Home Health ହସ୍ତକ୍ଷେପ କଲେ ରାଷ୍ଟ୍ରପତି

ହସ୍ତକ୍ଷେପ କଲେ ରାଷ୍ଟ୍ରପତି

କଟକ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦରଦ ଯୋଗୁଁ ଜଣେ ଦରିଦ୍ର ଆଦିବାସୀ ରୋଗୀଙ୍କ ବଞ୍ଚିବାର ରାହା ସୁଦୃଢ ହେଉଛି । ଡାକ୍ତରମାନଙ୍କ ଉଦ୍ୟମ, ଈଶ୍ୱରଙ୍କ ଆର୍ଶୀବାଦ ଓ ରାଷ୍ଟ୍ରପତିଙ୍କ ଦରଦ ତାଙ୍କ ଅଭାବୀ ପରିବାର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ।

ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ଲାଣ୍ଡୁ ମୁଣ୍ଡାରୀ ଜଣେ ଗରିବ ଆଦିବାସୀ । ଚାଷ କାମ ସହ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ ଏବଂ ମୂଲ ମଜୁରୀରେ ତାଙ୍କ ପରିବାର ଚଳେ । ପ୍ରାୟ ମାସକ ତଳେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପୋଲ ତଳକୁ ଖସିପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଠାକୁରମୁଣ୍ଡା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଘଷିପୁରା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ପ୍ରଥମ ପର୍ଯ୍ୟାୟ ଚିକିତ୍ସା ପରେ ପୁଣି ତାଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ଦିଆଗଲା ।

ଏସ୍‍ସିବିର ଜରୁରୀକାଳୀନ ୱାର୍ଡରେ ଦୁଇ ଦିନ ରହିବାପରେ ତାଙ୍କୁ ଅସ୍ଥିଶଲ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତାଙ୍କୁ ପ୍ରାୟ ଦୁଇ ସପ୍ତାହ ଧରି ଅମ୍ଳଜାନ ସହାୟତାରେ ରଖାଯିବା ସହ ଅନ୍ୟାନ୍ୟ ଉପଚାର କରାହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଏମଆରଆଇ କରାଯାଇ ମେରୁଦଣ୍ଡରେ ଗୁରୁତର ଆଘାତ ସହ ସ୍ନାୟୁବିକ ସମସ୍ୟା ଯୋଗୁଁ ତାଙ୍କର ଦୁଇ ଗୋଡ ଅଚଳ ହୋଇପଡିଥିବା ଘେନି ଡାକ୍ତରମାନେ ସ୍ପଷ୍ଟ ହୋଇଥିଲେ ।

ଏହାପରେ ଏହି ଗୁରୁତର ରୋଗୀଙ୍କୁ ଏସ୍‍ସିବି ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ମେରୁଦଣ୍ଡରେ ଅସ୍ତ୍ରାପଚାର କରିବାପାଇଁ ଏବେ ସୁଦ୍ଧା ଦିନଧାର୍ଯ୍ୟ ହୋଇନାହିଁ । ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରର କର୍ମଚାରୀମାନେ କହୁଛନ୍ତି ।

ଏଥିଘେନି ସମ୍ପୃକ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବ୍ୟସ୍ତ ବିବ୍ରତ ହୋଇପଡୁଥିବାବେଳେ କୌଣସି ସୂତ୍ରରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦପ୍ତରରେ ଏହି ଖବର ପହଞ୍ଚିଲା । ତତ୍‍କ୍ଷଣାତ୍‍ ରାଷ୍ଟ୍ରପତି ଭବନରୁ ଏହି ରୋଗୀଙ୍କ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିବାରୁ କିଛି ଅଧିକାରୀ ଶ୍ରୀ ମୁଣ୍ଡାରୀଙ୍କ ଶଯ୍ୟା ନିକଟକୁ ଆସି ସ୍ଥିତି ପରଖିଛନ୍ତି । ଏହାଛଡା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ଅବହିତ ହୋଇ ଏହି ଗରିବ ଆଦିବାସୀ ରୋଗୀଙ୍କ ଚିକିତ୍ସାରେ ଯେଭଳି କୌଣସି ତ୍ରୁଟି ନରୁହେ ସେ ସଂକ୍ରାନ୍ତରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ସୁଦୂର ଦିଲ୍ଲୀର ରାଷ୍ଟ୍ରପତି ଭବନରେ ରହିଲେ ବି ସୁଦ୍ଧା ମୟୁରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଯେଭଳି ତାଙ୍କ ସହ ଜଣାଶୁଣା ନଥିବା ଜଣେ ସାଧାରଣ ଗରିବ ଆଦିବାସୀଙ୍କ ଚିକିତ୍ସା ଘେନି ତତ୍ପରତା ପ୍ରକାଶ କରୁଛନ୍ତି ସେଥିଲାଗି ବିଭିନ୍ନ ମହଲରୁ ଆନନ୍ଦ ପ୍ରକାଶ ପାଇଛି । ଆଜି ଶ୍ରୀ ମୁଣ୍ଡାରୀ ଅସ୍ପଷ୍ଟ ସ୍ୱରରେ କହିଛନ୍ତି ଯେ ସମସ୍ତଙ୍କ ଶୁଭ ଆର୍ଶୀବାଦ ଓ ସହଯୋଗରେ ଏଭଳି ବଡ ବିପତ୍ତିରୁ ତାଙ୍କ ପରିବାର ବର୍ତ୍ତିଯିବ ବୋଲି ସେ ଆଶା କରୁଛନ୍ତି । ତେବେ ଡାକ୍ତରମାନେ କହୁଛନ୍ତି ଯେ ଏ ପ୍ରକାର ଦୁର୍ଘଟଣାରେ ଚିକିତ୍ସା ପଦ୍ଧତି ବେଶ୍‍ ଲମ୍ବା ହୋଇଥାଏ ଏବଂ ଫିଜିଓଥେରାପି ସହିତ ରୋଗୀଙ୍କ ମନୋବଳ ଓ ସହଯୋଗର ବି ଢେର ଆବଶ୍ୟକତା ପଡିଥାଏ । (ତଥ୍ୟ)