Home General ହୀନସ୍ତା ହେଉଛନ୍ତି ବିଏସଏନଏଲ୍‍ ଗ୍ରାହକ

ହୀନସ୍ତା ହେଉଛନ୍ତି ବିଏସଏନଏଲ୍‍ ଗ୍ରାହକ

ଭୁବନେଶ୍ୱର : ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‍ଏନଏଲ୍‍)ର ଗ୍ରାହକମାନେ ଏବେ ହନ୍ତସନ୍ତ । ଗାଁରୁ ସହର ପର୍ଯ୍ୟନ୍ତ ବିଏସଏନଏଲ୍‍ ଗ୍ରାହକମାନେ ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‍ କାଟ୍‍ ହେଲେ ଇଣ୍ଟରନେଟ୍‍ ସିଗ୍ନାଲ ପାଉନାହାନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗକଲେ ମଧ୍ୟ ଫଳ ଶୂନ ।

ବିଏସଏନଏଲ୍‍ କର୍ତ୍ତୃପକ୍ଷ ନିଜର ଟାୱାର ଜରିଆରେ ଗ୍ରାହକଙ୍କୁ ମୋବାଇଲ୍‍ ସେବା ଯୋଗାଇ ଦେଉଛନ୍ତି । ତେବେ ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‍ ସଂଯୋଗ କଟିଲା ମାତ୍ରେ ସିଗ୍ନାଲ କଟିଯାଉଛି ନଚେତ୍‍ ଧିମା ହେଉଛି । ବିଶେଷକରି ଇଣ୍ଟରନେଟ୍‍ ସଂଯୋଗ ବିଚ୍ଛିନ୍ନ ହେଉଛି । ଖୋଦ୍‍ ରାଜଧାନୀରେ କେତେକ ଅଞ୍ଚଳରେ ବି ଏଭଳି ସମସ୍ୟା ଉପୁଜୁଛି ।

ଗାଁ ଗହଳରେ ସ୍ଥିତି ଅତି ସଙ୍ଗୀନ । ଅଧିକାଂଶ ବିଏସଏନଏଲ ଟାୱାର କେବଳ ବିଦ୍ୟୁତ୍‍ ଭରସାରେ ଚାଲୁଛି । ଏଠାରେ ଜେନେରେଟର କିମ୍ବା ବ୍ୟାଟେରୀ ବ୍ୟାକ୍‍ଅପ୍‍ ନାହିଁ । ଯଦି କୌଣସି କାରଣରୁ ବିଦ୍ୟୁତ୍‍ କଟୁଛି ତେବେ ବିଦ୍ୟୁତ୍‍ ଆସିବା ପର୍ଯ୍ୟନ୍ତ ବିଏସଏନଏଲ୍‍ ଗ୍ରାହକମାନେ ଅପେକ୍ଷାକରି ରହୁଛନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗ କଲେ ପ୍ରାୟତଃ ଫଳ ଶୂନ ।

ସେହିଭଳି ଘରୋଇ ମୋବାଇଲ୍‍ କମ୍ପାନୀମାନେ ବିଭିନ୍ନ ସ୍ଥାନରେ ଟେଲି ସାନ୍ଧ୍ରତାକୁ ଅନୁଧ୍ୟାନ କରି ସେମାନଙ୍କର କାୟା ବିସ୍ତାର କରୁଥିବାବେଳେ ବିଏସଏନଏଲ୍‍ ଏ କ୍ଷେତ୍ରରେ ଢେର ପଛରେ ପଡିଛି । ଫଳରେ ଟାୱାର ଠାରୁ ଦୂର ଦୂରାନ୍ତରେ ଥିବା ଗ୍ରାହକମାନେ ଅତିଷ୍ଠ ହେବାରେ ଲାଗିଛନ୍ତି । ନିକଟରେ ଘରୋଇ ମୋବାଇଲ୍‍ କମ୍ପାନୀମାନେ ଅତ୍ୟଧିକ ଦରବୃଦ୍ଧି କରିବାରୁ ହଜାର ହଜାର ଗ୍ରାହକ ସେମାନଙ୍କ ଠାରୁ ମୁହଁ ଫେରାଇ ଶସ୍ତାରେ ମୋବାଇଲ୍‍ ସେବା ଯୋଗାଉଥିବା ବିଏସଏନଏଲ୍‍ ମୁହାଁ ହୋଇଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ସଂସ୍ଥା ତାହାର କ୍ଷମତା ବୃଦ୍ଧି କରୁନଥିବାରୁ କମ୍ପାନୀ ବଦଳାଇଥିବା ହିତାଧିକାରୀମାନେ ଏବେ ମହରଗରୁ ଆସି କାନ୍ତାରରେ ପଡିଲା ଭଳି ଦଶା ଭୋଗୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବିଏସଏନଏଲ କର୍ତ୍ତୃପକ୍ଷ ଅନେକ ଟାୱାରରେ ବ୍ୟାଟେରୀ ବ୍ୟାକ୍‍ଅପ୍‍ ରଖୁନଥିବାରୁ ଗ୍ରାହକମାନେ ହୀନସ୍ତା ହେଉଛନ୍ତି । ବିଦ୍ୟୁତ୍‍ ସଂଯୋଗ କଟିଲେ କୌଣସି ପ୍ରକାରେ ଫୋନ୍‍ ସଂଯୋଗ ରହୁଥିବାବେଳେ ଇଣ୍ଟରନେଟ୍‍ ସଂଯୋଗ ତୁରନ୍ତ କଟିଯାଉଛି ।

ଇତି ମଧ୍ୟରେ ବହୁ ଗ୍ରାହକଙ୍କୁ ହାତଛଡା କରିଥିବା ଘରୋଇ ଟେଲିଫୋନ୍‍ କମ୍ପାନୀମାନେ ୫ଜି ସେବା ଜରିଆରେ ଗ୍ରାହକମାନଙ୍କୁ ନିଜ ଆଡକୁ ଆଣିବାପାଇଁ ଉଦ୍ୟମ ଜୋରଦାର କରୁଥିବାବେଳେ ବିଏସଏନଏଲ୍‍ର ଏଭଳି ଦୁର୍ବଳ ସେବା ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଛି । ତେଣୁ ଅନ୍ତତଃ ପକ୍ଷେ ବିଏସଏନଏଲ୍‍ ଟାୱାରଗୁଡିକରେ ନିରବଚ୍ଛିନ୍ନ ଶକ୍ତି ଯୋଗାଣର ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି । ନହେଲେ ଶସ୍ତାରୀ ହୀନସ୍ତା ହେଉଥିବା ଗ୍ରାହକମାନେ ପୁଣିଥରେ ଘରୋଇ କମ୍ପାନୀ ଆଡକୁ ମୁହାଁଇବେ । (ତଥ୍ୟ)