ଭୁବନେଶ୍ୱର : ରାଜ୍ୟରେ ଅନାଦେୟ ଋଣ (ଏନପିଏ) ପରିମାଣ ହୁ ହୁ ହୋଇ ବଢିବାରେ ଲାଗିଛି । ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୧୫,୨୬୯ କୋଟି ଟଙ୍କାକୁ ଟପିଯାଇଛି ।
ରାଜ୍ୟରେ ଏନପିଏର ଏଭଳି ବୃଦ୍ଧି ଏବେ ବ୍ୟାଙ୍କ୍ମାନଙ୍କୁ ଚିନ୍ତାରେ ପକାଇଛି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅଧିକାରୀମାନେ ଏହାକୁ ସ୍ୱୀକାର କରିଛନ୍ତି । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଏନ୍ପିଏ ପରିମାଣ ୧୫,୧୬୩.୫୧ କୋଟି ହୋଇଥିବାବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ତାହା ୧୫,୨୬୯.୫୨ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଏନ୍ପିଏ ପରିମାଣ ହାରାହାରି ୬.୦୯ ପ୍ରତିଶତ ଥିବାବେଳେ ଏମ୍ଏସଏମଇ କ୍ଷେତ୍ରରେ ଏହା ୮.୯୪ ପ୍ରତିଶତ ରହିଛି ।
ତେବେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ପିଏମଇଜିପି) ରେ ଏନ୍ପିଏ ପରିମାଣ ସର୍ବାଧିକ ୩୫.୨୭ ପ୍ରତିଶତ ରେକର୍ଡ କରାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨୭.୬୮ ପ୍ରତିଶତ ଥିଲା । ବ୍ୟାଙ୍କ୍ଗୁଡିକୁ ପିଏମ୍ଇଜିପି ଯୋଜନାରେ ଋଣ ଫେରସ୍ତ ହେଉନଥିବାରୁ ଉଭୟ ଋଣ ଓ ସୁଧ ପରିମାଣ ବଢିବାରେ ଲାଗିଛି ।
ସେହିଭଳି ସ୍ୱଳ୍ପ ମିଆଦୀ କୃଷି ଋଣ କ୍ଷେତ୍ରରେ ମଧ୍ୟ ଏନ୍ପିଏ ଅଧିକ ରହିଛି । ସେପ୍ଟେମ୍ବର ୩୦ ସୁଦ୍ଧା ଏହି କ୍ଷେତ୍ରରେ ଏନ୍ପିଏ ୧୪.୧୮ ପ୍ରତିଶତ ଥିବାବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୧୨.୪୯ ପ୍ରତିଶତ ରହିଥିଲା । ଏନ୍ପିଏ ପରିମାଣ ୧୦.୩୭ ପ୍ରତିଶତ ଯୋଗୁଁ କୃଷି ଋଣ ଏବେ ‘ବ୍ୟାଡ୍ ଲୋନ୍’ରେ ପରିଣତ ହୋଇଛି ।
ଶିକ୍ଷା ଋଣ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଏହି ଋଣ ନେଇଥିବା ଶିକ୍ଷାର୍ଥୀମାନେ ଋଣ କିମ୍ବା ସୁଧ ଫେରସ୍ତ କରୁନଥିବାରୁ ଏ କ୍ଷେତ୍ରରେ ଏନପିଏ ବଢିବାରେ ଲାଗିଛି । ପିଏମଇଜିପି ଭଳି ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍ଏଚ୍ଜି) ମଧ୍ୟ ସେମାନଙ୍କର ଋଣ ପରିଶୋଧ କରୁନାହାନ୍ତି । ଢେଙ୍କାନାଳ, ପୁରୀ, ନୟାଗଡ, କେନ୍ଦ୍ରାପଡା ଏବଂ କନ୍ଧମାଳ ଜିଲ୍ଲାକୁ ମିଳିତ ଋଣ ଆଦାୟ ପାଇଁ ଚିହ୍ନଟ କରାଯାଇଛି । ଏହିସବୁ ଜିଲ୍ଲାରେ ଏମଏସଏମଇ ଋଣ ଫେରସ୍ତ କରୁନଥିବା ବଡ ଖିଲାପକାରୀଙ୍କ ଠାରୁ ଅର୍ଥ ଆଦାୟ ପାଇଁ ଉଭୟ ବ୍ୟାଙ୍କ୍ ଓ ରାଜ୍ୟ ସରକାର ମିଳିତ ଭାବେ ଅର୍ଥ ଆଦାୟ ଲାଗି ଯୋଜନା କରିଛନ୍ତି ।
ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏନ୍ପିଏ ଉପରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଏନ୍ପିଏ ପରିମାଣ ହ୍ରାସ ସହିତ ରାଜ୍ୟ ସରକାରଙ୍କ ସହାୟତାରେ ଅନାଦେୟ ଋଣ ଆଦାୟ ଲାଗି କୁହାଯାଇଥିଲା । ନୂତନ ଋଣ ପ୍ରଦାନ କ୍ଷେତ୍ରରେ ଠିକଣା ଭାବେ ତଦାରଖ ସହିତ ଋଣଗ୍ରହୀତାମାନଙ୍କୁ ସଚେତନ ପାଇଁ ବ୍ୟାଙ୍କ୍ଗୁଡିକୁ ପରାମର୍ଶ ଦିଆଯାଇଛି । ସେହିଭଳି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି ଲାଗି ବ୍ୟାଙ୍କ୍ଗୁଡିକୁ କୁହାଯାଇଛି । (ତଥ୍ୟ)