Home General ହାଲ୍ ସହ ୨୬,୦୦୦ କୋଟିର ଚୁକ୍ତି

ହାଲ୍ ସହ ୨୬,୦୦୦ କୋଟିର ଚୁକ୍ତି

ନୂଆଦିଲ୍ଲୀ : ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ ।

ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

ଏହି ଏରୋଇଞ୍ଜିନ୍ ଗୁଡ଼ିକ ହାଲ୍ ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ଏସ୍‌ୟୁ-୩୦ ଫ୍ଲିଟ୍ ର ପରିଚାଳନା କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି। ଚୁକ୍ତିଭିତ୍ତିକ ହସ୍ତାନ୍ତର କାର୍ଯ୍ୟସୂଚୀ ଅନୁଯାୟୀ ହାଲ୍ ବାର୍ଷିକ ୩୦ଟି ଏରୋ ଇଞ୍ଜିନ୍ ଯୋଗାଣ କରିବ । ଆସନ୍ତା ୮ ବର୍ଷ ମଧ୍ୟରେ ସମସ୍ତ ୨୪୦ଟି ଇଞ୍ଜିନର ଯୋଗାଣ ଶେଷ ହେବ।

ଉତ୍ପାଦନ ସମୟରେ ଏମଏସଏମଇ ଏବଂ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକୁ ସାମିଲ କରି ଦେଶର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମର ସହାୟତା ନେବାକୁ ହାଲ୍ ଯୋଜନା କରିଛି। ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ ସୁଦ୍ଧା ହାଲ୍ ୫୪% ରୁ ଅଧିକ ହାରାହାରି ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱଦେଶୀକରଣ ପରିମାଣକୁ ୬୩% ପର୍ଯ୍ୟନ୍ତ ବୃଦ୍ଧି କରିବ। ଏହା ଏରୋ-ଇଞ୍ଜିନର ମରାମତି ଏବଂ ଓଭରହୋଲ କାର୍ଯ୍ୟରେ ସ୍ୱଦେଶୀ ଉପାଦାନକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ।