Home General ହରେକୃଷ୍ଣ ମହତାବଙ୍କ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ

ହରେକୃଷ୍ଣ ମହତାବଙ୍କ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ

ନୂଆଦିଲ୍ଲୀ : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା ଏହି ସ୍ମରଣୋତ୍ସବରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଲେଖକ, ରାଜନେତା, ଐତିହାସିକ, ସାମ୍ବାଦିକ ତଥା ଆଧୁନିକ ଓଡ଼ିଶାର ପ୍ରତିଷ୍ଠାତା ଭାବରେ ଡ. ହରେକୃଷ୍ଣ ମହତାବଙ୍କ ଉଲ୍ଲେଖନୀୟ ଅବଦାନକୁ ବିଭିନ୍ନ କାର୍ଯ୍ୟକ୍ରମ, ବକ୍ତୃତା, ପ୍ରଦର୍ଶନୀ, ଆଲୋଚନାଚକ୍ର ମାଧ୍ୟମରେ ପ୍ରଚାରପ୍ରସାର ଓ ପାଳନ କରାଯିବ।

କାର୍ଯ୍ୟକ୍ରମ ସ୍ଥଳରେ ଲଳିତ କଳା ଏକାଡେମୀ ପକ୍ଷରୁ ଡ. ମହତାବଙ୍କ ଜୀବନଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା। ଡକ୍ଟର ହରେକୃଷ୍ଣଙ୍କ ଜୀବନାଦର୍ଶ, ତାଙ୍କ ପ୍ରାରମ୍ଭିକ ଜୀବନ, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଉପରେ ଓଡ଼ିଶାର ୧୫ରୁ ଅଧିକ କଳାକାରଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ପ୍ରସ୍ତୁତ କରାଯାଇଥିଲା। ପ୍ରଦର୍ଶନୀ ଏବଂ ଚିତ୍ରକଳାର ନିଖୁଣ ଓ ଜୀବନ୍ତ ସ୍ୱରୂପ ଏବଂ ସୃଜନଶୀଳତାକୁ ମାନ୍ୟବର ରାଷ୍ଟ୍ରପତି ପ୍ରଶଂସା କରିଥିଲେ ।

କଳାକାରମାନେ ରାଷ୍ଟ୍ରପତିଙ୍କ ସହ କଥା ହେବା ଏବଂ ଫଟୋ ଉଠାଇବାର ସୁଯୋଗ ମଧ୍ୟ ପାଇଥିଲେ। ଏହାବ୍ୟତୀତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୀବନ ଉପରେ ଆଲୋକପାତ କରୁଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହା ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଚିରସ୍ଥାୟୀ ଆଦର୍ଶ ପ୍ରତି ଗଭୀର ଦୃଷ୍ଟିପାତ କରିଥିଲା।