Home General ହରିଶ୍ଚନ୍ଦ୍ର ଯୋଜନାରେ ବର୍ଷକରେ ୫୩କୋଟି ବ୍ୟୟ

ହରିଶ୍ଚନ୍ଦ୍ର ଯୋଜନାରେ ବର୍ଷକରେ ୫୩କୋଟି ବ୍ୟୟ

ଭୁବନେଶ୍ୱର : ନିଜ ପ୍ରିୟଜନକଙ୍କ ଶବ ସତ୍କାର ପାଇଁ ଲକ୍ଷାଧିକ ଲୋକଙ୍କ ନିକଟରେ ଅର୍ଥ ନାହିଁ । ରାଜ୍ୟ ସରକାର ଏମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଜରିଆରେ ଅର୍ଥ ଯୋଗାଇ ଦେଉଥିବାବେଳେ ଅଚିହ୍ନା ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ମଧ୍ୟ ସହାୟତା କରୁଛନ୍ତି ।

ଗରିବ ଲୋକଙ୍କୁ ନିଜ ପ୍ରିୟଜନଙ୍କ ଶବ ସତ୍କାର ଲାଗି ସହାୟତା ଯୋଗାଇଦେବା ସକାଶେ ଓଡିଶା ସରକାର ୨୦୧୩ ମସିହାରେ ଆରମ୍ଭ କରିଥିଲେ ହରିଶ୍ଚନ୍ଦ୍ର ଯୋଜନା । ପଞ୍ଚାୟତ ସ୍ତରରେ ଏହି ଅର୍ଥ ଯୋଗାଇ ଦିଆଯିବା ସହିତ ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟ ସହାୟତାର ବ୍ୟବସ୍ଥା ରହିଛି । ପଞ୍ଚାୟତ ସ୍ତରରେ ଯେଉଁମାନେ ଶବ ସତ୍କାର ପାଇଁ ଆବେଦନ କରନ୍ତି ସେମାନଙ୍କୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ୨ହଜାର ଟଙ୍କା କରି ମିଳିଥାଏ । ତେବେ ଏଥିପାଇଁ ମୃତ ବ୍ୟକ୍ତିଙ୍କ ନାମ ରାସନକାର୍ଡ ତାଲିକାରେ ଥିବା ଜରୁରୀ । ତେବେ ସହରାଞ୍ଚଳରେ ଏହି ସହାୟତା ରାଶି ୩ହଜାର ଟଙ୍କା ରହିଛି ।

ତେବେ ଯେଉଁମାନେ ନିଜର ପ୍ରିୟଜନଙ୍କ ଶବକୁ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନେଇଥାନ୍ତି ସେଠାରେ ସେମାନଙ୍କ ନଗଦ ଟଙ୍କା ବଦଳରେ କାଠ, ଘିଅ, ପୂଜା ସାମଗ୍ରୀ ଆଦି ଯୋଗାଇ ଦିଆଯାଇଥାଏ । ଏଥିପାଇଁ ମୃତ ବ୍ୟକ୍ତିଙ୍କ ପରିବାରକୁ ନିଜର ପରିଚୟପତ୍ର, ମୃତ୍ୟୁ ପ୍ରମାଣପତ୍ର ଆଦି ଦାଖଲ କରିବାକୁ ପଡିଥାଏ । ସମସ୍ତ କାଗଜପତ୍ରର ଯାଞ୍ଚ ସରିଲେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଶବ ସତ୍କାର ପାଇଁ ଧାର୍ଯ୍ୟ ପରିମାଣର ସାମଗ୍ରୀ ଯୋଗାଣ ହୋଇଥାଏ । ଯେଉଁମାନେ ଅଧିକ କାଠ ଆବଶ୍ୟକ କରିଥାନ୍ତି ସେମାନଙ୍କୁ ଏଥିପାଇଁ ଅର୍ଥ ଦେବାକୁ ହୋଇଥାଏ ।

ତେବେ ପୁରୀ ସ୍ୱର୍ଗଦ୍ୱାରକୁ ଆସୁଥିବା ପ୍ରାୟ ସମସ୍ତ ଶବ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ ହୋଇଥାଏ । କାଁ ଭାଁ ବ୍ୟକ୍ତି ଏଥିରୁ ଦୂରେଇ ରହିଥାନ୍ତି । ତେବେ ଯେଉଁମାନେ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ ହୋଇଥାନ୍ତି ସେମାନଙ୍କ ପାଇଁ ଏଠାରେ ଶବ ସତ୍କାର ସହଜ ହେଉଥିପାରୁ ଅନେକ ଏଥିପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ କାଠକୁ ବାଦ୍‍ ଦେଲେ ଶବ ସତ୍କାର ପାଇଁ ଅନ୍ୟ ଯେଉଁସବୁ ସାମଗ୍ରୀ ଏଠାରେ ଯୋଗାଣ ହୋଇଥାଏ ତାହା ଅତ୍ୟନ୍ତ ନିମ୍ନମାନର ବୋଲି ମଧ୍ୟ ବେଳେବେଳେ ଅଭିଯୋଗ ହୋଇଥାଏ ।

ସେହିଭଳି ଅଚିହ୍ନା ଶବ ବିଶେକରି ଦୁର୍ଘଟଣା ଆଦିରେ ମିଳୁଥିବା ଶବର ସତ୍କାର ପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଇଥାନ୍ତି । ଗତ ବର୍ଷ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସତ୍କାର ପାଇଁ ୧ଲକ୍ଷ ୬୯ହଜାର ପରିବାରକୁ ୫୩ କୋଟି ଟଙ୍କାରୁ ଅର୍ଥ ଅର୍ଥ ଯୋଗାଇ ଦିଆଯାଇଛି ।

ଅତୀତରେ ରାଜ୍ୟର କେତେକ ସ୍ଥାନରେ ହରିଶ୍ଚନ୍ଦ୍ର ଯୋଜନାରେ ହେରଫେର ନେଇ ଅଭିଯୋଗ ଆସିଥିବାବେଳେ ଏତେ ସଂଖ୍ୟାରେ ଲୋକଙ୍କ ନିକଟରେ ନିଜର ପ୍ରିୟଜନଙ୍କ ଶବ ସତ୍କାରପାଇଁ ଅର୍ଥ ନଥିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ରାଜ୍ୟର ୮୦ ପ୍ରତିଶତରୁ ଅଧିକ ଲୋକଙ୍କର ରାସନକାର୍ଡ ଥିବାରୁ ସେମାନେ ମାଗଣା ଚାଉଳ ପାଇବା ସହିତ ଏହି କାର୍ଡ ସହାୟତାରେ ପ୍ରିୟଜନଙ୍କ ଶବକୁ ହରିଚନ୍ଦ୍ର ଯୋଜନାରେ ସାମିଲ କରି ସରକାରୀ ସହାୟତା ପାଇବାରେ ସଫଳ ହେଉଛନ୍ତି । (ତଥ୍ୟ)