ଭୁବନେଶ୍ୱର : ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା ମିଳିଛି । ଦୁର୍ଘଟଣାପ୍ରବଣ ମାସ ଭାବରେ ପରିଚିତ ଜାନୁଆରୀରେ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା । ଏଥି ସହିତ ବି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିଛି ।
୨୦୨୫ ଜାନୁଆରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବରେ ପାଳନ କରାଯାଇଥିଲା । ଏହି ଅବସରରେ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ଆଖିଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କ ଜରିଆରେ ମାସେବ୍ୟାପୀସାରା ରାଜ୍ୟରେ ସଚେତନତା ଓ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଥିଲା । ଜାନୁଆରୀ ମାସର ସଡ଼କ ଦୁର୍ଘଟଣା ତଥ୍ୟରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।
୨୦୨୫ ଜାନୁଆରୀ ମାସରେ ରାଜ୍ୟରେ ୯୯୪ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ହେଉଛି ୪୧୭ । ୨୦୨୪ରେ ଦୁର୍ଘଟଣା ସଂଖ୍ୟା ଥିଲା ୧୦୯୩ ଓ ମୃତ୍ୟୁସଂଖ୍ୟା ଉଦବେଗଜନକ ଭାବରେ ୫୬୧ ଛୁଇଁଥିଲା । ସେହିଭଳି ବର୍ଷ ୨୦୨୩ରେ ଏହି ସଂଖ୍ୟା ଯଥାକ୍ରମେ ୧୧୯୯ ଓ ୫୫୪ ରହିଥିଲା ।
ପୂରାବର୍ଷରେ ବିଭିନ୍ନ କାରଣ ଯୋଗୁଁ ଡିସେମ୍ବର ଓ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ। ବିଦାୟୀ ବର୍ଷ, ନୂଆବର୍ଷ ଆଦି ପାଇଁ ପିକନିକ ସଂଖ୍ୟା ବୃଦ୍ଧିପାଏ । ଯାହା ମଦ୍ୟପାନ ଓ ଦ୍ରୁତଗତି ଜନିତ ଦୁର୍ଘଟଣା ବୃଦ୍ଧି କରାଏ । ସେହିଭଳି କୁହୁଡ଼ି ଯୋଗୁଁ ଅନେକ ଦୁର୍ଘଟଣା ଘଟିଥାଏ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ମାସ ମାନଙ୍କରେ ବିଶେଷ ନଜର ରଖିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା।
ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହା ଉପରେ ନିୟନ୍ତ୍ରଣ ଆଣିବାକୁ ଲଗାତର ପ୍ରୟାସ କରୁଛି ରାଜ୍ୟ ପରିବହନ ପ୍ରାଧିକରଣ । ଜାନୁଆରୀ ମାସରେ ବିଶେଷ ଫୋକସ୍ ବ୍ୟତୀତ ପ୍ରତି ବୁଧବାରକୁ ଜିରୋ ଟଲେରାନ୍ସ ଡେ ଭାବରେ ପାଳନ କରାଯାଉଛି । ଆଗକୁ ସଚତେନତା କାର୍ଯ୍ୟକ୍ରମ ଓ ଏନଫୋର୍ସମେଣ୍ଟକୁ ଆହୁରି ବ୍ୟାପକ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ କଡ଼ାକଡ଼ି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ।