Home Agriculture ହେକ୍ଟର ପ୍ରତି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ

ହେକ୍ଟର ପ୍ରତି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ହେକ୍ଟର ପ୍ରତି ହାରାହାରି ୧୨.୧୭ ଟନ୍‍ ମୃତ୍ତିକା କ୍ଷୟ ହେଉଛି । ଏପରିକି କେତେକ ସ୍ଥରେ ହେକ୍ଟର ପ୍ରତି ୮୦ଟନ୍‍ରୁ ଅଧିକ ମୃତ୍ତିକା କ୍ଷୟ ହେଉଛି । ଏହାର ନିରାକରଣ ଲାଗି ଗତ ୧୦ବର୍ଷ ମଧ୍ୟରେ ୩ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ହେକ୍ଟର ପ୍ରତି ୫ ପ୍ରତିଶତରୁ କମ୍‍ ମୃତ୍ତିକା କ୍ଷୟ ଦ୍ୱାରା ପ୍ରଭାବିତ ହେଉଥିବା ଜମିର ପରିମାଣ ୭୭.୨୬ଲକ୍ଷ ହେକ୍ଟର ହୋଇଥିବାବେଳେ ୭.୫ ଟନ୍‍ ମୃତ୍ତିକା କ୍ଷୟ ଦ୍ୱାରା ପ୍ରଭାବିତ ଜମିର ପରିମାଣ ପ୍ରାୟ ୨୯ଲକ୍ଷ ହେକ୍ଟର ରହିଛି । ସେହିଭଳି ହେକ୍ଟର ପ୍ରତି ୩୦ଟନ୍‍ ମୃତ୍ତିକା କ୍ଷୟ ଦ୍ୱାରା ପ୍ରଭାବିତ ଜମିର ପରିମାଣ ୧୪.୮୫ ଲକ୍ଷ ହେକ୍ଟର ହୋଇଥିବାବେଳେ ହେକ୍ଟର ପ୍ରତି ୬୦ଟନ୍‍ ମୃତ୍ତିକା କ୍ଷୟ ଦ୍ୱାରା ପ୍ରଭାବିତ ଜମିର ପରିମାଣ ୬.୫୭ଲକ୍ଷ ହେକ୍ଟର ରହିଛି । ତେବେ ୮୦ଟନ୍‍ରୁ ଅଧିକ ମୃତ୍ତିକାକ୍ଷୟ ଦ୍ୱାରା ପ୍ରଭାବିତ ଜମିର ପରିମାଣ ୧.୬୨ଲକ୍ଷ ହେକ୍ଟର ଜମି ହୋଇଥିବାବେଳେ ଏଠାରେ ବର୍ଷକୁ ୧.୪୫ କୋଟି ଟନ୍‍ରୁ ଅଧିକ ମୃତ୍ତିକା କ୍ଷୟ ହେଉଛି ।

ମୃତ୍ତିକା କ୍ଷୟକୁ ରୋକିବା ଲାଗି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟ ଅର୍ନ୍ତଗତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ୧୦ବର୍ଷ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି । ଏ ବାବଦରେ ୩୨୮୬ କୋଟିରୁ ଅଧିକ ଟଙ୍କା ବ୍ୟୟ ବି ହୋଇ ସାରିଲାଣି । ଏହି ସୂଚନା ଅନୁଯାୟୀ ସର୍ବାଧିକ ୩୬୧ କୋଟି ଟଙ୍କା ନବରଙ୍ଗପୁର ଜିଲ୍ଲାରେ ବ୍ୟୟ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାରେ ଏହା ୩୦୭କୋଟି ଟଙ୍କାରୁ ଅଧିକ ରହିଛି । ସେହିଭଳି ମୃତ୍ତିକା ସଂରକ୍ଷଣ ପାଇଁ ମୟୁରଭଞ୍ଜ ଜିଲ୍ଲାରେ ପ୍ରାୟ ୨୫୨ କୋଟି, ରାୟଗଡାରେ ୨୪୬ କୋଟି, କେନ୍ଦୁଝରରେ ୨୨୦ କୋଟି ୭୮ଲକ୍ଷ, କୋରାପୁଟରେ ୨୦୧ କୋଟି, ଗଞ୍ଜାମରେ ୧୫୫.୪୯ କୋଟି ଓ ଢେଙ୍କାନାଳରେ ୧୫୨.୬୯ କୋଟି ଟଙ୍କା ବ୍ୟୟ ହୋଇଛି ।

ସେହିଭଳି ବର୍ଷା ଓ ବନ୍ୟାଜନିତ ଜଳଗହଳ ତଥା ଲୁଣି ପାଣି ମାଡି ଆସିଥିବାରୁ ସମୁଦ୍ର ଉପକୂଳବର୍ତ୍ତୀ ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋରଧା ଓ ଗଞ୍ଜାମ ଜିଲ୍ଲାରେ ୨.୫୪ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ଏହିସବୁ ଜିଲ୍ଲାରେ ଜିଲ୍ଲାରେ ମୃତ୍ତିକା ସଂରକ୍ଷଣକୁ ରୋକିବାପାଇଁ ବ୍ୟାପକ ଅର୍ଥ ବ୍ୟୟ ହୋଇଛି । ୨୦୧୭-୧୮ବର୍ଷରେ ଖୋରଧା ଓ ପୁରୀ ଜିଲ୍ଲାରେ ୧୩୭ ହେକ୍ଟରରେ ୮୩ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୮-୧୯ରେ ଖୋରଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୧୩୮ହେକ୍ଟରେ ୮୩.୩୩ କୋଟି ଟଙ୍କା ଏବଂ ୨୦୨୦-୨୧ ବର୍ଷରେ ଖୋରଧା, ପୁରୀ, ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରେ ୨୦୮ହେକ୍ଟରେ ୧୨୫ କୋଟି ଟଙ୍କା ବ୍ୟୟ କରାଯାଇଛି ।

ରାଜ୍ୟରେ ଯେଭଳି ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଛି ଏବଂ ଜଙ୍ଗଲ ପଦା ହେଉଛି ମୃତ୍ତିକା କ୍ଷୟର ତାହା ପ୍ରମୁଖ କାରଣ ପାଲଟିଛି । ଏଥି ସହିତ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ପରିବେଶଗତ କାରଣରୁ ବି ସମୁଦ୍ର କୂଳ ଖାଇବାରେ ଲାଗିଛି । ଏହାର ପ୍ରତିକାର କରାନଗଲେ ଆଗାମୀ ଦିନରେ ଏହା ରାଜ୍ୟପାଇଁ ବଡ ବିପଦ ଆଣିଦେବ ବୋଲି ପରିବେଶବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)