Home Culture ହୋଇପାରୁନି ଓଡ଼ିଆ ଭାଷା ପ୍ରତିଷ୍ଠାନ ଦପ୍ତର

ହୋଇପାରୁନି ଓଡ଼ିଆ ଭାଷା ପ୍ରତିଷ୍ଠାନ ଦପ୍ତର

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେବା ସହିତ ଅର୍ଥ ବରାଦ କରିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହା ନିର୍ମିତ ହୋଇପାରୁ ନାହିଁ । ଫଳରେ ଓଡ଼ିଆ ଅସ୍ମିତାର ବାହକ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାନ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି ।

ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିଲା । ପରବର୍ତ୍ତୀ ସମୟରେ ଏହାକୁ ସଂସ୍କୃତି ବିଭାଗକୁ ଅଣାଯାଇଛି । ରାଜଧାନୀର ବିଭାଗୀୟ ମୁଖ୍ୟ ଦପ୍ତର କଡ଼କୁ ଥିବା ଜନଶିକ୍ଷା ସାଧନ କେନ୍ଦ୍ର କୋଠାରେ ଏହି ପ୍ରତିଷ୍ଠାନ କିଛିବର୍ଷ ଧରି ଚାଲୁଥିଲା । ପରବର୍ତ୍ତୀ ସମୟରେ ଏହି ସଂସ୍ଥାନକୁ ସଂସ୍କୃତ ବିଭାଗ ଅଧୀନକୁ ଅଣାଗଲା ଏବଂ ଏକ ପ୍ରକାର ଜନଶିକ୍ଷା ସାଧନ କେନ୍ଦ୍ରକୁ ସମାଧି ଦିଆଯିବାରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭଞ୍ଜକଳା ମଣ୍ଡପ ପଛରେ ଥିବା ସଂସ୍କୃତି ନିର୍ଦ୍ଦେଶାଳୟର ସଂସ୍କୃତି ଭବନ ପରିସରରେ ରହିଛି ।

ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ନିଜସ୍ୱ ସୌଧ ନିର୍ମାଣ ପାଇଁ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ରାଜଧାନୀର ଖାରବେଳ ନଗର ମୌଜାରେ ସରକାର ଏକ ଜମି ଯୋଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ଜମିରେ ଭାଷା ପ୍ରତିଷ୍ଠାନର ନିଜସ୍ୱ ସୌଧ ନିର୍ମାଣ ଲାଗି ମଧ୍ୟ ଅର୍ଥ ବ୍ୟବସ୍ଥା ହୋଇଥିଲା । ଭାଷା ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଏହାର ନିର୍ମାଣ କାର୍ଯ୍ୟ ଲାଗି ଇଡ୍‍କୋ ସମେତ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ସହିତ ଯୋଗାଯୋଗ କରିଥିଲେ । ଏମିତିକି ଭାଷା ପ୍ରତିଷ୍ଠାନର ଜମିରେ ତାହାର ସୌଧ ନିର୍ମାଣ ପାଇଁ ପ୍ଲାନ ମଞ୍ଜୁରୀ ମିଳିଥିଲା ଏବଂ ଏହା ଉପରେ ପ୍ରଶାସନିକ ମଞ୍ଜୁରୀ ମୋହର ବସିବା ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏଥିରେ ଆପତ୍ତି ଉଠାଇବାରୁ ଭାଷା ଭବନ ନିର୍ମିତ ହୋଇପାରି ନାହିଁ ଏବଂ ଏଥିପାଇଁ ଆବଣ୍ଟିତ ଜମି ଅନ୍ୟମାନଙ୍କ ଜବରଦଖଲରେ ରହିଛି । ଦୀର୍ଘବର୍ଷ ଧରି ଏ ବାବଦରେ ଆବଣ୍ଟିତ ଟଙ୍କା ବ୍ୟାଙ୍କରେ ପଡ଼ି ରହି କେବଳ ଭାଷା ପ୍ରତିଷ୍ଠାନକୁ ସୁଧ ବାବଦରେ ଲାଭ ଦେଉଛି ।

ପଶ୍ଚିମବଙ୍ଗ ସରକାର ବିସ୍ତୃତ ଜମିରେ ବିଶ୍ୱ ବାଂଲା ଭବନ ନିର୍ମାଣ କରିବା ସହିତ ସେଠାକାର ବିମାନ ବନ୍ଦରରୁ ମହାନଗରୀ ଭିତରକୁ ଆସିଥିବା ପ୍ରମୁଖ ରାସ୍ତାକୁ ବିଶ୍ୱ ବାଂଲା ସରଣୀ ନାମରେ ନାମିତ କରିଛନ୍ତି । ଅଥଚ ୨୦ବର୍ଷରୁ ଅଧିକ ସମୟ ଧରି ଭାଷା ଭବନର ଜମି ଉପରେ ଇଟାଟିଏ ମଧ୍ୟ ସରକାର ଯୋଡ଼ି ପାରିନାହାନ୍ତି ।

ଦୀର୍ଘବର୍ଷ ଧରି ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ଥାୟୀ ନିର୍ଦ୍ଦେଶକ ରହୁନାହାନ୍ତି । ବିଭିନ୍ନ ସଂସ୍ଥାର ଅଧିକାରୀମାନଙ୍କୁ ଏହାର ଦାୟିତ୍ୱରେ ଅସ୍ଥାୟୀ ଭାବେ ରଖାଯାଉଛି । ଏବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଉଛନ୍ତି । ବିଧିବ୍ୟବସ୍ଥା ଅନୁଯାୟୀ ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ଥାୟୀ କମିଟି ମଧ୍ୟ ନାହିଁ । ସଂସ୍କୃତି ନିର୍ଦ୍ଦେଶାଳୟ ସୌଧରେ ମୁଣ୍ଡ ଗେଞ୍ଜିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ଅଧିକାଂଶ ପଦପଦବୀ ଖାଲି ପଡିଛି । କର୍ମଚାରୀ ଅଭାବରୁ ଏହି ପ୍ରତିଷ୍ଠାନର କାର୍ଯ୍ୟ ବହୁ ମାତ୍ରାରେ ବାଧାପ୍ରାପ୍ତ ହେଉଛି ।

ଭାଷା ପ୍ରତିଷ୍ଠାନ ଜମିରେ ସୌଧ ନିର୍ମାଣ ନକରି ସଚିବାଳୟର ପଛପଟରେ ନିର୍ମାଣ କରାଯାଉଥିବା ଖାରବେଳ ଭବନର ଗୋଟିଏ ମହଲା ଭାଷା ପ୍ରତିଷ୍ଠାନକୁ ଦିଆଯିବ ବୋଲି ଏକଦା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସରକାର କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ ବୋଲି ବହୁ ଭାଷା ପ୍ରେମୀ ଅଭିଯୋଗ କରୁଛନ୍ତି । ତୁରନ୍ତ ରାଜଧାନୀର କେନ୍ଦ୍ରସ୍ଥଳରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସୁଦୃଶ୍ୟ ସୌଧ ନିର୍ମାଣ ସହିତ ଓଡ଼ିଆ ଭାଷାର ସମୃଦ୍ଧି ଏବଂ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ ଲାଗି ଏହି ପ୍ରତିଷ୍ଠାନକୁ ଉପଯୋଗ କରିବା ଏବଂ ଓଡ଼ିଶା ସରକାରୀ ଭାଷା ଆଇନ୍‍-୧୯୫୪ର ଠିକଣା ଅନୁପାଳନ ଲାଗି ମଧ୍ୟ ଭାଷାବିତ୍‍ମାନେ ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)