Home News in Odia ହୀରାକୁଦର ୮ଟି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି

ହୀରାକୁଦର ୮ଟି ଗେଟ୍‌ ବନ୍ଦ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍‌ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜୀବ ଭବନସ୍ଥିତ ଏସ୍‌ଆର୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା ରାଜ୍ୟରେ ସଂପ୍ରତି ବୃଷ୍ଟିପାତ ଏବଂ ବନ୍ୟାସ୍ଥିତି ସଂପର୍କରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ବନ୍ୟାର ବିଭିନ୍ନ ଦିଗକୁ ସମୀକ୍ଷା କରି ନଦୀବନ୍ଧଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ୨୪ ଘଣ୍ଟିଆ ପେଟ୍ରୋଲିଂ ଜାରି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାତି୍ର ସମୟରେ ଡିଜିସେଟ୍‌ ଓ ପେଟ୍ରୋମାକ୍ସ ଲାଇଟ୍‌ ଲଗାଇ ବନ୍ଧ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି କାର୍ଯ୍ୟରେ ନଦୀକୂଳିଆ ଗ୍ରାମର ବାସିନ୍ଦା, ଜନପ୍ରତିନିଧି, ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକି୍ରୟ ଭାବେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ଜଳସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ବର୍ଷା ଓ ବନ୍ୟାସ୍ଥିତିର ପୁନଃସମୀକ୍ଷା କରାଯିବ ଏବଂ ଗେଟ୍‌ ଖୋଲିବା ସଂପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ବୈଠକ ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଲେ ଯେ ଲଗୁଚାପ ଫଳରେ ଲଗାଣ ବର୍ଷା ହୋଇଛି । ମହାନଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରଠାରେ ୩୬୮ ମିଲିମିଟର ବର୍ଷା ହୋଇଥିବାବେଳେ ୭ଟି ବ୍ଲକ୍‌ରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

ଇନ୍ଦ୍ରାବତୀ, ତେଲ ଓ ମହାନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହୋଇଛି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହୋଇଛି । ହୀରାକୁଦର ୮ଟି ଗେଟ୍‌ ବନ୍ଦ ହେବା ଫଳରେ ୧ ଲକ୍ଷରୁ ୧.୨୦ ଲକ୍ଷ କୁ୍ୟସେକ୍‌ ଜଳ ପ୍ରବାହ କମିବ । ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ଗେଟ୍‌ ପରିଚାଳନା କରାଯିବ । ମୁଣ୍ଡୁଳୀ ନିକଟରେ ୧୧ ଲକ୍ଷ କୁ୍ୟସେକ୍‌ ଜଳ ପ୍ରବାହ ସ୍ଥିର ରହିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ହୀରାକୁଦର ୮ଟି ଗେଟ୍‌ ବନ୍ଦ ରହିବ ।

ବନ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ଅଧିକ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ଫାୟାର ସର୍ଭିସର ଟିମ୍‌ ମୁତୟନ କରାଯାଉଛି । ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ପଠାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ହୀରାକୁଦର ଜଳଧାରଣ କ୍ଷମତା ୬୩୦ ମିଟର ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଜଳସ୍ତର ୬୨୧ ମିଟର ରହିଛି । ତେଣୁ ତଳ ଅଞ୍ଚଳରେ ଜଳପ୍ରବାହର ପ୍ରକୋପ କମାଇବା ପାଇଁ ୮ଟି ଗେଟ୍‌ ବନ୍ଦ କରିବା ପାଇଁ ସାମୟିକ ଭାବେ ନିଷ୍ପତ୍ତି ନିଆଯାଇଛି ।