ଭୁବନେଶ୍ୱର : ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ସଫଳ ବାତ୍ୟା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଟିମ୍ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଡ଼ିଜିଟାଲ୍ ଓ ବାସ୍ତବ ମୋଡ୍ରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପ୍ରଦୀପ କୁମାର ଜେନା କେନ୍ଦ୍ରୀୟ ଟିମ୍ଙ୍କୁ ବହୁକଷ୍ଟ ସ୍ୱୀକାର କରି କ୍ଷେତ୍ର ପରିଦର୍ଶନ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣତା ଭୌଗଳିକ ସ୍ଥିତି ବିଷୟରେ ସୂଚନା ଦେଇଥିଲେ ।
ଶ୍ରୀ ଜେନା କହିଥିଲେ ଯେ ୧୯୯୧ ମସିହାରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶା ପ୍ରାୟ ୯୮ ଟି ବାତ୍ୟାର ମୁକାବିଲା କରିଥିବାବେଳେ ପଶ୍ଚିମ ବଙ୍ଗଳା, ତାମିଳନାଡୁ, ଗୁଜୁରାଟ, କେରଳ, କର୍ଣ୍ଣାଟକ ଆଦି ଉପକୂଳ ରାଜ୍ୟ ଯଥାକ୍ରମେ ୬୯, ୬୨, ୨୮, ୩ ଏବଂ ୨ ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । କେବଳ ୧୯୯୯ ରୁ ୨୦୨୧ ମଧ୍ୟରେ ଓଡ଼ିଶା ୮ ଟି ମହାବାତ୍ୟା ବା ଅତିଭୀଷଣ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ୟାସ୍ ପାଇଁ କରାଯାଇଥିବା ଆଗୁଆ ପ୍ରସ୍ତୁତି, ନିରାପଦ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରୀକରଣ, ଉଦ୍ଧାର, ରିଲିଫ୍ ଏବଂ ପୁନଃ ଥଇଥାନ ଆଦି କାର୍ଯ୍ୟ ବିଷୟରେ ଶ୍ରୀ ଜେନା ସବିଶେଷ ସୂଚନା ଦେବାସହ ୟାସ୍ ର ପ୍ରଭାବ ବିଷୟ ଉପସ୍ଥାପନ କରିଥିଲେ ।
ପ୍ରାଥମିକ ଆକଳନ ଅନୁସାରେ ୧୧ ଟି ଜିଲ୍ଲାର ୨୧୩୮ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୦୬୪୪ ଗ୍ରାମ ଏବଂ ୩୦ ଟି ସହରାଞ୍ଚଳର ପ୍ରାୟ ୪୨୫ ଟି ଓ୍ୱାର୍ଡ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିରେ ପ୍ରାୟ ୭୫ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୨୬୭୮୧ ଘର ଭାଙ୍ଗି ଯାଇଛି ଏବଂ ୧୨.୭୭ ଲକ୍ଷ ପ୍ରାଣୀ ସଂପଦ ପ୍ରଭାବିତ ହୋଇଛନ୍ତି ।
ଉପକୂଳବର୍ତ୍ତୀ ଗ୍ରାମ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ନିମନ୍ତେ ପ୍ରାୟ ୭.୧୦ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଏହାଛଡା ପ୍ରାୟ ୬୩୪୮.୪ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି । ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉଛି ଏବଂ ଏହା ଚଳିତ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ଜେନା କହିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବାତ୍ୟା ୟାସ୍ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଖର୍ଚ୍ଚ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କରିବେ । କିନ୍ତୁ ଓଡ଼ିଶା ଏକ ବନ୍ୟା, ବାତ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ଏଠାରେ ସ୍ଥାୟୀ ଓ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମିର ଜରୁରୀ ଆବଶ୍ୟକତା ରହିଛି ।
ରାଜ୍ୟର ମୁଖ୍ୟତଃ ଦୁଇଟି ଆବଶ୍ୟକତା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏହି ଦୁଇଟି ହେଲା ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଏବଂ ସମୁଦ୍ର ଜୁଆର ରୋକିବା ପାଇଁ ସୁଦୃଢ଼ ଓ ଉଚ୍ଚ ଲୁଣାଘେରି ବନ୍ଧ । ଏଥି ପାଇଁ ରାଜ୍ୟ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରୁଛି । କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ଗାଇଡଲାଇନ୍ ଅନୁସାରେ ଏହି ପ୍ରସ୍ତାବ ପ୍ରସ୍ତୁତ କରି ଅନୁମୋଦନ ପାଇଁ ଶିଘ୍ର ଦାଖଲ କରାଯିବ ।
୭ ଜଣିଆ ଏହି କେନ୍ଦ୍ରୀୟ ଟିମ୍ର ନେତୃତ୍ୱ ନେଉଥିବା ଗୃହ ବିଭାଗ ଯୁଗ୍ମ ଶାସନ ସଚିବ ସୁନିଲ୍ କୁମାର ବର୍ନଓ୍ୱାଲ୍ କହିଥିଲେ ଯେ ରାଜ୍ୟରେ ବାତ୍ୟା ପରିଚାଳନା ବାସ୍ତବିକ ପ୍ରସଂଶନୀୟ । ରାଜ୍ୟରୁ ପଂଚାୟତ ଏବଂ ଗ୍ରାମ ସ୍ତର ପର୍ଯ୍ୟନ୍ତ ସମନ୍ତେ ଏକ ଟିମ୍ ଭାବେ କାମ କରିଛନ୍ତି । ସେ ନିଜେ ଜିଲ୍ଲାପାଳ, ସରପଂଚ, ଓ୍ୱାର୍ଡମେମ୍ବର ଏବଂ ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି ।
ସେମାନେ ସମସ୍ତେ ବାତ୍ୟା ବିଷୟରେ ଆଗୁଆ ସୂଚନା ପାଇଥିଲେ ଏବଂ ନିର୍ଦ୍ଧାରିତ କାର୍ଯ୍ୟପନ୍ଥା ଅନୁସାରେ ସମସ୍ତ ପ୍ରାକ୍ ପ୍ରସ୍ତୁତି କରିଥିଲେ । ବାତ୍ୟା ପରିଚାଳନା, ଲୋକଙ୍କ ସୁରକ୍ଷା, ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ନିଜର କାମ ଭାବେ ବିଚାରକରି ସମସ୍ତେ କାମ କରିଥିଲେ ।
ଶ୍ରୀ ବରନ୍ଓ୍ୱାଲ୍ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିପର୍ଯ୍ୟୟ ସହନଶୀଳ ରାସ୍ତା, ବିଦ୍ୟୁତ ବ୍ୟବସ୍ଥା ଆଦିର ଜରୁରୀ ଆବଶ୍ୟକତା ରହିଛି । ରାଜ୍ୟର ଉପଯୁକ୍ତ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାହେତୁ ବ୍ୟକ୍ତିଗତ ଧନଜୀବନ କ୍ଷୟ ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ସର୍ବନିମ୍ନ ହୋଇପାରିଛି । ହେଲେ ଏବେବି ସର୍ବସାଧାରଣ ସଂପତ୍ତି ପ୍ରଭୁତଭାବେ କ୍ଷତିଗ୍ରସ୍ତ ହେଉଛି । ବାତ୍ୟା ସହନଶୀଳ ଭିତ୍ତିଭୂମି ସ୍ୱାରା ସର୍ବସାଧାରଣ ସଂପତ୍ତି କ୍ଷୟକୁ କମ୍ କରାଯାଇପାରିବ ।
କେନ୍ଦ୍ର ସରକାରଙ୍କ ଗୃହ, କୃଷି, ଅର୍ଥ, ସଡ଼କ ଓ ପରିବହନ, ଗ୍ରାମ ଉନ୍ନୟନ, ଶକ୍ତି, ମତ୍ସ୍ୟ ସଂପଦ ଆଦି ମନ୍ତ୍ରଣାଳୟର ୭ ଜଣ ବରିଷ୍ଠ ଅଧିକାରୀ ଏହି ଟିମ୍ର ସଦସ୍ୟଭାବେ ଓଡ଼ିଶା ଆସିଥିଲେ । ଏମାନେ ଦୁଇଭାଗରେ ବିଭକ୍ତ ହୋଇ ବାତ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲା ବୁଲି କ୍ଷୟକ୍ଷତିର ଆକଳନ କରିଥିଲେ ।
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍ ଙ୍କ ସମେତ ସଂପୃକ୍ତ ବିଭାଗର ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।