ଭୁବନେଶ୍ୱର : ନାଗରିକମାନଙ୍କ ସମସ୍ତ ସମସ୍ୟାର ସମାଧାନ ହାତ ପାଆନ୍ତାରେ କରିବା ପାଇଁ ଭୁବନେଶ୍ୱର ଆପଣେଇବ ନୂତନ ପଦ୍ଧତି । ମୋବାଇଲ ହ୍ୱାଟ୍ସ ଆପ୍ ଚାର୍ଟବୋଟ୍ ଜରିଆରେ ଏଣିକି ନାଗରିକମାନେ ହୋଲ୍ଟି ଟାକ୍ସ, ଘର ଭଡା, ଦୋକାନ ଘର ଭଡା, ଆଦି ସମସ୍ତ ଟାସ୍କ ପୈଠ କରିବା ସହ ବିଭିନ୍ନ ସମସ୍ୟା ମଧ୍ୟ ଉପସ୍ଥାପନ କରିପାରିବେ । ଏଥିପାଇଁ ଆଜି ଇଣ୍ଡସଇଣ୍ଡ ବ୍ୟାଙ୍କ ସହ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ହ୍ୱାଟ୍ସଆପ୍ ଚାର୍ଟବୋଟ୍ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟଓ୍ୱେୟାରରେ ନାଗରିକମାନେ ନିଜ ଘର କିମ୍ବା ଦୋକାନର ହୋଲ୍ଡିଂ ନମ୍ବର ଲେଖିଥିଲେ, ଆପେ ଆପେ ତାଙ୍କର ସମସ୍ତ ତଥ୍ୟ ବାହାରି ପଡିବ । କେତେ ଦିନ ହେଲା ଟାକ୍ସ ବା ଭଡା ଦେଇ ନାହାଁନ୍ତି, କେତେ ଟଙ୍କା ଦେବାକୁ ହେଉଛି, କାହା ପାଖକୁ ପଠାଇବାକୁ ପଡିବ ଆଦି ଘରର ସମସ୍ତ ତଥ୍ୟ ବାହାରି ପଡିବ । ତେଣୁ ନାଗରିକଙ୍କୁ ଆଉ ବାରମ୍ବାର ଓ୍ୱାର୍ଡ ଅଫିସ କିମ୍ବା ବିଏମ୍ସି ମୁଖ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ।
ସେହିପରି ଭେଣ୍ଡିଂ ଜୋନ୍, ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ, ମାର୍କେଟ୍ ଆଦି ପରିଚାଳନା ଓ ଟାକ୍ସ ବା ଭଡା ଆଦାୟ ପାଇଁ ଏମରଟେକ୍ ଆର୍ ଏନ୍ ଡି ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏକ ସଫ୍ଟଓ୍ୱେୟାର ପ୍ରସ୍ତୁତ କରାଯାଉଛି । ଏହା ମଧ୍ୟ ସେହି ହ୍ୱାଟ୍ସଆପ୍ ଚାର୍ଟବୋଟରେ ରହିବ । ଅର୍ଥାତ୍ ମୋବାଇଲରେ ଭୁବନେଶ୍ୱର ମହାନଗର ନିଗମର ନାଗରିକମାନେ ନିଜ ଟିପରେ ସମସ୍ତ ସମସ୍ୟାର ସମାଧାନ କରିପାରିବେ ବୋଲି କହିଛନ୍ତି ମାନନୀୟା ମେୟର ।
ବୁଝାମଣା ପତ୍ର ସ୍ୱାକ୍ଷରିତ ଉପଲକ୍ଷେ ବିଏମ୍ ସି ଏକାମ୍ର ହଲରେ ଆୟୋଜିକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କର୍ପୋରେଟରଙ୍କ ସହ ବିଏମ୍ ସି ପକ୍ଷରୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶିର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଶ୍ରୀ ଅଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ । ସେହିପରି ଇଣ୍ଡସଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଅରୂପ ମହାପାତ୍ର, ଆଞ୍ଚଳିକ ମୁଖ୍ୟ ଶ୍ରୀ ପ୍ରଶାନ୍ତ ଗୌଡ, ରାଜ୍ୟ ବୈଷୟିକ ମୁଖ୍ୟ ଶ୍ରୀ ଶୁଭାଶିଷ ସାହୁ, ଏମରଟେକ୍ ସଲ୍ୟୁସନର ମୁଖ୍ୟ ସନ୍ତୋଷ ରେଡ୍ଡୀଙ୍କ ସହ ବ୍ୟାଙ୍କର ଭାଇସ୍ ପ୍ରେସିଡେଣ୍ଟ ଶୁଭକାନ୍ତ ଶତପଥି ଓ ଦେବକାନ୍ତ ସାମଲଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଏହି ସଫ୍ଟଓ୍ୱେୟାର ଆସନ୍ତା ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଏବଂ ଏପରି ବ୍ୟବସ୍ଥା ଲାଗୁ କରିବାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହେବ ବୋଲି ଉଭୟ ବିଏମ୍ ସି ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।