ଭୁବନେଶ୍ୱର : ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ସଂପର୍କରେ ଅବଗତ ଥିଲେ ମଧ୍ୟ ଏହାକୁ ପାଳନରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଫଳରେ ଅକାଳରେ ଅନେକ ଜୀବନ ଝରିପଡ଼ୁଛି । ୨୦୨୪ରେ ରାଜ୍ୟରେ ହୋଇଥିବା ସମୁଦାୟ ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ବିଶ୍ଲେଷଣରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ।
ସଡ଼କ ସୁରକ୍ଷା ନିୟମ ପାଳନର ସବୁଠୁ ପ୍ରାଥମିକସ୍ତର ହେଉଛି ଦୁଇ ଚକିଆରେ ଦୁଇରୁ ଅଧିକ ନ ଯିବା ଏବଂ ଉଭୟ ଚାଳକ ଓ ଆରୋହୀ ହେଲମେଟ୍ ନିଶ୍ଚୟ ପିନ୍ଧିବା । ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି । କିନ୍ତୁ ହେଲମେଟ୍ ପିନ୍ଧିବାରେ ଅବହେଳା କରିବା କେତେ ମହଙ୍ଗା ସାବ୍ୟସ୍ତ ହେଉଛି, ତାହା ୨୦୨୪ର ଦୁର୍ଘଟଣା ତଥ୍ୟରୁ ସାମ୍ନାକୁ ଆସିଛି । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର କାରଣ ଅନୁଧ୍ୟାନରୁ ଜଣାପଡ଼ିଛି, ଦୁଇ ଚକିଆ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ତେବେ ସବୁଠୁ ବଡ଼ କଥା ହେଉଛି, ଯଦି ଗତବର୍ଷର ତଥ୍ୟ ଦେଖିବା ତେବେ କେବଳ ଯଦି ହେଲମେଟ୍ ପିନ୍ଧିଥାନ୍ତେ, ତେବେ ଦୁର୍ଘଟଣା ସତ୍ତ୍ୱେ ବର୍ଷକରେ 1696 ଜୀବନ ରକ୍ଷା ପାଇଯାଇଥାନ୍ତା ।
୨୦୨୪ରେ ରାଜ୍ୟରେ ଦୁଇଚକିଆ ଯାନ ସଂପୃକ୍ତ ଥାଇ ୫୪୯୦ ଦୁର୍ଘଟଣା ଘଟିଥିବା ବେଳେ ୩୦୧୭ ଜୀବନହାନି ଘଟିଛି । ଏହି ଦୁର୍ଘଟଣାର ସମୀକ୍ଷାରୁ ହେଲମେଟ୍ ପିନ୍ଧି ନ ଥିବାରୁ ୧୬୯୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେହିଭଳି ଯଦି ବିଗତ ତିନିବର୍ଷର ତଥ୍ୟ ଦେଖିବା ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ କେବଳ ଯଦି ହେଲମେଟ୍ ପିନ୍ଧିଥାନ୍ତେ ତେବେ ୫୧୬୦ ଜଣଙ୍କ ଜୀବନ ରକ୍ଷା ପାଇଯାଇଥାନ୍ତା ।
ସଡ଼କ ଦୁର୍ଘଟଣାରେ ଜୀବନ ରକ୍ଷା କ୍ଷେତ୍ରରେ ହେଲମେଟର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ପୋଲିସ ପ୍ରଶାସନ ସହଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ଭାବରେ ଏନଫୋର୍ସମେଣ୍ଟରେ ହେଲମେଟ୍ ଚେକିଂକୁ ଗୁରୁତ୍ୱ ଦେଇଥାଏ ।
୨୦୨୪ ବର୍ଷରେ ୭,୮୯,୦୧୫ଟି ହେଲମେଟ୍ ନିୟମ ଉଲ୍ଲଙ୍ଘନ ଚିହ୍ନଟ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଅନେକ ସମୟରେ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଦ୍ୱାରା ନିୟମ ଉଲ୍ଲଙ୍ଘନକାରୀଙ୍କୁ ସେମାନଙ୍କ ମାନସିକତା ପରିବର୍ତ୍ତନ କରିବାକୁ କାଉନସେଲିଂ କରାଯାଇଛି ।
ଦୁଇଚକିଆରେ ଗଲେ ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ ।ହେଲମେଟର ମୂଲ୍ୟ ଓ ହେଲମେଟର ବୋଝ ଆମ ଜୀବନ ତୁଳନାରେ କିଛି ବି ନୁହେଁ । ତଥାପି ଅନେକ ଲୋକ ଏହା ଜାଣି ବି ଏହାର ବ୍ୟବହାର କରିବାରେ ଅବହେଳା ଦେଖାଇବା ଦୃଷ୍ଟିକୁ ଆସୁଛି । ତେଣୁ ଆଗକୁ ହେଲମେଟ୍ ବ୍ୟବହାର ଉପରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ଏବଂ ଏନଫୋର୍ସମେଣ୍ଟ ବୃଦ୍ଧି ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ ପାଇଁ ଦୁର୍ଘଟଣାର କାରଣ ଗୁଡ଼ିକର ଅନୁଧ୍ୟାନ କରି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।