Home News in Odia ହୋଇପାରୁନି ପୌର ନିର୍ବାଚନ

ହୋଇପାରୁନି ପୌର ନିର୍ବାଚନ

ଭୁବନେଶ୍ୱର : କିଛି ବର୍ଷ ହେବ ଗଣମାଧ୍ୟମରେ ପ୍ରାୟ ସବୁଦିନ ଶ୍ରୀକ୍ଷେତ୍ର ପୁରୀ ସମ୍ପର୍କରେ ଉଭୟ ସକରାତ୍ମକ ଓ ନକରାତ୍ମକ ଚର୍ଚ୍ଚା ଚାଲିଛି । ତେବେ ପବିତ୍ର ପୁରୀ ଧାମର ପରିଚ୍ଛନ୍ନତା ସହିତ ବିକାଶର ଦାୟିତ୍ୱ ମୁଣ୍ଡାଇଥିବା ପୁରାତନ ପୁରୀ ପୌରପାଳିକା ଲାଗି ନିର୍ବାଚନ କେବେ ହେବ ସେଥିଘେନି ତିନିବର୍ଷ ହେବ କେହି କିଛି କହିପାରୁ ନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଏବେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ନେଇ ଉଭୟ ସରକାରୀ ଓ ବିରୋଧିଦଳ ରାଜନୈତିକ ଖେଳ ଖେଳିବାରେ ବ୍ୟସ୍ତ ଥିବାବେଳେ ଅନୁରୂପ ପ୍ରସଙ୍ଗକୁ କେନ୍ଦ୍ରକରି ପୁରୀ ପୌରପାଳିକା ନିର୍ବାଚନ ପ୍ରସଙ୍ଗ ଅଦାଲତର କାଠଗଡାକୁ ଯାଇଛି । ଆଇନ୍‍ ଅଦାଲତରେ ଏହା ବିଚାରାଧିନ ଥିବା ଦର୍ଶାଇ ଏଠାରେ ନିର୍ବାଚନ ନକରି ଅଫିସରମାନଙ୍କ ମାଧ୍ୟମରେ ପୌରସଂସ୍ଥା କାମ ଚାଲିଛି ।

ନିର୍ବାଚିତ ଲୋକପ୍ରତିନିଧି ନଥିବାରୁ ଶ୍ରୀକ୍ଷେତ୍ରବାସୀ ସେମାନଙ୍କ ସମସ୍ୟା ସଂକ୍ରାନ୍ତରେ ସହଜରେ ଆପତ୍ତି କରିପାରୁ ନାହାନ୍ତି । ଅଫିସରମାନଙ୍କ ଦୟା ଅନୁଗ୍ରହରେ ସହରର ପରିମଳ ବ୍ୟବସ୍ଥା ଚାଲୁଛି । ପୁରୀ ସହରରେ ପ୍ରବେଶପଥରେ ଏଭଳି ଆବର୍ଜନା ଜମୁଛି ଓ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ଯେ ନାକରେ ରୁମାଲ ନବାନ୍ଧିଲେ ରାସ୍ତାରେ ଯିବା ମୁସ୍କିଲ । ତେବେ ପବିତ୍ର ଶ୍ରୀକ୍ଷେତ୍ରକୁ ଆସୁଥିବା ଭିଭିଆଇପି ଓ ଅନ୍ୟ ବାବୁମାନେ ଶୀତତାପ ନିୟନ୍ତ୍ରିତ ଗାଡି ବ୍ୟବହାର କରୁଥିବାରୁ ସେମାନେ ଏହି ଦୁର୍ଗନ୍ଧ ବାରିପାରୁ ନାହାନ୍ତି ।

୨୦୨୨ ମସିହାରେ ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ନିର୍ବାଚନ ହୋଇଥିବାବଳେ ଆଇନ୍‍ଗତ ବିବାଦ ଯୋଗୁଁ ପୁରୀ ପୌରପାଳିକାରେ ନିର୍ବାଚନ ହୋଇପାରିନଥିଲା । ଏହା ପୂର୍ବରୁ ପାଖାପାଖି ୮ବର୍ଷ ହେବ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଗଢାଯାଇଥିଲେ ବି ଜନ୍ମରୁ ଏ ଦୁଇଟି ସଂସ୍ଥା ଏକ ପ୍ରକାର ପକ୍ଷାଘାତଗ୍ରସ୍ତ ହୋଇ ରହିଛନ୍ତି । ସମ୍ବଲପୁର, ରାଉରକେଲା ଓ ପୁରୀ ପାଇଁ ବିଭିନ୍ନ ଦଳର ଟାଣୁଆ ଲୋକପ୍ରତିନିଧିମାନେ ଥିବା ସତ୍ୱେ ବି ଏଠାରେ ନିର୍ବାଚନ ହୋଇପାରୁ ନାହିଁ ।

ଏହି ତିନିଟି ପୌରସଂସ୍ଥାରେ ନିର୍ବାଚନ ପାଇଁ ଯେଉଁ ଆଇନ୍‍ଗତ ପ୍ରତିବନ୍ଧକ ରହିଛି ତାହାକୁ ଅପସାରଣ କରିବା ଦିଗରେ ଶାସନକଳ ମଧ୍ୟ ଗୁରୁତ୍ୱ ଦେଉନାହିଁ । ଫଳରେ ଏହି ତିନିଟି ସଂସ୍ଥାର ସେବା କାର୍ଯ୍ୟ ବିନା ଲୋକପ୍ରତିନିଧିରେ ହେଉଛି । ସମ୍ବଲପୁରର ବିଧାୟକ ବିଜେପିର ଟାଣୁଆ ନତୋ ଜୟନାରାୟଣ ମିଶ୍ର ଥିବାବେଳେ ଏଠାକାର ସାଂସଦ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ରାଉରକେଲାର ବିଧାୟକ ପୂର୍ବତନ ନଗର ଉନ୍ନୟନମନ୍ତ୍ରୀ ସାରଦା ପ୍ରସାଦ ନାୟକ ଥିବାବେଳେ ଏଠିକାର ସାଂସଦ ଅଛନ୍ତି ଖୋଦ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ସେହିଭଳି ପୁରୀର ବିଧାୟକ ଏବେ ବିଜେଡିର ସୁନୀଲ ମହାନ୍ତି ଥିବାବେଳେ ଏଠାକାର ସାଂସଦ ହେଉଛନ୍ତି ବିଜେପିର ଜାତୀୟ ମୁଖପାତ୍ର ତଥା ହେଭିୱେଟ ନେତା ଡାକ୍ତର ସମ୍ବିତ ପାତ୍ର ।

ଏହି ନେତାମାନଙ୍କର ଶାସନକଳ ଉପରେ ଭଲ ପ୍ରଭାବ ଅଛି ବୋଲି ଲୋକ ବିଶ୍ୱାସ କରନ୍ତି । ଏମାନଙ୍କ ଦ୍ୱାରା ବି ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହେଉଛି । ତେବେ ଏଭଳି ହେଭିୱେଟ ନେତାମାନଙ୍କ ର୍ନିବାଚନମଣ୍ଡଳୀରେ ଥିବା ମହାନଗର ନିଗମ ଓ ପୌର ନିଗମର କାହିଁକି ଯେ ନିର୍ବାଚନ କରାଯାଇ ପାରୁନାହିଁ ସେ ପ୍ରସଙ୍ଗର କେହି କିଛି କହିବାରୁ ପ୍ରସ୍ତୁତ ନୁହନ୍ତି । ତେବେ ବିବାଦର ଅବସାନ ଘଟିବାପରେ ଠିକଣା ସମୟରେ କର୍ତ୍ତୃପକ୍ଷ ଠିକଣା ନିଷ୍ପତ୍ତି ନେଇ ପୁରୀ ସମେତ ରାଉରକେଲା ଓ ସମ୍ବଲପୁର ପୌରସଂସ୍ଥାର ନିର୍ବାଚନ ସଂକ୍ରାନ୍ତରେ ଘୋଷଣା କରିବେ ବୋଲି କୁହାଯାଉଛି । (ତଥ୍ୟ)