ଭୁବନେଶ୍ୱର : ରାଜଧାନୀରେ ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିବା ଅଳିଆକୁ ଖତ କରି ବିଏମ୍ସି କୋଟି କୋଟି ଟଙ୍କାରେ ବିକ୍ରି କରୁଥିବାବେଳେ ଏହାକୁ ସଂଗ୍ରହ କରୁଥିବା ମହିଳାମାନେ କିନ୍ତୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଘର ବାହାରୁଥିବା ଅଇଁଠାକୁ ପୃଥକ କରୁଛନ୍ତି । ଲୋକଙ୍କ ଘର ଆଗରେ ଅଇଁଠା ସାମଗ୍ରୀ ସମେତ ଜରି, କାଗଜ, ପ୍ଲାଷ୍ଟିକ ଆଦିକୁ ହାତରେ ଖେଳାଇ ଅଲଗା କରୁଥିବା ଲକ୍ଷ୍ୟ କରାଯାଉଛି ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ ସହରକୁ ସଫା ସୁତୁରା ରଖିବାପାଇଁ ଲୋକେ ଯେଭଳି ସେମାନଙ୍କ ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗିବେ ସେଥିପାଇଁ ତାହାକୁ ସଂଗ୍ରହ କରୁଛନ୍ତି । ଏଥିପାଇଁ ବିଭିନ୍ନ ସଂସ୍ଥାଙ୍କୁ ଦାୟିତ୍ୱ ଦେଇଛନ୍ତି । ସଂସ୍ଥାଦ୍ୱାରା ନିଯୁକ୍ତି ଯାନ ଓ ମହିଳାମାନେ ରାତି ପାହିଲେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ।
ତେବେ ଘରୁ ବାହାରୁଥିବା ଅଳିଆ ବିଶେଷକରି ଓଦା ଓ ଶୁଖିଲା ଅଳିଆକୁ ଅଲଗା କରି ସଂଗ୍ରହକାରୀଙ୍କୁ ଦେବାପାଇଁ କୁହାଯାଇଛି । ଏଥିପାଇଁ ଅଳିଆ ସଂଗ୍ରହକାରୀ ଯାନରେ ଅଲଗା ଅଲଗା ସ୍ଥାନ ରହିଛି । ହେଲେ ଏହାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ଘରୁ ବାହାରୁଥିବା ସମସ୍ତ ଅଳିଆକୁ ପଲିଥିନ୍ ମୁଣାରେ ପୂରାଇ କିମ୍ବା ପ୍ଲାଷ୍ଟିକ ପାତ୍ରରେ ରଖି ଘର ଆଗରେ ଟଙ୍ଗାଇ ଦେଉଛନ୍ତି ।
ନିକଟରେ ସମସ୍ତ ଅଳିଆକୁ ଏକାଠି କରି ନେଉଥିବା ସଂଗ୍ରହକାରୀଙ୍କୁ ତାଗିଦା କରାଯିବା ସହିତ ଅଳିଆକୁ ପୃଥକ କରି ଆଣିବାପାଇଁ କୁହାଯାଇଥିଲା । ଏହାକୁ ନେଇ ବାଦ ବିବାଦ ଉପୁଯିବାପରେ ପେଟ ପାଟଣା ଭୟରେ ମହିଳାମାନେ ଏହି ଅଳିଆକୁ ସଂଗ୍ରହ ସ୍ଥାନରେ ହିଁ ପୃଥକ କରୁଛନ୍ତି । ଲୋକେ ଜରିରେ ଦେଉଥିବା ଅଇଁଠା ଓ ବାସି ଖାଦ୍ୟ ସାମଗ୍ରୀକୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଓ ପୂତ୍ତି ଗନ୍ଧମୟ ପରିସ୍ଥିତିରେ ଅଲଗା କରାଯାଉଛି । ଏଥିପାଇଁ ସଂଗ୍ରହକାରୀ ମହିଳାମାନେ ଦୁଇଟି ପ୍ଲାଷ୍ଟିକ ପାତ୍ର ଧରି ଯାଉଛନ୍ତି । ମହିଳାମାନଙ୍କର ଅଇଁଠା ସାମଗ୍ରୀକୁ ହାତରେ ଏଭଳି ପୃଥକୀକରଣ କାର୍ଯ୍ୟ ମୁଣ୍ଡରେ ମଇଳା ବୋହିବା ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।
ଯେଉଁମାନେ ଘରୁ ବାହାରୁଥିବା ଅଳିଆକୁ ଏକାଠି କରି ଦେଉଛନ୍ତି ସେମାନଙ୍କ ଉପରେ କଟକଣା ଓ ଜୋରିମାନା ଆଦି ଲଗାଇବା ବଦଳରେ ସଂଗ୍ରହକାରୀ ସଂସ୍ଥା ଓ ବିଏମ୍ସି କିନ୍ତୁ ସଂଗ୍ରହକାରୀ ମହିଳାଙ୍କୁ ନାଲିଆଖି ଦେଖାଇ ଏଭଳି କାର୍ଯ୍ୟରେ ଲଗାଉଛି । ଏହାର କୁପ୍ରଭାବ କେବଳ ସଂଗ୍ରହକାରୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁନାହିଁ, ସମାଜକୁ ଏକ ଭିନ୍ନ ବାର୍ତ୍ତା ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି ।
ତେବେ ଏଭଳି ଅଳିଆ ଦେବା ଓ ପୃଥକୀକରଣ କରିବା ପଛରେ ରହିଛି ସହରେ ହାଉଯାଉ ହେଉଥିବା ନିଷିଦ୍ଧ ପଲିଥିନ୍ । ଲୋକେ ପଲିଥିନ୍ ମୁଣାରେ ସବୁତକ ଅଳିଆ ବାନ୍ଧି ସହଜରେ ଦେଇ ଦେଉଥିବାବେଳେ ତାହାକୁ ପ୍ରକ୍ରିୟାକରଣ କେନ୍ଦ୍ରରେ ପୃଥକ କରିବା ବ୍ୟୟବହୁଳ ହେଉଛି । ତେଣୁ ଲୋକଙ୍କ ନିକଟରେ ଏହାକୁ ପୃଥକ କରିବାପାଇଁ ସଂଗ୍ରହକାରୀ ମହିଳାଙ୍କ ଉପରେ ଚାପ ପକାଯାଉଛି ।
ଲୋକଙ୍କ ଶୁଖିଲା ଓ ଓଦା ଅଳିଆ ଅଲଗା କରି ଦେବାପାଇଁ ବର୍ଷ ବର୍ଷ ଧରି ବିଏମ୍ସି ପକ୍ଷରୁ ମାଇକ ଲଗାଇ ଓ ଅନ୍ୟାନ୍ୟ ଉପାୟରେ ସଚେତନ କରାଯାଉଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ତେବେ ଏହା ସମାଧାନର ପନ୍ଥା ବାହାର କରିବା ବଦଳରେ ମହିଳାମାନଙ୍କ ହାତରେ ଯେଭଳି ଅଇଁଠା ଓ ବାସୀ ଖାଦ୍ୟକୁ ଘଣ୍ଟାଯାଉଛି ତାହା ଅତ୍ୟନ୍ତ ଅମାନବୀୟ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)