ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୮୫୭ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧି ରୋଗରେ ପଡି ମରିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।
ବିଜେପି ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ହାତୀ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ବର୍ଷରେ ମୃତ୍ୟୁବରଣ କରିଥିବା ୮୫୭ଟି ହାତୀ ମଧ୍ୟରୁ ସର୍ବାଧିକ ୩୦୭ଟି ହାତୀ ରୋଗରେ ପଡି ମରିଥିବାବେଳେ ୨୨୯ଟି ହାତୀ ପ୍ରାକୃତିକ କାରଣରୁ, ୧୪୯ଟି ହାତୀ ବିଦ୍ୟୁତ୍ ଆଘାତରୁ, ୩୦ଟି ଶିକାରୀଙ୍କ ହାତରେ, ୨ଟି ବିଷ ପ୍ରୟୋଗରେ, ୭ଟି ସଡକ ଦୁର୍ଘଟଣାରେ, ୧୬ଟି ପ୍ରତିହିଂସା ପରାୟଣହୋଇ ମରିଥିବାବେଳେ ୯୦ଟି ହାତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପ୍ରାକୃତିକ ହାତୀ ମୃତ୍ୟୁ କାରଣ ମଧ୍ୟରେ ହାତୀଙ୍କ ମଝରେ ଲଢେଇ, ଦଳି ହୋଇ, ପାହାଡରୁ ପଡି, ନାଳ ବା କାଦୁଅରେ ପଡି ଏବଂ ଅଂଶୁଘାତ ଇତ୍ୟାଦି ।
ମନ୍ତ୍ରୀ କହିଛନ୍ତି ଯେ ୨୦୧୫ ମସିହାରେ ରାଜ୍ୟର ୫୧ଟି ବନଖଣ୍ଡରେ ୧୯୫୪ଟି ହାତୀ ଥିବାବେଳେ ୨୦୧୭ ମସିହାରେ ଏହି ସଂଖ୍ୟା ୧୯୭୬ରେ ପହଞ୍ଚିଥିଲା । ସେହିଭଳି ୨୦୨୪ ମସିହା ମଇ ମାସରେ ରାଜ୍ୟରେ ହାତୀ ସଂଖ୍ୟା ୨୦୯୮ ଥିବାବେଳେ ନଭେମ୍ବର ସୁଦ୍ଧା ଏହା ୨୧୦୩ ରେ ପହଞ୍ଚିଛି । ସର୍ବାଧିକ ୨୯୧ହାତୀ ଢେଙ୍କାନାଳ ବନଖଣ୍ଡରେ ଥିବାବେଳେ କେନ୍ଦୁଝର ବନଖଣ୍ଡରେ ୧୬୦, ଆଠଗଡରେ ୧୨୪, ଦେବଗଡରେ ୧୨୩, ଅନୁଗୁଳରେ ୧୧୭, ବାରିପଦାରେ ୧୧୨ ଓ ଶିମିଳିପାଳରେ ୧୦୩ ରହିଛି । (ତଥ୍ୟ)