Home Assembly ହୋଇଛି ମାତ୍ର ଦୁଇଟି ବନ୍ଦର

ହୋଇଛି ମାତ୍ର ଦୁଇଟି ବନ୍ଦର

ଭୁବନେଶ୍ୱର : ରାଜ୍ୟରେ ୧୪ଟି ବନ୍ଦର ନିର୍ମାଣ ପାଇଁ ଦୀର୍ଘ ଦିନରୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୨ଟି ବନ୍ଦର ପ୍ରତିଷ୍ଠାରେ ସଫଳତା ମିଳିଛି । ଏହାଛଡା ଆଉ ତିନିଟି ବନ୍ଦର ପାଇଁ ଜମି ଅଧିଗ୍ରହଣ ଥିବାବେଳେ ଅନ୍ୟ ବନ୍ଦରଗୁଡିକ ପ୍ରାୟତଃ ଆଗେଇ ପାରୁନାହିଁ ।

ରାଜ୍ୟରେ ବନ୍ଦର ନିର୍ମାଣ ସଂକ୍ରାନ୍ତରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ଉତ୍ତରରେ ଦର୍ଶାଯାଇଛି ଯେ ରାଜ୍ୟରେ ଅଣ-ବୃହତ୍‍ ବନ୍ଦରର ବିକାଶ ନିମନ୍ତେ ରାଜ୍ୟ ସରକାର ୧୪ଟି ସ୍ଥାନ ନିରୂପଣ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେଥି ମଧ୍ୟରୁ ଦୁଇଟି ବନ୍ଦର ଯଥା ଧାମରା ଓ ଗୋପାଳପୁର କାର୍ଯ୍ୟକ୍ଷମ ଅଛି । ଆଉ ଦୁଇଟି ଅଣବୃହତ୍‍ ବନ୍ଦର ସୁବର୍ଣ୍ଣରେଖା ମୁହାଣ ଓ ଅସ୍ତରଙ୍ଗ ଠାରେ ପ୍ରତିଷ୍ଠା ହେବାର ପ୍ରକ୍ରିୟା ଜାରି ରହିଛି ।

ସୁବର୍ଣ୍ଣରେଖା ବନ୍ଦର ପାଇଁ ୧୧୫୨ ଏକର ସରକାରୀ ଜମି ଅଧିଗ୍ରହଣ ହୋଇଥିବାବେଳେ ୨୬୧ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଛି । ଏହିସବୁ ଜମି ବନ୍ଦର ପାଇଁ ଆବଶ୍ୟକ ରେଳପଥ ଓ ସଡକ ର୍ନିମାଣ ନିମନ୍ତେ ଅଧିଗ୍ରହଣ କରାଯାଇଛି । ହେଲେ ଅସ୍ତରଙ୍ଗ ବନ୍ଦର ପାଇଁ କୌଣସି ଜମି ଅଧିଗ୍ରହଣ ହୋଇପାରି ନାହିଁ । ଅସ୍ତରଙ୍ଗ ଠାରେ ବନ୍ଦର ପ୍ରତିଷ୍ଠାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ଏଠାରେ ଜମି ଅଧିଗ୍ରହଣ ହୋଇପାରୁନଥିବା ଜଣାଯାଇଛି ।

ତେବେ ଜଗତ୍‍ସିଂହପୁର ଜିଲ୍ଲାର ଜଟାଧାରୀ ମୁହାଣ ଠାରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡର ପ୍ରସ୍ତାବିତ ଇସ୍ପାତ କାରଖାନର ମାଲ୍‍ ପରିବହନ ପାଇଁ କମ୍ପାନୀ ଏକ ନିଜସ୍ୱ ଜେଟୀ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା କରିଛି । ଜେଟୀ ପାଇଁ ୧୮୦ ଏକର ସରକାରୀ ଜମି ଅଧିଗ୍ରହଣ ହୋଇଥିବା ଦର୍ଶାଯାଇଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗଞ୍ଜାମ ଜିଲ୍‍ଲାର ବାହୁଦା ମୁହାଣ ଠାରେ ଏକ ବନ୍ଦର ପ୍ରତିଷ୍ଠା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଓଡିଶା ମାରିଟାଇମ୍‍ ବୋର୍ଡ ଏବଂ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧିନସ୍ଥ ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ୍‍ ମଧ୍ୟରେ ଏକ ତ୍ରିପାକ୍ଷୀୟ ରାଜିନାମା ସ୍ୱାକ୍ଷିତ ହୋଇଛି ।

ଏହାଛଡା ରାଜ୍ୟର ଅନ୍ୟ ନିରୂପିତ ସ୍ଥାନମାନଙ୍କରେ ଅଣ ବୃହତ୍‍ ବନ୍ଦର ବିକାଶ ନିମନ୍ତେ ଏହାର ବିଭିନ୍ନ ଦିଗରୁ ଅନୁଧ୍ୟାନ କରାଯାଉଛି ଓ ଏଥି ନିମନ୍ତେ ବିଭିନ୍ନ ସଂସ୍ଥା ଠାରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇ ତାହାର ତର୍ଜମା ଚାଲିଛି । (ତଥ୍ୟ)