର୍ମାନଙ୍କୁ ନିୟୋଜିତ କରାଯାଇଛି ।