Home Agriculture ହତାଶ ହେଲେଣି କୁକୁଡା ଚାଷୀ

ହତାଶ ହେଲେଣି କୁକୁଡା ଚାଷୀ

ଭୁବନେଶ୍ୱର : ବାର୍ଡ ଫ୍ଲୁର ସ୍ଥିତି ନେଇ କୌଣସି ସ୍ପଷ୍ଟତା ଆସୁନଥିବାରୁ ଉପକୂଳ ଜିଲ୍ଲାର କୁକୁଡାଚାଷୀମାନେ ମୁଣ୍ଡରେ ହାତଦେଇ ବସିଗଲେଣି । କାଁ ଭାଁ ସ୍ଥାନକୁ ବାଦ୍‍ ଦେଲେ ଆଉ କୌଣସି ଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବାବେଳେ ଏ ସଂକ୍ରାନ୍ତରେ ବ୍ୟାପକ ପ୍ରଚାର ଯୋଗୁଁ ଲୋକେ କିନ୍ତୁ କୁକୁଡା ମାଂସ ଓ ଅଣ୍ଡାକୁ ଛୁଉଁ ନାହାନ୍ତି । ଫଳରେ ଚାଷୀମାନେ କୁକୁଡା ବିକ୍ରିହୋଇ ପାରୁନଥିବାବେଳେ ସେମାନେ ଏବେ ଦୈନିକ କ୍ଷତି ସହି ଚାଲିଛନ୍ତି ।

ରାଜ୍ୟରେ ୩୧,୫୩୭ଟି ଘରୋଇ କୁକୁଡା ଫାର୍ମ ଥିବାବେଳେ ଏଥି ମଧ୍ୟରୁ ୩୦,୨୮୭ଟି କୁକୁଡା ଫାର୍ମରେ ମାଂସ କୁକୁଡା ଓ ୧୨୫୦ ଫାର୍ମରେ ଅଣ୍ଡାଦିଆ କୁକୁଡା ଚାଷ ହେଉଛନ୍ତି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଉପକୂଳ ଜିଲ୍ଲା ବିଶେଷକରି କଟକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର, ପୁରୀ, ଖୋରଧା, ନୟାଗଡ ଆଦିରେ କୁକୁଡା ଚାଷୀଙ୍କ ସଂଖ୍ୟା ଅଧିକରହିଛି । କଟକ ଜିଲ୍ଲାରେ ମାଂସ କୁକୁଡା ଫାର୍ମ ସଂଖ୍ୟା ୨୧୫୬ ଥିବାବେଳେ ଜଗତ୍‍ସିଂହପୁରରେ ୧୪୧୭, ଯାଜପୁରରେ ୧୫୦୯, କେନ୍ଦ୍ରାପଡାରେ ୮୯୨, ପୁରୀରେ ୨୩୪୬ ଓ ଖୋରଧାରେ୧୮୦୨ ରହିଛି । ଏହାବଦ୍‍ ଏହିସବୁ ଜିଲ୍ଲାରେ ଅଳ୍ପ ସଂଖ୍ୟାରେ ଅଣ୍ଡାଦିଆ କୁକୁଡାଙ୍କ ଫାର୍ମ ବି ରହିଛି ।

ସମଗ୍ର ରାଜ୍ୟରେ କୁକୁଡା ଫାର୍ମରେ ୨୫ରୁ ଅଧିକ କମ୍ପାନୀ ସେମାନଙ୍କର ଅର୍ଥ ଖଟାଇଥିବାବେଳେ ଉପକୂଳ ଜିଲ୍ଲାରେ ଅଧିକ ସଂଖ୍ୟାରେ କାରବାର କରୁଛନ୍ତି । କୁକୁଡା ଚାଷୀ ସଂଘ କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ କମ୍ପାନୀ ଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୧୨ଲକ୍ଷ ଲୋକ ଏହି ଚାଷ ସହିତ ଜଡିତ ଅଛନ୍ତି ।

ନିକଟରେ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ନିମାପଡା ସମେତ କେନ୍ଦ୍ରାପଡା ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳର ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା । ଏହା ଚିହ୍ନଟ ମାତ୍ରେ ସରକାରଙ୍କ ପକ୍ଷରୁ ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଇ ବାର୍ଡ ଫ୍ଲୁ ଆକ୍ରାନ୍ତ ଅଞ୍ଚଳର ଦୁଇ କିଲୋମିଟର ମଧ୍ୟରେ ଥିବା ସମସ୍ତ ଫାର୍ମର କୁକୁଡାଙ୍କୁ ମାରି ପୋତି ଦିଆଯାଇଥିଲା । ଏହାଛଡା ସଂକ୍ରମିତ ଅଞ୍ଚଳର ୧୦ କିଲୋମିଟର ପରିଧି ଭିତରେ ଥିବା ଫାର୍ମ କୁକୁଡାଙ୍କୁ ସେହି ଅଞ୍ଚଳ ବାହାରକୁ ଛଡାଯାଇନଥିଲା ।

ତେବେ ବାର୍ଡ ଫ୍ଲୁ ଖବର ପ୍ରଚାର ଯୋଗୁଁ ଲୋକେ ଆଉ ଭୟରେ କୁକୁଡା ମାଂସ କିମ୍ବା ଅଣ୍ଡା ଖାଉ ନାହାନ୍ତି । ବାର୍ଡ ଫ୍ଲୁ ବ୍ୟାପିନଥିବା ଅନ୍ୟ ଜିଲ୍ଲାରୁ ଆସୁଥିବା ଅଣ୍ଡା ଓ କୁକୁଡାକୁ ଡରୁଛନ୍ତି । ଭୟରେ ପଡୋଶୀ ପଶ୍ଚିମବଙ୍ଗ ମଧ୍ୟ ଅଣ୍ଡା ଓ କୁକୁଡା ଆମଦାନୀ ଉପରେ କଟକଣା ଲଗାଇଦେଲା ।

ଇତି ମଧ୍ୟରେ ବାର୍ଡ ଫ୍ଲୁର ଆଉ କୌଣସି ନୂଆ ଅଭିଯୋଗ କିମ୍ବା ପ୍ରମାଣ ଆସିନାହିଁ । ଏବେ କୁକୁଡା ମାଂସ ଓ ଅଣ୍ଡା ନିରାପଦ କି ନୁହେଁ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ଜାରି କରୁନାହାନ୍ତି । ଫଳରେ କୁକୁଡା ଚାଷରେ ବ୍ୟାପକ ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରିଥିବା ଚାଷୀମାନେ ଏବେ ଗୋଲକ ଧନ୍ଦାରେ ପଡିଛନ୍ତି । କିଛି ଚାଷୀ ନିଜ ନିଜ ଅଞ୍ଚଳରେ କ୍ଷତିରେ କୁକୁଡାଗୁଡିକୁ ବିକ୍ରିକରି ଦେଉଥିବାବେଳେ ଆଉ କିଛି ଚାଷୀ ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଫାର୍ମରେ ତାଲା ପକାଇଲେଣି । ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନହେଲେ ଲକ୍ଷ ଲକ୍ଷ ଲୋକ ବେକାର ହେବା ସହିତ ଆମନିଯୁକ୍ତିର ପ୍ରମୁଖ କ୍ଷେତ୍ର ଉଜୁଡିଯିବ ବୋଲି କୁକୁଡାଚାଷୀ ସଂଘ ପକ୍ଷରୁ କୁହାଯାଉଛି । (ତଥ୍ୟ)