ଭୁବନେଶ୍ୱର : ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ପାଇଁ ୧୦ବର୍ଷ ଧରି ଜମି ଚିହ୍ନଟ ହୋଇପାରୁ ନାହିଁ । ଫଳରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନୂଆ କ୍ୟାମ୍ପସ ଦେଖିପାରୁନଥିବାବେଳେ ପୁରୁଣା କଲେଜ କ୍ୟାମ୍ପସରେ ଚାଲୁଥିବା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଖେଳିବାକୁ ପଡିଆଟିଏ ପାଉନାହାନ୍ତି ।
ଷାଠିଏ ବର୍ଷ ତଳେ ସରକାରୀ ମହିଳା ମହାବିଦ୍ୟାଳୟ ଭୁବନେଶ୍ୱର ପ୍ରତିଷ୍ଠା କରାଯାଇଥିଲା । ରାଜଧାନୀର ତିନି ନମ୍ବର ଓ ଏକ ନମ୍ବର ୟୁନିଟ୍ରେ ଚାଲିବାପରେ ଏହି ମହିଳା କଲେଜ ରୁପାଲି ଛକ ନିକଟବର୍ତ୍ତୀ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ସେତେବେଳର ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଶିକ୍ଷାମନ୍ତ୍ରୀ ବନମାଳି ପଟ୍ଟନାୟକଙ୍କ ଆଗ୍ରହ କ୍ରମେ ଏହି ଉଚ୍ଚଶିକ୍ଷାନୁଷ୍ଠାନର ନାମ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ନାରୀ ଜାଗରଣ କ୍ଷେତ୍ରର ଅଗ୍ରଗଣ୍ୟ ନେତ୍ରୀ ମା’ ରମାଦେବୀଙ୍କ ନାମରେ ନାମିତ କରାଯାଇଥିଲା ।
ରମାଦେବୀ ମହିଳା କଲେଜକୁ ପରବର୍ତ୍ତୀ ସମୟରେ ସ୍ୱୟଂଶାସିତ ମର୍ଯ୍ୟାଦା ମିଳିଥିଲା ଏବଂ ସେତେବେଳେ ଏହି କଲେଜ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇବା ସହିତ ନାକ୍ରେ ମଧ୍ୟ ଉଚ୍ଚସ୍ତରର ଗ୍ରେଡିଂ ହାସଲ କରିଥିଲା । ୨୦୧୫ ମସିହାରେ ଏହି ସ୍ୱୟଂଶାସିତ ମହିଳା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବା ପରେ ଏହା ସହିତ ୪୮ଟି ମହିଳା କଲେଜକୁ ଅନୁବନ୍ଧିତ କରି ରଖାଯାଇଛି ।
ଯେଉଁ ସ୍ଥାନରେ ରମାଦେବୀ ମହିଳା କଲେଜ ଚାଲୁଥିଲା ସେହି ପରିସରରେ ବିଶ୍ୱବିଦ୍ୟାଳୟ ମଧ୍ୟ କାମ କରୁଛି । ଏହାଛଡା ଏଠାରେ ବି ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ଚାଲୁଛି । ଏବେ ଯୁକ୍ତ ଦୁଇ, ସ୍ନାତକ, ସ୍ନାତକୋତ୍ତର, ପିଏଚ୍ଡି ଆଦି ବିଭିନ୍ନ ପାଠ୍ୟକ୍ରମରେ ପ୍ରାୟ ୪ହଜାର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଶ୍ୱବିଦ୍ୟାଳୟ ହେବାପରେ ଏଠାରେ ଥିବା ପିଲାମାନଙ୍କ ଜିମ୍ନାଷ୍ଟିକ ସେଣ୍ଟରକୁ ପରୀକ୍ଷାଖାତା ସଂରକ୍ଷଣଗୃହରେ ପରିଣତ କରାଯିବାରୁ ଜିମ୍ନାଷ୍ଟିକ୍ର ସରଞ୍ଜାମଗୁଡିକ କବାଡିଖାନାକୁ ଚାଲିଯାଇଛି ।
୨୬ଏକର ଜମି ଉପରେ ଥିବା ଏହି କଲେଜ ପରିସରରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ସୌଧ ସମେତ ଅଡିଟୋରିୟମ ଆଦି ନିର୍ମାଣ କରାଯିବା ଫଳରେ ଏଠାରେ ଆଉ ଛାତ୍ରୀମାନଙ୍କ ଖେଳିବା ଲାଗି ଇଞ୍ଚେ ଜାଗା ନାହିଁ । ଏମିତିକି ବିଶ୍ୱବିଦ୍ୟାଳୟ ପରିସରରେ କ୍ୟାଣ୍ଟିନଟିଏ ନଥିବାରୁ ଛାତ୍ରୀମାନଙ୍କୁ ବାହାରକୁ ଯିବାକୁ ପଡୁଛି । ଏଭଳି ସ୍ଥିତିରେ ଏଠାରେ ଥିବା ଛାତ୍ରୀନିବାସ ଏକ ପ୍ରକାର ସଙ୍କୁଚିତ ଅବସ୍ଥାରେ ପଡିଛି । ଏଭଳି ଦୟନୀୟ ସ୍ଥିତି ଘେନି ନାକ୍ ପରିଦର୍ଶନକାରୀଦଳ ଅସନ୍ତୋଷ ବ୍ୟକ୍ତ କରିବା ସଂଗେ ସଂଗେ ରାଜ୍ୟର ଏହି ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟକୁ ନିମ୍ନମାନର ରେଟିଂ ଦେଇଛନ୍ତି ।
ବିଶ୍ୱବିଦ୍ୟାଳୟର ଏବେ ନିୟମିତ କୁଳପତି ନାହାନ୍ତି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷଙ୍କୁ ଏଠାରେ ଅସ୍ଥାୟୀ କୁଳପତି ଭାବେ ରଖାଯାଇଛି । ବିଶ୍ୱବିଦ୍ୟାଳୟର ପ୍ରାୟ ସମସ୍ତ ବିଷୟରେ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଆଦି ମାଳ ମାଳ ପଦବୀ ଖାଲି ପଡିଛି । ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି କ୍ଷେତ୍ର ମଧ୍ୟ ତଦ୍ରୁପ । ଏଭଳି ସ୍ଥିତିରେ ୧୦ବର୍ଷ ଧରି ରାଜଧାନୀ ଓ ତାହାର ଆଖପାଖ ଅଞ୍ଚଳରେ ଏହି ମହିଳା ବିଶ୍ୱବିଦ୍ୟାଳୟ ଲାଗି ଜମି ଖୋଜା ଚାଲିଥିବା କୁହାଯାଉଥିଲେ ବି ଏଯାବତ୍ ଖଣ୍ଡେ ଜମି ଉପରେ ଚୂଡାନ୍ତ ମୋହର ବସିପାରୁ ନାହିଁ । ବିଶ୍ୱବିଦ୍ୟାଳ ସମ୍ମୁଖରେ ଯାଇଥିବା ରାସ୍ତାରେ ପ୍ରାୟ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଥିବାବେଳେ ଏଠାରେ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ପ୍ରାୟ ୧୪ବର୍ଷ ତଳେ ନଗର ଉନ୍ନୟନ ବିଭାଗ ଓ ବିଏମ୍ସି କରିଥିବା ଶିଳାନ୍ୟାସ ଫଳକ ପାଖରେ କିଛି କାମ ବି ହୋଇନାହିଁ । ତୁରନ୍ତ ଏହି ବିଶ୍ୱବିଦ୍ୟାଳୟ ପାଇଁ ଜମି ଯୋଗାଇଦେବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଦାବି ହେଉଛି । (ତଥ୍ୟ)