ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୦ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୫୧୭୦ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ ଓ ଆର୍ଥିକ ଦକ୍ଷତା ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଆଲୁମିନିଅମ୍ ଓ ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍, ଅଣପାରମ୍ପରିକ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍, ବୈଦୁତିକ ପଦାର୍ଥ ଉତ୍ପାଦନ, ଭିତ୍ତିଭୂମି, ପର୍ଯ୍ୟଟନ, ବୈଷୟିକ ବୟନ, ରସାୟନ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ସମୟାନୁବନ୍ଧିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ଓ ଜଳର ସଠିକ୍ ଅନୁଶୀଳନ କରି ତଦନୁଯାୟୀ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରତିଷ୍ଠା ହେବାକୁ ଥିବା ଏହି ଶିଳ୍ପାନୁଷ୍ଠାନମାନେ ଯେପରି ବର୍ଜ୍ୟବସ୍ତୁ ଏବଂ ଉତ୍ପାଦନ-ଜାତି ପ୍ରଦ୍ୟୁଷକ ପଦାର୍ଥର ପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବେ ତାହା ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମିତ ସମୀକ୍ଷା ଓ ତଦାରଖ ମାଧ୍ୟମରେ ଏହା କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କ ସହ ସଂପୃକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶା କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ନିଯୁକ୍ତି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।