ଭୁବନେଶ୍ୱର : ଆଇନ୍ ଅଦାଲତରେ ମାମଲା ପରିଚାଳନା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟ ସରକାର ‘ମୋକଦ୍ଦମା ପରିଚାଳନା ବ୍ୟବସ୍ଥା (ଏଲଏମଏସ୍)’ ନାମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏହା ସତ୍ୱେ ବି ଆଇନ୍ ଅଦାଲତଗୁଡିକ ଉପରୁ ମାମଲାର ବୋଝ କମୁନାହିଁ କିମ୍ବା ଅଦାଲତଙ୍କ ରାୟ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସ୍ଥିତି ବି ବିଶେଷ ସୁଧୁରୁନାହିଁ ।
ରାଜ୍ୟ ସରକାର ଓଡିଶା ହାଇକୋର୍ଟ ଓ ଶିକ୍ଷା ଟ୍ରିବ୍ୟୁନାଲରେ ଏଲଏମଏସ୍ ବ୍ୟବସ୍ଥା ଲାଗୁ କରିସାରିଛନ୍ତି । ଏହା ଫଳରେ ଅଦାଲତି ମାମଲାଗୁଡିକର ସ୍କାନିଂ ଓ ସୂଚୀକରଣ କରାଯାଉଛି । ସରକାରଙ୍କ ବିରୁଦ୍ଧରେ କିଏ, କେବେ, କାହିଁକି ମାମଲା ରୁଜୁ କରିଛନ୍ତି ତାହା ଅଦାଲତରେ ତାଲିକାଭୁକ୍ତ ହେବା ପୂର୍ବରୁ ଆଡଭୋକେଟ ଜେନେରାଲଙ୍କ ଦପ୍ତର ମାଧ୍ୟମରେ ସରକାରଙ୍କ ନିକଟକୁ ଆସିଯାଉଛି । ସରକାରଙ୍କ ଉଦ୍ଦେଶ୍ୟ ହେଉଛି ମୂଳ ମାମଲା, ବିବିଧ ମାମଲା, ଅଦାଲତ ଅବମାନନା ମାମଲା ଆଦି ସଂକ୍ରାନ୍ତରେ ତୁରନ୍ତ ଖବର ରଖି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଏହା ସତ୍ୱେ ବି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ବିରୁଦ୍ଧରେ ହଜାର ହଜାର ଅଦାଲତ ଅବମାନନା ମାମଲା ଗଡୁଛି ।
ଅଦାଲତ ଅବମାନନା ମାମଲା କ୍ଷେତ୍ରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସବୁଠାରୁ ଆଗରେ ଥିବା କୁହାଯାଉଛି । ଏଲଏମଏସ୍ ମାଧ୍ୟମରେ ଆଇନ୍ ଅଦାଲତଙ୍କର ମଧ୍ୟବର୍ତ୍ତୀକାଳୀନ ଓ ଚୂଡାନ୍ତ ନିର୍ଦ୍ଦେଶ ମଧ୍ୟ ଉପଲବ୍ଧ ହୋଇପାରୁଛି । ସାର୍ଟିଫାଏଡ କପି ପାଇଁ ଅପେକ୍ଷା ନକରି ଡିଜିଟାଇଜେସନ ବ୍ୟବସ୍ଥାରେ ହାଇକୋର୍ଟ ରେଜିଷ୍ଟ୍ରିରୁ ଆଦେଶନାମାଗୁଡିକର ନକଲ ୱେବସାଇଟ୍ରେ ଅପଲୋଡ କରାଯାଉଛି । ଏଲଏମଏସ୍ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ପ୍ରତିଦିନ ଏହା ତନଖି କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକଥା ।
ଯେଉଁ ମାମଲାଗୁଡିକରେ ଆଇନ୍ ଅଦାଲତଙ୍କ ରାୟ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅସୁବିଧା ରହିଛି ସେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଉପର ଅଦାଲତରେ ଅପିଲ କରାଯିବା କଥା । ଏଲଏମଏସ୍ ମାଧ୍ୟମରେ ମାମଲାର ସର୍ବଶେଷ ସ୍ଥିତି ଜଣାଥିବାରୁ ଆଇନ୍ ବିଭାଗର ପରାମର୍ଶ ନେଇ ସରକାର ଉଚ୍ଚ ଅଦାଲତକୁ ଅପିଲରେ ଯାଇପାରିବେ । କିନ୍ତୁ ଦେଖାଯାଉଛି ଯେ ଶହ ଶହ ମାମଲାରେ ସୀମିତ ସମୟ ମଧ୍ୟରେ ରାୟ କାର୍ଯ୍ୟକାରୀ ହେଉନଥିବା ଏବଂ ଏହା ଉପରେ ଅଦାଲତ ଅବମାନନା ରୁଜୁ ହୋଇ ସମ୍ପୃକ୍ତ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପର୍ଯ୍ୟନ୍ତ କଥା ଯିବାପରେ ଅପିଲ୍ ଦାଖଲ ହେଉଛି ।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନକରି ଅହେତୁକ ବିଳମ୍ବ ଘଟାଯାଉଥିବାରୁ ବହୁ କ୍ଷେତ୍ରରେ ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଅପିଲ ଆବେଦନକୁ ମଧ୍ୟ ନାକଚ କରିଦେଉଛନ୍ତି । ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ଯେ ଏଲଏମଏସର ଯଦି ଠିକଣା ଅନୁସରଣ କରାଯାଆନ୍ତା ତାହେଲେ ମାମଲା ପରିଚାଳନା ସହଜ ହୁଅନ୍ତା । କିନ୍ତୁ ଅଧିକାଂଶ ମାମଲାରରେ ହାଇକୋର୍ଟରେ ବି ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ତର ଦାଖଲ ହୋଇପାରୁ ନାହିଁ କିମ୍ବା ଏଥିଲାଗି କାହାରିକୁ ବି ଉତ୍ତରଦାୟୀ କରାଯାଉନାହିଁ ।
ସେହିଭଳି ପ୍ରାୟ ୧୨ବର୍ଷ ତଳୁ ରାଜ୍ୟ ସରକାର ନିଜସ୍ୱ ମାମଲାନୀତି ପ୍ରଣୟନ କରିଥିଲେ ମଧ୍ୟ ବହୁ କ୍ଷେତ୍ରରେ ସରକାରୀକଳ ତାହାର ଅନୁପାଳନ କରୁନଥିବାରୁ ମାମଲା ସଂଖ୍ୟା ବୃଦ୍ଧି ସହିତ ଅଦାଲତଙ୍କ ରାୟର ଠିକଣା ଅନୁପାଳନ କରାଯାଇ ପାରୁନାହିଁ ଏବଂ ଏଥିଯୋଗୁଁ ସରକାରଙ୍କୁ ଅଯଥାରେ ବିପୁଳ ତଣ୍ଡ ଗଣିବାକୁ ପଡୁଛି । ଏବେ ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତରେ ପାଖାପାଖି ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରାୟ ୧୩ଲକ୍ଷ ଅପରାଧିକ ମାମଲା ବୋଲି କୁହାଯାଉଛି । ଏହାଛଡା ବିଭିନ୍ନ ରାଜସ୍ୱ ଅଦାଲତ ଓ ଟ୍ରିବ୍ୟୁନାଲଗୁଡିକରେ ଥିବା ମାମଲାକୁ ହିସାବକୁ ନେଲେ ଏହି ସଂଖ୍ୟା ୨୫ଲକ୍ଷରୁ ଅଧିକ ହେବବୋଲି ଆଶଙ୍କା କରାଯାଉଛି । (ତଥ୍ୟ)