Home Forest ହାତୀ ଉପଦ୍ରବ ଅଞ୍ଚଳରେ ମାଳ ମାଳ ମାଟି ଘର

ହାତୀ ଉପଦ୍ରବ ଅଞ୍ଚଳରେ ମାଳ ମାଳ ମାଟି ଘର

ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଥିବା ଘରକୁ ନେଇ ବିବାଦ ଦେଖାଦେବା ଓ ଏତେ ସଂଖ୍ୟାରେ ମାଟିଘର କିପରି ରହିଲା ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ହାତୀମାନେ ହଜାରେରୁ ଅଧିକ ଘର ଭାଙ୍ଗିଛନ୍ତି । ହାତୀଙ୍କ ଦ୍ୱାରା ଭାଙ୍ଗିଥିବା ଘରଗୁଡିକ ମଧ୍ୟରୁ ସଂଖ୍ୟାଧିକ ମାଟି ଘର ଥିବା ଜଣାଯାଇଛି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ହାତୀମାନେ ଉପଦ୍ରବ ଆରମ୍ଭ କରିଛନ୍ତି । ବିଶେଷକରି ଫସଲ ଅମଳ ସମୟରେ ଏମାନେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବାବେଳେ ଏବେ ବର୍ଷର ଅଧିକାଂଶ ସମୟରେ ଏମାନେ ଗାଁ ଗହଳରେ ପଶି ଫସଲ ନଷ୍ଟ କରିବା ସହିତ ଘରେ ଥିବା ଧାନ, ଚାଉଳ ଆଦିକୁ ଖାଇ ଦେଉଛନ୍ତି । ବହୁ ସ୍ଥାନରେ ଘରକାନ୍ଥ ଭାଙ୍ଗି ଧାନ, ଚାଉଳ ସହିତ ରୋଷେଇ ହୋଇଥିବା ସାମଗ୍ରୀକୁ ମଧ୍ୟ ଖାଇ ଦେଉଛନ୍ତି ।

ହାତୀମାନେ ଗୋଟିଏ ବର୍ଷରେ ୧୦୮୭ଟି ଘରକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାଙ୍ଗିଛନ୍ତି । ଘରର କାନ୍ଥ ମାଟି, ଝାଟିମାଟିରେ ହୋଇଥିବାବେଳେ ଉପରେ ଖପରଲି ନଚେତନ ଆଜଷ୍ଟେସନ ପଡିଛି । ଫଳରେ ହାତୀମାନେ ସହଜରେ ଏଭଳି ଘରକୁ ଭାଙ୍ଗିବା ସହିତ ଖାଦ୍ୟଦ୍ରବ୍ୟ ନଷ୍ଟ କରୁଛନ୍ତି ।

ତେବେ ହାତୀ ଉପଦ୍ରବ ହେଉ କିମ୍ବା ବନ୍ୟା ଓ ବାତ୍ୟାଞ୍ଚଳ ହେଉ ସେଠାରେ ଯେ ପର୍ଯ୍ୟାପ୍ତ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ରାଜ୍ୟ ସରକାରଙ୍କ ଗୃହ ଯୋଜନାରେ ପକ୍କାଘରଟିଏ ପାଇନଥିବା ସ୍ପଷ୍ଟ ହେବାରେ ଲାଗିଛି । କାରଣ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ମିଳୁଥିବା ଘର କାନ୍ଥ ଇଟାରେ ହେବା ସହିତ ଛାତ ଘର ହୋଇଥାଏ । ତେଣୁ ହାତୀମାନେ ଏହାକୁ ଭାଙ୍ଗି ଭିତରେ ଥିବା ସାମଗ୍ରୀକୁ ଖାଇବା କିମ୍ବା ନଷ୍ଟ କରିବା ଏତେ ସହଜ ନୁହେଁ ।

ବର୍ତ୍ତମାନ ବାତ୍ୟା ଦାନାରେ ନଷ୍ଟ ହୋଇଥିବା ମାଟି ଘରଗୁଡିକୁ ନେଇ ଆଲୋଚନା ସମାଲୋଚନା ଆରମ୍ଭ ହୋଇଥିବାବେଳେ ହାତୀମାନେ ଭାଙ୍ଗି ଦେଉଥିବା ମାଟି ଘର କଥା କେହି କହୁନାହାନ୍ତି । ବାତ୍ୟା ଓ ବନ୍ୟାପ୍ରବଣ ଅଞ୍ଚଳ ଭଳି ହାତୀ ଉପଦ୍ରବ ହେଉଥିବା ଅଞ୍ଚଳରେ ସମସ୍ତଙ୍କୁ ଆବାସ ଘର ଯୋଗାଇଦେବାକୁ ମତ ପ୍ରକାଶ ପାଉଛି । ତେବେ ଯୋଜନା କାର୍ଯ୍ୟକାରୀ ହେବାର ଏତେଦିନ ପରେ କ’ଣ ପାଇଁ ଜଙ୍ଗଲ ଆଖପାଖରେ ରହୁଥିବା ଲୋକେ ପକ୍କା ଘରଟିଏ ପାଉନାହାନ୍ତି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି କୁହାଯାଉଛି ।

କାରଣ ପକ୍କାଘରଟିଏ ନଥିବାରୁ ଲୋକେ ବାରମ୍ବାର ହାତୀ ଆକ୍ରମଣ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବାବେଳେ ସରକାର ବି ଏ ବାବଦରେ ଟଙ୍କା ଗଣିବାରେ ଲାଗୁଛନ୍ତି । ହାତୀମାନେ ଆଂଶିକ ଗୃହ ନଷ୍ଟ କଲେ ଗୃହକର୍ତ୍ତାଙ୍କୁ ସରକାର ୧୦ହଜାର ଟଙ୍କା ଦେଉଥିବାବେଳେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ୨୦ହଜାର ଟଙ୍କା କରି ପ୍ରଦାନ କରୁଛନ୍ତି । ଏଥି ସହିତ ହାତୀମାନେ ନଷ୍ଟ କରୁଥିବା ଫସଲ ପାଇଁ ସରକାର ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି । (ତଥ୍ୟ)