ଭୁବନେଶ୍ୱର : ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ୧ଲକ୍ଷ ୨୮ ହଜାରରୁ ଅଧିକ ଲୋକ କର୍ମନିଯୁକ୍ତି ପାଇଛନ୍ତି । ଏହା କଳତନ୍ତ କର୍ମନିଯୁକ୍ତି ତୁଳନାରେ ଢେର ଅଧିକ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉତ୍ତରରୁ ଜଣାଯାଇଛି ।
ରାଜ୍ୟରେ ହସ୍ତତନ୍ତ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୨୪୪୧ଟି କଳତନ୍ତ ଓ ୫୮,୬୪୯ଟି ହସ୍ତତନ୍ତ କାର୍ଯ୍ୟକ୍ଷମ ଅଛି । କଳତନ୍ତରେ ୪୨୮୪ ଜଣ କର୍ମନିଯୁକ୍ତି ପାଇଥିବାବେଳେ ହସ୍ତତନ୍ତ କ୍ଷେତ୍ରରେ ୧,୨୮,୦୭୪ ଜଣ ବୁଣାକାର କର୍ମନିଯୁକ୍ତି ପାଇଛନ୍ତି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବେସରକାରୀ ସ୍ତରରେ ପ୍ରତିଷ୍ଠା ହୋଇଥିବା ୬ଟି ପୋଷାକ ତିଆରି କାରଖାନାରେ ପାଖାପାଖି ୧୨ ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବାବେଳେ ସରକାରୀ ସ୍ତରରେ ଥିବା ଉଷ୍ମାୟନ କେନ୍ଦ୍ରରେ ୩୦୦ ଜଣ ନିଯୁକ୍ତି ପାଇଛନ୍ତି । ରାଜ୍ୟରେ ଥିବା ହସ୍ତତନ୍ତ ଗୁଡିକରେ ରାଜ୍ୟର ଐତିହ୍ୟ ବହନ କରୁଥିବା ଶାଢୀ ଯଥା କୋଟପାଡ, ବରହମପୁରୀ ପାଟ, ବମକାଇ, ମାଣିଆବନ୍ଧ, ଖଣ୍ଡୁଆ ପାଟ, ଓଡିଶା ଇକତ, ଗୋପାଳପୁର ପାଟ, ଧରାପଥର ପରଦା, ପଶାପଲ୍ଲୀ ଶାଢୀ, ସମ୍ବଲପୁରୀ ପାଟ ଇତ୍ୟାଦି ପ୍ରସ୍ତୁତ କରାଯାଏ । କଳତନ୍ତଗୁଡିକରେ ଦୈନନନ୍ଦି ବ୍ୟବହୃତ ଲୁଙ୍ଗି, ଗାମୁଛା, ଧୋତି ଓ ଶାଢୀମାନ ପ୍ରସ୍ତୁତ କରାଯାଇଥାଏ ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ କପା ଦର ବୃଦ୍ଧି, ବିଦ୍ୟୁତ୍ ଦର ବୃଦ୍ଧି, ପୁରୁଣା ଓ ଅପ୍ରଚଳିତ ଯନ୍ତ୍ରପାତି ବ୍ୟବହାର, ବାରମ୍ବାର ଶ୍ରମିକ ଅଶାନ୍ତି ସ ଦୀର୍ଘ ଅନୁପସ୍ଥିତି ଏବଂ ବିଭିନ୍ନ ନ୍ୟାୟାଳୟଗୁଡିକରେ ଅନେକ ମାମଲା ବିଚାରାଧିନ ଥିବାରୁ ରାଜ୍ୟରେ ବନ୍ଦ ପଡିଥିବା ସମବାୟ ଭିତ୍ତିକ ସୂତାକଳଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ସମ୍ଭବପର ହୋଇପାରୁ ନାହିଁ । ସେହିଭଳି ଓଟିଏମ୍ର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର ପ୍ରକ୍ରିୟା ସମାପନ ହୋଇ ସାରିଛି । ରାଜ୍ୟରେ ସରକାରଙ୍କ ଦ୍ୱାରା ଅନୁମୋଦିତ ୬୪ଟି ହସ୍ତଶିଳ୍ପ ରହିଛି ଓ ଏଗୁଡିକରେ ୧,୬୯,୪୭୮ ଜଣ କାରିଗର ଆତ୍ମନିଯୁକ୍ତି ପାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)

