ଭୁବନେଶ୍ୱର : ରାଜ୍ୟରେ ଗୁଟ୍ଖା ଓ ପାନମସଲା ଉପରେ ଜାରି କଟକଣାକୁ ଇତି ମଧ୍ୟରେ ୧୦ବର୍ଷ ହେଲାଣି । ଏହି ସମୟରେ ରାଜ୍ୟରେ ଗୁଟ୍ଖା ଓ ପାନମସଲା ବିକ୍ରି ତ ବନ୍ଦ ହୋଇପାରିଲା ନାହିଁ, ବରଂ ସରକାର ଏ ବାବଦରେ ବର୍ଷକୁ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇଲେ ।
୨୦୧୩ ମସିହା ଜାନୁୟାରୀ ୩ତାରିଖରେ ଗୁଟ୍ଖା ଓ ପାନମସଲା ଉପରେ ଜାରି କଟକଣା ସଂକ୍ରାନ୍ତୀୟ ବିଜ୍ଞପ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିଲା । ଏହି ବିଜ୍ଞପ୍ତି ଅନୁଯାୟୀ ନିକୋଟିନ୍ ଯୁକ୍ତ ପାନମସଲାର ପ୍ରସ୍ତୁତି ଓ ବିକ୍ରି ଉପରେ କଡା କଟକଣା ଲାଗିଥିଲା । ଖାଦ୍ୟ ସୁରକ୍ଷା ଏବଂ ମାନକ ସଙ୍କଳ୍ପ ୨୦୧୧ର ଧାରା ୨,୩ ଓ ୪ ଆଧାରରେ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ଲାଗୁ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ ଟବାକୋ ଓ ନିକୋଟିନ୍ ଯୁକ୍ତ ପାନମସଲା ଖାଇବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ତେଣୁ ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ପ୍ରସ୍ତୁତି ଓ ବିକ୍ରି ଉପରେ ବିଜ୍ଞପ୍ତି ଜାରି ଦିନ ଠାରୁ କଟକଣା ଲାଗିଲା ।
ତେବେ ଇତି ମଧ୍ୟରେ କଟକଣାକୁ ୧୦ବର୍ଷ ଚାଲିଥିବାବେଳେ ରାଜ୍ୟରେ ଏହା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ପୂର୍ବରୁ ଦୋକାନୀମାନେ ଲୁଚାଛପାରେ ଏହାକୁ ବିକ୍ରି କରୁଥିବାବେଳେ ଏବେ ଖୁଲମଖୁଲା ବିକ୍ରି କରୁଛନ୍ତି । ରାଜ୍ୟ ବାହାରର ବ୍ୟବସାୟୀମାନେ ଓଡିଶାକୁ ପୂର୍ବରୁ ଯେତିକି ପରିମାଣରେ ବିଭିନ୍ନ ନାମରେ ଗୁଟ୍ଖା ଓ ପାନମସଲା ଛାଡୁଥିଲେ ଏବେ ତାହା ଢେର ବଢିଯାଇଛି ।
ରାଜ୍ୟ ସରକାର କଟକଣା ଲଗାଇବା ପୂର୍ବରୁ ଏହି ସାମଗ୍ରୀ ଉପରୁ ଟିକସ ଆଦାୟ କରୁଥିଲେ । ଏଥିରୁ ରାଜକୋଷକୁ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ଆସୁଥିଲା । ହେଲେ ୨୦୧୩ ମସିହାରେ କଟକଣା ଲଗାଇବା ପରେ ଏଥିରୁ ଆଉ ଟିକସ ମିଳିଲା ନାହିଁ । ବ୍ୟବସାୟୀମାନେ ବିନା ଟିକସରେ ବେଧଡକ ଭାବେ ଏହାକୁ ବେପାର କରିବାରେ ଲାଗିଛନ୍ତି ।
ରାଜ୍ୟରେ ଗୁଟ୍ଖା ପ୍ରସ୍ତୁତି ସମେତ ଅବାଧ ବିକ୍ରିକୁ ସମସ୍ତେ ଦେଖୁଛନ୍ତି । ହେଲେ ଧର୍ମକୁ ଆଖିଠାର ମାରିଲା ଭଳି ସରକାରୀ କଟକଣାକୁ କେହି କାର୍ଯ୍ୟକାରୀ କରୁନାହାନ୍ତି । ଏପରିକି ଏହାର ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ଅନେକ ଗୁଟ୍ଖା ସେବନ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟାନ୍ୟ ସ୍ଥାନ ତ ଦୂରରକଥା ଖୋଦ ଲୋକସେବାଭବନ ଆଖପାଖରେ ଗୁଟ୍ଖା ଓ ପାନମସଲା ସମେତ ବିଡି ସିଗାରେଟ ଆଦିର ଅବାଧ ବିକ୍ରି ଓ ସେବନ ଚାଲିଛି ।
ରାଜ୍ୟ ବାହାରର ଗୁଟ୍ଖା ପ୍ରସ୍ତୁତକର୍ତ୍ତାମାନେ ଦୈନିକ ଟ୍ରକ ଟ୍ରକ ଗୁଟ୍ଖା ଓ ପାନମସଲା ଓଡିଶାକୁ ବଜାରକୁ ଛାଡୁଛନ୍ତି । ରାଜ୍ୟର ଯୁବକଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହାକୁ ସେବନ କରି ମୁଖଗହ୍ୱର କର୍କଟ ଭଳି ମାରାତ୍ମକ ବ୍ୟାଧିରେ ପଡୁଛନ୍ତି । ହେଲେ ସରକାରଙ୍କ କଟକଣାକୁ କାର୍ଯ୍ୟକାରୀ କରିବାପାଇଁ କାହାର ଆଗ୍ରହ ନାହିଁ । ମଝିରେ ମଝିରେ ଧର୍ମକୁ ଆଖିଠାର ମାରିବା ଭଳି କିଛି ପାନ ଦୋକାନରେ ଚଢଉ କରି ଗୁଟ୍ଖା ଜରି ଜବତ କରିବାର ସଚିତ୍ର ଖବର ଗଣମାଧ୍ୟମରେ ଛାଡି ଦେଇ କର୍ତ୍ତୃପକ୍ଷ ନିଜର ଦାୟିତ୍ୱ ସାରି ଦେଉଛନ୍ତି ।
ଅନ୍ୟ ପକ୍ଷରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ରାଜ୍ୟରେ ସର୍ବସାଧାରଣ ସ୍ଥାନ ବିଶେଷକରି ଶିକ୍ଷାନୁଷ୍ଠାନଗୁଡିକ ନିକଟରେ ଗୁଟ୍ଖା ପାନମସଲାର ଅବାଧ ବିକ୍ରି ଯୋଗୁଁ ଛାତ୍ରଛାତ୍ରୀମାନେ ଏହାକୁ ଅଧିକରୁ ଅଧିକ ମାତ୍ରାରେ ସେବନ କରୁଛନ୍ତି । ତେଣୁ ଗୋଟିଏ ପଟେ ରାଜ୍ୟର ଯୁବଗୋଷ୍ଠି ଭୟଙ୍କର ରୋଗରେ ପୀଡିତ ହେବା ଓ ଅନ୍ୟ ପଟେ ରାଜ୍ୟ ସରକାର ବିପୁଳ ରାଜସ୍ୱ ହରାଉଥିବାରୁ ରାଜ୍ୟ ସରକାର ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନହେଲେ ଏହାକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)