Home Education ୧୦ବର୍ଷରେ ୧୩ ନୂଆ ସରକାରୀ କଲେଜ

୧୦ବର୍ଷରେ ୧୩ ନୂଆ ସରକାରୀ କଲେଜ

ଭୁବନେଶ୍ୱର : ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ୩୫୨ଟି ନୂଆ କଲେଜ ଖୋଲିଥିବାବେଳେ ଏଥି ମଧ୍ୟରେ ସରକାରୀ କଲେଜ ସଂଖ୍ୟା ରହିଛି ମାତ୍ର ୧୩ଟି । ନୂଆକରି ଖୋଲିଥିବା କଲେଜ ମଧ୍ୟରେ ସର୍ବାଧିକ ସଂଖ୍ୟକ ରହିଛି ଅଣଅନୁଦାନପ୍ରାପ୍ତ କଲେଜ ।

କଲେଜ ପ୍ରତିଷ୍ଠା ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ୨୦୧୩-୧୪ ମସିହାରେ ରାଜ୍ୟରେ ୬୯୫ଟି କଲେଜ ଥିବାବେଳେ ସେଥି ମଧ୍ୟରେ ସରକାରୀ କଲେଜ ସଂଖ୍ୟା ଥିଲା ୪୩ଟି । ତେବେ ୨୦୨୩-୨୪ ମସିହାରେ ମୋଟ କଲେଜ ସଂଖ୍ୟା ୧୦୪୭ରେ ପହଞ୍ଚି ଥିବାବେଳେ ସରକାରୀ କଲେଜ ସଂଖ୍ୟା ୫୬ରେ ପହଞ୍ଚିଛି । ତେବେ ଏହି ସମୟରେ ୩୩୯ଟି ନୂଆ ବେସରକାରୀ କଲେଜ ଗଢି ଉଠିଛି ।

ତେବେ ସରକାରୀ କଲେଜ ସଂଖ୍ୟା ୧୦ବର୍ଷରେ ମାତ୍ର ୧୩ଟି ବଢିଥିବାବେଳେ ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କିନ୍ତୁ ଦୁଇଗୁଣରୁ ଅଧିକ ବଢିଛି । ୨୦୧୩-୧୪ରେ ୪୩ଟି ସରକାରୀ କଲେଜରେ ୧୭,୨୪୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ୨୦୨୩-୨୪ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫ ହଜାରକୁ ଅତିକ୍ରମ କରିଯାଇଛି । ଏହି ସମସ୍ତ ଛାତ୍ରଛାତ୍ରୀ ଏବେ ୫୬ଟି ସରକାରୀ କଲେଜରେ ପାଠ ପଢୁଛନ୍ତି ।

ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ କଲେଜ ସଂଖ୍ୟା ଦଶ ବର୍ଷ ମଧ୍ୟରେ ୨୮୬ରୁ ୩୦୪କୁ ବୃଦ୍ଧି ପାଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଏହି ସମୟରେ ୭୬,୮୮୩ ରୁ ୮୦,୧୭୭କୁ ବଢିଛି । ତେବେ ୨୦୨୧-୨୨ ବର୍ଷରେ ଏହି ବର୍ଗରକଲେଜରେ ସର୍ବାଧିକ ୮୬ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିଲେ ।

ସେହିଭଳି ୨୦୧୩-୧୪ ବର୍ଷରେ ରାଜ୍ୟରେ ଅନୁଦାନପ୍ରାପ୍ତ ୬୬୨ ବର୍ଗର ୨୮୨ ଟି କଲେଜ ଥିବାବେଳେ ଦଶ ବର୍ଷ ମଧ୍ୟରେ ତାହା ୩୪୩କୁ ବୃଦ୍ଧି ପାଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ୪୩ ହଜାରରୁ ୨୦୧୫-୧୬ ରେ ୫୫ହଜାରକୁ ବୃଦ୍ଧି ପାଇଥିଲା । ତେବେ ୨୦୨୩-୨୪ ବର୍ଷରେ ଏହି ବର୍ଗର କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୮,୭୯୮ ରହିଛି ।

ଅଣଅନୁଦାନପ୍ରାପ୍ତ କଲେଜ ସଂଖ୍ୟା କିନ୍ତୁ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି । ୨୦୧୩-୧୪ ବର୍ଷରେ ରାଜ୍ୟରେ ଏହି ଧରଣର ୮୪ଟି କଲେଜ ଥିବାବେଳେ ୨୦୨୩-୨୪ ରେ ତାହା ୩୩୭କୁ ବୃଦ୍ଧି ପାଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଏହି ସମୟରେ ୭୩୨୨ ରୁ ବୃଦ୍ଧି ପାଇଁ ୨୫ ହଜାରକୁ ଅତିକ୍ରମ କରିଯାଇଛି ।

ରାଜ୍ୟରେ କମ୍‍ ସଂଖ୍ୟାରେ ସରକାରୀ କଲେଜ ରହିବା ଯୋଗୁଁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଅନୁଦାନପ୍ରାପ୍ତ ଓ ଅଣୁଅନୁଦାନପ୍ରାପ୍ତ କଲେଜରେ ପାଠ ପଢିବାକୁ ବାଧ୍ୟ ହୋଇଛନ୍ତି । ଏହିସବୁ କଲେଜରେ ପାଠପଢାଖର୍ଚ୍ଚ ସରକାରୀ କଲେଜ ତୁଳନାରେ ଢେର ଅଧିକ । ତେଣୁ ସରକାରୀ କଲେଜରେ ପିଲା ସିଟ୍‍ଟିଏ ପାଉନଥିବାବେଳେ ଏହିସବୁ କଲେଜରେ କିନ୍ତୁ ଆସନ ଖାଲି ପଡୁଛି ।

ଅନ୍ୟ ପକ୍ଷରେ ସରକାରୀ କଲେଜଗୁଡିକରେ ଶିକ୍ଷକ ଅଭାବ ନୂଆ ସମସ୍ୟା ଭାବେ ଉଭା ହୋଇଛି । ଠିକା ଶିକ୍ଷକଙ୍କ ଦ୍ୱାରା କୌଣସି ପ୍ରକାରେ ପାଠପଢା କାମ ଚାଲୁଥିବାବେଳେ ଅଦାଲତି ମାମଲାର ଆଳ ଦେଖାଇ ସରକାରୀ ନୂଆ ଅଧ୍ୟାପକ ନିଯୁକ୍ତ କରୁ ନାହାନ୍ତି । ଏଥିଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଘରୋଇ କଲେଜ ମୁହାଁ ହେଉଛନ୍ତି । (ତଥ୍ୟ)