ଭୁବନେଶ୍ୱର : ନିଶା ନିବାରଣ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବାବେଳେ ନିଶା ବ୍ୟବହାର କମିବା ପରିବର୍ତ୍ତେ କିନ୍ତୁ ବଢି ବଢି ଚାଲିଛି ।
୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ବର୍ଷରେ ଓଡିଶା ରାଜ୍ୟ ପାନୀୟ ନିଗମ ତାହାର ସିଏସ୍ଆର ପାଣ୍ଠିରୁ ୫୯ଲକ୍ଷ ୫୪ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ‘ଆମ ସଙ୍କଳ୍ପ – ନିଶା ନୁହେଁ ଜୀବନ’ ଜନସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇଛି ପ୍ରାୟ ୪କୋଟି ୧୦ଲକ୍ଷ ଟଙ୍କା । ଏହାଛଡା କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନରେ ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ସାମିଲ କରାଯାଇ ସେଥିରେ ବି ବ୍ୟାପକ ଅର୍ଥ ବ୍ୟୟ କରାହୋଇଛି ।
ଏସବୁ ସତ୍ୱେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ମଦ ବିକ୍ରି ଉଦବେଗଜନକ ଭାବେ ବୃଦ୍ଧି ପାଇଛି । କେବଳ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ୨୦୨୦-୨୧ ରୁ ୨୦୨୪-୨୫ ବର୍ଷ ମଧ୍ୟରେ ପ୍ରାୟ ୪୦କୋଟି ଲିଟର ବିଭିନ୍ନ କିସମର ମଦ ବିକ୍ରି କରାଯାଇଥିବା ଜଣାପଡିଛି । ଚୋରା ଓ ନକଲି ମଦର ପରିମାଣ ଏହାଠାରୁ ଢେର ଅଧିକ ହେବ ବୋଲି ମଦମୁକ୍ତି ଅଭିଯାନ ପକ୍ଷରୁ ବାରମ୍ବାର କୁହାଯାଉଛି ।
ସରକାରୀ ତଥ୍ୟ ମୁତାବକ ୨୦୨୦-୨୧ ବର୍ଷରେ ଓଡିଶାରେ ସରକାରୀ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକ ମାଧ୍ୟମରେ ୫କୋଟି ୪୩ଲକ୍ଷ ଲିଟର ବିଦେଶୀ ମଦ, ୪କୋଟି ୭୧ଲକ୍ଷ ଲିଟର ବିୟର ୮୨ଲକ୍ଷ ଲିଟର ଦେଶୀ ମଦ ଓ ୯କୋଟି ୯ଲକ୍ଷ ଲିଟର ବାହାରଭାଟି ମଦ ବିକ୍ରି ହୋଇଥିଲା । ଜନସଚେତନତା ପାଇଁ ବ୍ୟାପକ ଅର୍ଥ ବ୍ୟୟ ସତ୍ୱେ ମଦ ବିକ୍ରି କିନ୍ତୁ କମିବା ପରିବର୍ତ୍ତେ ବଢି ଚାଲିଛି । ୨୦୨୪-୨୫ ବର୍ଷରେ ଓଡିଶାରେ ୮କୋଟି ୪୦ଲକ୍ଷ ଲିଟର ବିଦେଶୀ ମଦ, ୧୬କୋଟି ୭୯ଲକ୍ଷ ଲିଟିର ବିୟର, ୧କୋଟି ୮୩ଲକ୍ଷ ଲିଟର ଦେଶୀ ମଦ ଓ ୧୩ କୋଟି ୧୫ଲକ୍ଷ ଲିଟର ବାହାରଭାଟି ମଦ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ମଦୁଆମାନଙ୍କୁ ଯୋଗାଇ ଦିଆଯାଇଛି । ଏହା ଉପରେ ନକଲି ଓ ଚୋରା ମଦର ପରିମାଣ କେତେ ତାହାର ନିର୍ଦ୍ଦିଷ୍ଟ ହିସାବ କାହା ପାଖରେ ନାହିଁ ।
ମଦ ଛଡା ଗଞ୍ଜେଇ, ଚରସ, ହେରୋଇନ୍, ବ୍ରାଉନସୁଗାର, ବିପଦଜନକ କଫ୍ ସିରପ, ସ୍ପିରିଟ୍ ଓ ଅନ୍ୟାନ୍ୟ ବହୁ କିସମର ନିଶା ଔଷଧ ଓଡିଶା ବଜାରରେ ହାଉଯାଉ । ଏମିତିକି ଦେଶର ବିଭିନ୍ନ ରାଜ୍ୟକୁ ଓଡିଶାରୁ ଚୋରା ଗଞ୍ଜେଇ ଚାଲାଣ ମଧ୍ୟ ଅବ୍ୟାହତ ରହିଛି । ଅଥଚ ଗଞ୍ଜେଇ ଗଛ ନଷ୍ଟ କରିବାଲାଗି ପ୍ରତିବର୍ଷ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ଶ୍ରାଦ୍ଧ କରାଯାଉଛି ।
ଗୋଟିଏ ପଟେ ନିଶା କାରବାର ବୃଦ୍ଧି ସହ ବିଭିନ୍ନ କିସମର ରୋଗବ୍ୟାଧି, ପାରିବାରିକ ବିଭ୍ରାଟ, ଦୁର୍ଘଟଣା, ଆତ୍ମହତ୍ୟା, ଅପରାଧ ବଢୁଛି । ତେବେ ନିଶା ଯୋଗୁଁ ଅପରାଧ ବଢୁଥିବା କଥାକୁ ଅବକାରୀ ବିଭାଗ ମାନିବାକୁ ପସ୍ତ୍ରୁତ ନୁହେଁ । ଏଠାରେ ଉଲ୍ଲେଖନୀୟ ଯେ ୨୦୨୯ସୁଦ୍ଧା ଓଡିଶାକୁ ନିଶାମୁକ୍ତ କରିବା ସହିତ ସମ୍ବିଧାନର ୪୭ ଧାରାକୁ କଡାକଡି ଭାବେ କାର୍ଯ୍ୟକରି କରି ବିଷାକ୍ତ ପାନୀୟ ଓ ଡ୍ରଗ୍ସକୁ ନିୟନ୍ତ୍ରଣ କରି ‘ଉତ୍କୃଷ୍ଟ ଜୀବନ’ ପଦକ୍ଷେପ ଆରମ୍ଭ ଲାଗି ୨୦୨୪ ସାଧାରଣ ନିର୍ବାଚନ ସମୟରେ ଓଡିଶା ଶାଖା ବିଜେପି ପକ୍ଷରୁ ଜାରି ସଙ୍କଳ୍ପପତ୍ରରେ ଘୋଷଣା କରାଯାଇଥିଲା ।
ଇତି ମଧ୍ୟରେ ରାଜ୍ୟରେ ବିଜେପି ସରକାର ଗଢାଯିବାର ପ୍ରାୟ ଦେଢ ବର୍ଷ ପୂରିଲାଣି । କିନ୍ତୁ ଏହି ସମୟ ଭିତରେ ନିଶା ନିବାରିତ ହେବା ପରିବର୍ତ୍ତେ ପୂର୍ବଭଳି ପ୍ରସାରିତ ହେବାରେ ଲାଗିଛି । ଯେଉଁ ହାରରେ ସାରା ରାଜ୍ୟରେ ସରକାରୀ ସ୍ୱୀକୃତ ଓ ଚୋରା ନିଶା କାରବାର ଚାଲିଛି ତାହା ଅବ୍ୟାହତ ରହିଲେ ୨୦୨୯ ସୁଦ୍ଧା ଓଡିଶା ନିଶାର ବନ୍ୟାରେ ଉବୁଟୁବୁ ହେଉଥିବ ବୋଲି ମଦମୁକ୍ତି ଅଭିଯାନ ଚେତାବନୀ ଦେଇଛି । ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ସରକାର ମଦଦୋକାନ ବନ୍ଦ କରିବା ପରିବର୍ତ୍ତେ ବନ୍ଦ ଥିବା ମଦ ଦୋକାନରୁ ପ୍ରାୟ ୭୦ଟି ପୁଣି ଖୋଲିବା ସହିତ ଆଉ ତିନିଟି ନୂଆ ମଦ କାରଖାନା ସ୍ଥାପନ କରିବାକୁ ସୂଚନା ଦେଇଛନ୍ତି । (ତଥ୍ୟ)

