ଭୁବନେଶ୍ୱର : ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁକୂଳ ବାତାବରଣ ସୃଷ୍ଟି କରୁଥିବାବେଳେ ରାଜ୍ୟରେ ଜମି ନେଇ ଗଢି ଉଠିଥିବା ଛୋଟ ଛୋଟ ଶିଳ୍ପଂସ୍ଥା ମଧ୍ୟରୁ ହଜାରେରୁ ଅଧିକ ବନ୍ଦ ହୋଇଯାଇଛି । ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଜମିକୁ ଅନ୍ୟ କାର୍ଯ୍ୟରେ ଲଗାଇ ଦେଇଛନ୍ତି ।
ରାଜ୍ୟରେ ଏବେ ଉତ୍କର୍ଷ ଓଡିଶା ଶିଳ୍ପ ମହାକୁମ୍ଭ ଚାଲିଥିବାବେଳେ ବଡ ବଡ ଶିଳ୍ପ ସହିତ ଛୋଟ ଛୋଟ ଶିଳ୍ପ ବିଶେଷକରି ଏମଏସଏମଇ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କାରଣ ଏହା ଜରିଆରେ ହିଁ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ପୂର୍ବରୁ ଯେଉଁସବୁ ଏମଏସଏମଇ ପ୍ରତିଷ୍ଠା ହୋଇଥିଲା ସେଥି ମଧ୍ୟରୁ ୧୦୪୨ଟି ବନ୍ଦ ହୋଇଯାଇଥିବା ସରକାରୀ ସୂଚନାରୁ ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୩୫ଟି ଶିଳ୍ପାଞ୍ଚଳରେ ଏମଏସଏମଇ ପାଇଁ ୧୨,୮୦୮ ଏକର ପରିମିତ ଜମି ରହିଛି । ଏଥି ମଧ୍ୟରୁ ୬୫୦୪ଟି ଛୋଟ ଛୋଟ ଶିଳ୍ପସଂସ୍ଥାଙ୍କୁ ୭ହଜାର ଏକର ଜମି ଯୋଗାଇ ଦିଆଯାଇଛି । ଏହିସବୁ ଜମି ଏମଏସଏମଇଗୁଡିକୁ ଲିଜ୍ ସୂତ୍ରରେ ସରକାର ଯୋଗାଇ ଦେଇଛନ୍ତି । ତେବେ ପ୍ରତିଷ୍ଠା ହୋଇଥିବା ଶିଳ୍ପସଂସ୍ଥା ମଧ୍ୟରୁ ସାଢେ ୩ହଜାର ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ହଜାରେରୁ ଅଧିକ ବନ୍ଦହୋଇ ଗଲାଣି । ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ଲିଜ୍ ସୂତ୍ରରେ ମିଳିଥିବା ଜମିକୁ ଅନ୍ୟ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଛନ୍ତି । ତେବେ ପାଖାପାଖି ୬ଶହ ଶିଳ୍ପସଂସ୍ଥା କୌଣସି ଉତ୍ପାଦନ ନକରି ଏକ ପ୍ରକାର ଅଚଳ ସ୍ଥିତିରେ ରହିଛନ୍ତି ।
ଶିଳ୍ପାଞ୍ଚଳଗୁଡିକରେ ଯୋଗାଇଥିବା ଜମିକୁ ଶିଳ୍ପସଂସ୍ଥାମାନେ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିଲେ ତାହାର ଲିଜ୍ ବାତିଲ ପାଇଁ ଇଡ୍କୋ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ମାମଲା ରୁଜୁ ହେଉଥିଲେ ବି ତାହାର ସେଭଳି କୌଣସି ଫରକ ପଡୁନାହିଁ । ରାଜଧାନୀ ମଧ୍ୟରେ ଥିବା ମଞ୍ଚେଶ୍ୱର ଓ ଚନ୍ଦକା ଶିଳ୍ପାଞ୍ଚଳରେ ଶିଳ୍ପ ବଦଳରେ ଅଣଶିଳ୍ପ ସଂଖ୍ୟା ଅଧିକ । ଏଠାରେ ଏକାଧିକ ଶିକ୍ଷାନୁଷ୍ଠାନ ସହିତ ଗାଡି ସୋରୁମ୍ମାନ ଗଢି ଉଠିଛି । ତେବେ ଏଠାରେ ଜମି ମୂଲ୍ୟ ସହିତ ଘରଭଡା ଆକାଶଛୁଆଁ ହୋଇଥିବାରୁ ଶିଳ୍ପ ପ୍ରତିଷ୍ଠାପାଇଁ ଦିଆଯାଇଥିବା ଜମି ଉପରେ ଘର ତିଆରି କରି ଲୋକେ ଭଡାରେ ଲଗାଇ ଦେଇଛନ୍ତି । ଧର୍ମକୁ ଆଖିଠାର ମାରିଲା ଭଳି ଘର ଆଗରେ ଶିଳ୍ପସଂସ୍ଥାର ନାଁ ଲେଖି ଫଳକଟିଏ ଟଙ୍ଗାଇ ଦେଉଛନ୍ତି ।
ବର୍ତ୍ତମାନ ରାଜ୍ୟ ସରକାର ଉତ୍କର୍ଷ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଉପରେ ବିଶେଷକରି ଏମଏସଏମଇ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ତୁରନ୍ତ ବନ୍ଦ ହୋଇ ପଡିଥିବା ଏମଏସଏମଇ ଓ ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥିବା ଶିଳ୍ପସଂସ୍ଥାରୁ ଜମିର ଲିଜ୍ ବାତିଲ କରି ତାହାକୁ ଯୁବ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦେବାକୁ ମତପ୍ରକାଶ ପାଉଛି । ଇଡ୍କୋ କର୍ତ୍ତୃପକ୍ଷ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସହିତ ସମସ୍ତ ଶିଳ୍ପସଂସ୍ଥାର ସ୍ଥିତାବସ୍ଥା ଜାରି କରିବାକୁ ଉଦ୍ୟୋଗୀମାନେ ମତ ଦେଉଛନ୍ତି । କାରଣ ରାଜଧାନୀ ଆଖପାଖରେ ଥିବା ଶିଳ୍ପାଞ୍ଚଳରେ ନିଜ ନିଜର ଉଦ୍ୟୋଗ ବା ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗୀମାନେ ଯେଭଳି ଆଗ୍ରହ ପ୍ରକାଶ କରୁଛନ୍ତି ତାହା ଅନ୍ୟ ସ୍ଥାନମାନଙ୍କରେ ଲକ୍ଷ୍ୟ କରାଯାଉ ନାହିଁ । (ତଥ୍ୟ)