Home Assembly ହଟ୍ଟଗାେଳରେ ସରିଲା ମୌସୁମୀ ଅଧିବେଶନ

ହଟ୍ଟଗାେଳରେ ସରିଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଆଜି ଶେଷ ହୋଇଛି । ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‍ ପାରିତ ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ।

ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମାତ୍ର ୪ଟି ସରକାରୀ କାର୍ଯ୍ୟଦିବସ ରହିଥିଲା । ଅଧିବେଶନରେ ମୋଟ୍‍ ୭୭୦ ଟି ତାରକା ଚିହ୍ନିତ ପ୍ରଶ୍ନ ଆସିଥିବାବେଳେ ବିଭାଗୀୟ ମନ୍ତ୍ରୀମାନେ ମାତ୍ର ୮ଟି ପ୍ରଶ୍ନର ଉତ୍ତର ରଖିଥିଲେ । ଅଧିକାଂଶ ସମୟରେ ମନ୍ତ୍ରୀମାନେ ବିରୋଧିଙ୍କ ହଟଗୋଳ ମଧ୍ୟରେ ସ୍ୱଳ୍ପ ସମୟ ପାଇଁ ଉତ୍ତର ରଖୁଥିବା ଲକ୍ଷ୍ୟ କରାଯାଇଥିଲା ।

ସେହିଭଳି ୧୪୦୩ଟି ଅଣତାରିକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପିତ ହୋଇଥିଲା । ୩୮ଟି କାଗଜ, ୭୮ଟି ବାର୍ଷିକ ରିପୋର୍ଟ, ୫ଟି କମିଟି ରିପୋର୍ଟ ସମେତ ୧୩ଟି ସରକାରୀ ବିଧେୟକ ପାରିତ ହୋଇଥିଲା । ୩ଟି ସିଏଜି ରିପୋର୍ଟ ମଧ୍ୟ ଅଧିବେଶନର ଶେଷ ଦିନରେ ଗୃହରେ ଉପସ୍ଥାପିତ ହୋଇଥିଲା ।

ଅଧିବେଶନର ଅଧିକାଂଶ ଦିନରେ ବିରୋଧି ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ହଟଗୋଳ କରୁଥିବାବେଳେ ଶାସକ ବିଜେଡି ମଧ୍ୟ ବିପର୍ଯ୍ୟସ୍ତ ଜାତୀୟ ରାଜପଥ ଓ ଧାନର ଦରବୃଦ୍ଧି ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା ।

ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ଗୃହରେ ଶ୍ରଦ୍ଧା ନାମ୍ନି ମହିଳାଙ୍କ ନାମ ଉଚ୍ଚାରଣ କରି ସେ କିଏ ଏବଂ କାହା ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରୋମ୍‍ ଗସ୍ତ କରିଥିଲେ ଏବଂ ତାଙ୍କ କିଭଳି ସରକାରୀ କ୍ୱାଟର୍ସ ମିଳିଛି ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖି ସମ୍ପୃକ୍ତ ମହିଳା ଜଣଙ୍କ ଜଣେ ଫିଜିଓଥେରାପିଷ୍ଟ ଓ ତାଙ୍କର ଭଉଣୀ ସ୍ୱର୍ଗତା ଗୀତା ମେହେଟ୍ଟା ତାଙ୍କୁ ଆଣିଥିଲେ । ତାଙ୍କର ଗସ୍ତ ପାଇଁ ରାଜକୋଷରୁ କୌଣସି ଅର୍ଥ ବ୍ୟୟ ହୋଇନଥିବା ଏବଂ ସମ୍ପୃକ୍ତ ମହିଳାଙ୍କୁ କୌଣସି ସରକାରୀ କ୍ୱାଟର୍ସ ମିଳିନଥିବା ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେଇଥିଲେ ।

ସେହିଭଳି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ୫ଟି ସଚିବଙ୍କ ହେଲିକାପ୍ଟର ଗସ୍ତ ନେଇ ସରକାରଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଏହା ଉପରେ ବିବୃତ୍ତି ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଅଭିଯୋଗ ଶୁଣିବାପାଇଁ ସିଏମଓ ସେମାନଙ୍କ ପାଖକୁ ଯାଉଛି । ହେଲିକାପ୍ଟରରେ ଯାଇନଥିଲେ ସମସ୍ତଙ୍କ ନିକଟରେ ପହଞ୍ଚିବାକୁ ଅତି କମ୍‍ରେ ଦେଢବର୍ଷ ଲାଗିଥାନ୍ତା ।
ତେବେ ରାଜ୍ୟର ଦୁଇ ଜଣ ମନ୍ତ୍ରୀଙ୍କ ନାମରେ ହେଲିକାପ୍ଟର ବୁକିଂ କରି ୫ଟି ସଚିବ କିଭଳି ଗସ୍ତ କଲେ ତାହାକୁ ନେଇ ବିରୋଧିଦଳ ପକ୍ଷରୁ ସ୍ୱାଧୀକାରଭଙ୍ଗ ନୋଟିସ୍‍ ଦିଆଯାଇଥିଲା ।

ଏହି ଅଧିବେଶନ କାଳରେ ବାଚସ୍ପତିଙ୍କ ଗୃହ ପରିଚାଳନା ନେଇ ବିରୋଧିଦଳ ସଦସ୍ୟମାନେ ଅଭିଯୋଗ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ । ଏହି ଘଟଣାରେ ବାଚସ୍ପତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କୁ ଗୃହରୁ ନିଲମ୍ବିତ କରିଥିଲେ । ବିଜେପିର ପ୍ରବଳ ଦାବି ସତ୍ୱେ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇନଥିଲା ।

ସେହିଭଳି ବିଜେଡି ବିଧାୟକ ଅରୁଣ କୁମାର ସାହୁ ବିଧାନସଭାରେ ବିରୋଧିଦଳ ନେତାଙ୍କ ପ୍ରତି ମେଣ୍ଟାଲ ଡିଜ୍‍ଅର୍ଡର ଭଳି ଶବ୍ଦ ବ୍ୟବହାର କରିବାରୁ ବିଜେପି ତାହାର ଘୋର ପ୍ରତିବାଦ କରିଥିଲା । ଏନେଇ ବାରମ୍ବାର ଗୃହ ମୁଲତବି ଓ ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଏଭଳି ଶବ୍ଦକୁ ଗୃହର ବିବରଣୀରୁ ବାଦ୍‍ ଦେଇଥିଲେ ।

ଅଧିବେଶନ କାଳରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍‍ ଦିଆଯାଇଥିବାବେଳେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପୂର୍ତ୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାରଭଙ୍ଗ ନୋଟିସ୍‍ ଦେଇଥିଲେ ।

ତେବେ ଏହି ସ୍ୱଳ୍ପକାଳୀନ ଅଧିବେଶନରେ ଅଧିକାଂଶ ସମୟ ବିଜେପି ସଦସ୍ୟଙ୍କ ହଟଗୋଳରେ ବିତିଥିଲା । ଗୃହ ପରିଚାଳନାରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତରେ ଗିଲୋନିଟ୍‍ ମାଧ୍ୟମରେ ବହୁ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଥିଲା । ପ୍ରାୟତଃ କୌଣସି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇପାରି ନଥିଲା । ସାଧାରଣ ଲୋକଙ୍କ କଥା ଆଲୋଚନା ହୋଇପାରୁନଥିବାରୁ କଂଗ୍ରେସ ସଦସ୍ୟମାନେ ବାରମ୍ବାର ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା ।